ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳରେ ଦୈନିକ ହାରାହାରି ବିଦ୍ୟୁତ୍ ଯୋଗାଣ ଅବଧି ୨୦୧୮-୧୯ରେ ୨୦.୧୩ ଘଣ୍ଟାରୁ ୨୦୨୧-୨୨ରେ ୨୩.୨୨ ଘଣ୍ଟାକୁ ବୃଦ୍ଧି ପାଇଛି। ଯାହାକି ଜାତୀୟ ସ୍ତର ଦୈନିକ ୨୦.୫୩ ଘଣ୍ଟାଠାରୁ ଅଧିକ ଓ ଏଥିପାଇଁ କେନ୍ଦ୍ର ଶକ୍ତି ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ରାଜ୍ୟରେ ୧୭ ଲକ୍ଷରୁ ଊର୍ଦ୍ଧ୍ବ ଏଲ୍ଟି ଉପଭୋକ୍ତା ଏବଂ ୭୨ ହଜାରରୁ ଊର୍ଦ୍ଧ୍ବ କୃଷି ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ପ୍ରଦାନ କରାଯାଇଛି। ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତି ୨୦୧୮-୧୯ରେ ୩୦.୫୭ ପ୍ରତିଶତରୁ ୨୦୨୨-୨୩ରେ ୧୮.୧୨ ପ୍ରତିଶତକୁ ହ୍ରାସ ପାଇଛି ବୋଲି ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶକ୍ତି ବିଭାଗ ଦ୍ୱାରା ଗତ ୪ ବର୍ଷ ମଧ୍ୟରେ କରାଯାଇଥିବା ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ଓ ସଫଳତାର ସମୀକ୍ଷା ପରେ ମନ୍ତ୍ରୀ ପ୍ରଦାପ ଦେବ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁସାରେ ୨୦୧୯ ମସିହାରେ ଓପିଜିସିର ପୂର୍ବ ଉତ୍ପାଦନ କ୍ଷମତା ୪୨୦ ମେଗାୱାଟ ସହ ଅତିରିକ୍ତ ୧୩୨୦ ମେଗାୱାଟ କ୍ଷମତା ଯୋଗ କରାଯାଇ ରାଜ୍ୟର ଶକ୍ତି ନିରାପତ୍ତା ସୁନିଶ୍ଚିତ କରାଯାଇଛି। ଏହି ଅବଧି ମଧ୍ୟରେ ଗ୍ରୀଡ୍କୋ ଦ୍ୱାରା ୨୨୦୦ ମେଗାୱାଟ୍ରୁ ଊର୍ଦ୍ଧ୍ବ ଅକ୍ଷୟ ଶକ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି (୧୧୫୮ ମେଗାୱାଟ ସୌର ଶକ୍ତି ଏବଂ ପବନ ଶକ୍ତି-୧୦୫୦ ମେଗାୱାଟ)। ଏହା ଦ୍ୱାରା ରାଜ୍ୟରେ ଅକ୍ଷୟ ଶକ୍ତିର ଅଂଶ ୨୦୧୮-୧୯ରେ ୨.୭୪ ପ୍ରତିଶତରୁ ୨୦୨୨-୨୩ରେ ପ୍ରାୟ ୧୦.୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୩୦ ସୁଦ୍ଧା ରାଜ୍ୟରେ ପ୍ରାୟ ୧୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ନିମନ୍ତେ ଏକ ପ୍ରଗତିଶୀଳ ଅକ୍ଷୟ ଶକ୍ତି ନୀତି ପ୍ରଣୟନ କରାଯାଇଛି। ପ୍ରାୟ ୮୦୬୫ ମେଗାୱାଟ ଚୁକ୍ତିଭିତ୍ତିକ ଉତ୍ପାଦନ କ୍ଷମତା ସହିତ ବର୍ତ୍ତମାନ ରାଜ୍ୟ ନିଜର ସର୍ବୋଚ୍ଚ ହାରାହାରି ବିଦ୍ୟୁତ ଚାହିଦା ୫୪୦୦ ମେଗାୱାଟକୁ ସୁଚାରୁ ରୂପେ ପୂରଣ କରିବାରେ ସକ୍ଷମ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି।
ସେହିପରି ରାଜ୍ୟରେ ୪୪ଟି ଇଏଚ୍ଟି ଗ୍ରୀଡ ଯଥା ୧୫ଟି ୨୨୦/୧୩୨ କେଭି ଗ୍ରୀଡ୍, ୨୮ଟି ୧୩୨/୩୩ କେଭି ଗ୍ରୀଡ୍ ଏବଂ ୪୦୦ କେଭି ମେରାମୁଣ୍ଡଳି-ବି ଜିଆଇଏସ୍ ଗ୍ରୀଡ୍ କାର୍ଯ୍ୟକ୍ଷମ କରାଯାଇଛି ଯାହାକି ରାଜ୍ୟର ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିଛି। ଓଡିଏସ୍ଏସ୍ପି ଯୋଜନା ମାଧ୍ୟମରେ ୨୩୩ ଗୋଟି ନୂତନ ୩୩/୧୧ କେଭି ପ୍ରାଥମିକ ସବ୍ଷ୍ଟେସନ୍ କାର୍ଯ୍ୟକ୍ଷମ କରାଯାଇଛି। ପ୍ରାୟ ୧୮୦୦ କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟ ସହ ଓଡିଏସ୍ଏସ୍ପି ଯୋଜନାର ଚତୁର୍ଥ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ କରାଯାଇଛି। ୧୭ ଲକ୍ଷରୁ ଊର୍ଦ୍ଧ୍ବ ଏଲ୍ଟି ଉପଭୋକ୍ତା ଏବଂ ୭୨ ହଜାରରୁ ଊର୍ଦ୍ଧ୍ବ କୃଷି ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ପ୍ରଦାନ କରାଯାଇଛି। ମୋ ବିଦ୍ୟୁତ୍ ମାଧ୍ୟମରେ ୪.୧୧ ଲକ୍ଷ ନୂତନ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଛି ଏବଂ ୫ ହଜାରରୁ ଊର୍ଦ୍ଧ୍ବ ଗ୍ରାହକଙ୍କ ଅଭିଯୋଗ ସମାଧାନ କରାଯାଇଛି। ୧୨୯୧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମିଟରିଂ, ବିଲିଂ ଏବଂ ଆଦାୟ କାର୍ଯ୍ୟରେ ନିୟୋଜିତ ହୋଇ ସ୍ୱାବଲମ୍ୱ ହୋଇପାରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦେବ ପ୍ରକାଶ କରିଛନ୍ତି। ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସହ ବହୁ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।