ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବ: ଗଞ୍ଜାମରେ ଭାସିଗଲା ପଳାସପୁର ପୋଲ, ଦିଗପହଣ୍ଡି-ଆସିକା ଯୋଗାଯୋଗ ବିଚ୍ଛିନ୍ନ

ଭୁବନେଶ୍ୱର: ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅଧୀନରେ ଥିବା ପଳାସପୁର ପୋଲ ସମ୍ପୂର୍ଣ୍ଣ ଭାସିଯିବା ଫଳରେ ଦିଗପହଣ୍ଡି ଏବଂ ଆସିକା ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି।

ସୂଚନା ଅନୁସାରେ, ଗତ ୩ ଦିନ ଧରି ଏହି ପଳାସପୁର ପୋଲ ଉପରେ ପ୍ରାୟ ୧୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିଲା। ପାଣି ଛାଡ଼ିବା ପରେ ପୋଲଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଦିଗପହଣ୍ଡିରୁ ଆସିକାକୁ ସଂଯୋଗ କରୁଥିବା ଏହା ଏକମାତ୍ର ମୁଖ୍ୟ ରାସ୍ତା ହୋଇଥିବାରୁ ଏହି ମାର୍ଗରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏହି ବ୍ୟାପକ କ୍ଷୟକ୍ଷତି ଫଳରେ ଉଭୟ ଅଞ୍ଚଳର ଜନସାଧାରଣଙ୍କ ଦୈନନ୍ଦିନ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି।

ବାତ୍ୟା 'ଅର୍ଣ୍ଣବ' ଦୁର୍ବଳ ହୋଇ ବର୍ତ୍ତମାନ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିଲେ ମଧ୍ୟ ଏହା ଦକ୍ଷିଣ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପ୍ରବଳ ବର୍ଷା କାରଣରୁ ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳମଗ୍ନ ହୋଇରହିଛି। ଏହାସହ ରେଶମ ସହର ବ୍ରହ୍ମପୁର ସମେତ ଅନେକ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ପୁନରୁଦ୍ଧାର ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।

About The Author: Madhusudan Das