ବରଗଡ଼: ଅଧାରେ ରହିଗଲା ଜଗା ଦର୍ଶନ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ମଧ୍ୟପ୍ରଦେଶର ଇନ୍ଦୋରରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ବେଳେ ଏକ ପରିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୋମବାର ଦିନ ବରଗଡ଼ ଜିଲ୍ଲାରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାଟି ସୋହେଲା ବ୍ଲକ ଅନ୍ତର୍ଗତ ମଧୁପୁର ନିକଟରେ ଘଟିଛି। ପରିବାର ଲୋକେ ଏକ ଗାଡ଼ିରେ ଯାତ୍ରା କରୁଥିବା ସମୟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଗାଡ଼ିଟି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଏହି ଧକ୍କା ଏତେ ଜୋରଦାର ଥିଲା ଯେ ଘଟଣାସ୍ଥଳରେ ହିଁ ଜଣେ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଥିଲା ଏବଂ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଥିଲେ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ଭାବେ ୩ ଜଣ ଆହତଙ୍କୁ ସୋହେଲା ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅନ୍ୟ ୩ ଜଣଙ୍କୁ ବରଗଡ଼ର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ, ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି।