ଭୁବନେଶ୍ବର : ରାଜ୍ୟରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ(OISF) ର ଆଉ ଏକ ବାଟାଲିଅନ ହେବ। ଶନିବାର ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁରି ପ୍ରଦାନ କରିଛନ୍ତି। ଏହି ନୂଆ ବାଟାଲିଅନ ପାଇଁ ମୋଟ୍ ୧୦୪୦ଟି ପଦବୀ ସୃଷ୍ଟି କରାଯିବ। ବର୍ତ୍ତମାନ ରାଜ୍ୟରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଗୋଟିଏ ବାଟାଲିଅନ ଅଛି।
ବର୍ତ୍ତମାନ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ(OISF)ର ଥିବା ଗୋଟିଏ ବାଟାଲିଅନରେ ୧୮୦୭ ଜଣ କର୍ମଚାରୀ କାର୍ଯ୍ୟରତ ରହିଛନ୍ତି। ଦ୍ୱିତୀୟ ବାଟାଲିୟନ ସୃଷ୍ଟି ହେବା ସହିତ OISFରେ ମୋଟ ୨,୮୪୭ ଜଣ କର୍ମଚାରୀ ରହିବେ। ରାଜ୍ୟ ସରକାର ଓଡ଼ିଶାରେ ଶିଳ୍ପ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦେଉଛନ୍ତି। ତେଣୁ, ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶିଳ୍ପ ଏବଂ ବ୍ୟବସାୟିକ ୟୁନିଟଗୁଡ଼ିକୁ ଉପଯୁକ୍ତ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ OISFର ଏକ ଅତିରିକ୍ତ ବାଟାଲିୟନ ସୃଷ୍ଟି ପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।