ଭୁବନେଶ୍ବର: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ‘ମିଚାଉଁ’କୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ତତ -ସଂଲଗ୍ନ ଉତ୍ତର ତାମିଲନାଡୁ- ପୁଡୁଚେରୀ ଉପକୂଳ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଗତ ୬ ଘଣ୍ଟା ମଧ୍ୟରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ‘ମିଚାଉଁ’ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଅଗ୍ରସର ହେଉଛି। ଏହା ସମାନ ଅଞ୍ଚଳରେ ୧୨.୨ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୨ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ପାଖରେ , ପୁଡୁଚେରୀର ପ୍ରାୟ ୨୪୦ କିଲୋମିଟର ପୂର୍ବ, ଚେନ୍ନାଇର ୨୧୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ, ନେଲୋରର ୩୩୦ କିଲୋମିଟର ଦକ୍ଷିଣ-ପୂର୍ବ, ବାପାଟଲାର ୪୪୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଏବଂ ମଛଲିପଟନମ ଠାରୁ ୪୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ରହିଛି। ଏହା ପରବର୍ତୀ ସମୟରେ ନିଜ ଗତିର ଦିଗ ଉତ୍ତର ପଶ୍ଚିମ ଦିଗରେ ବଜାୟ ରଖିବା ସହ ୪ ତାରିଖ ପୂର୍ବାହ୍ନ ବେଳକୁ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ର ସମୁଦ୍ର ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟସ୍ଥ ହେବା ସମ୍ଭାବନା ରହିଛି ।
ଏହା ପରେ ଉତ୍ତର ଦିଗରେ ଗତିକରିବା ସହ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳକୁ ପ୍ରାୟ ସମାନ୍ତରାଳ ଭାବେ ଗତିକରି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ମଛଲିପଟନମ ମଧ୍ୟରେ ୫ ଡିସେମ୍ବର ପୂର୍ବାହ୍ନରେ ଏକ ଭୀଷଣ ବାତ୍ୟା ଭାବେ ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟା ପ୍ରତି ବେଗ ୯୦ ରୁ ୧୦୦ କିଲୋମିଟର ତଥା ଝଟକା ପବନ ୧୧୦ କିମି ବେଗରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି ।