୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ଯାଜପୁର: ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଆଡିସନାଲ ଡ୍ରଗ୍ସ କଣ୍ଟ୍ରୋଲର । ମେଡିସିନ ହୋଲସେଲିଂ ଲାଇସେନ୍ସ ପାଇଁ ୬ ହଜାର ଲାଞ୍ଚ ନେଉଥିଲେ ଆଡିସନାଲ ଡ୍ରଗ୍ସ କଣ୍ଟ୍ରୋଲର ସଞ୍ଜୟ ହାଁସଦା । ଏକ ହୋଲସେଲ୍ ଔଷଧ ଦୋକାନ ପାଇଁ ଲାଇସେନ୍ସ କରାଇଦେବା ନାଁରେ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଯାଜପୁରର ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର ବା ଔଷଧ ନିୟନ୍ତ୍ରକ। ସେ ଅତିରିକ୍ତ ଭାବେ ଜଗତସିଂହପୁର ଜିଲ୍ଲା ଦାୟିତ୍ୱରେ ମଧ୍ୟ ଥିଲେ। ଏକ ଲାଇସେନ୍ସ ଇସ୍ୟୁ କରିବା ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ସେ ୬,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ରଙ୍ଗେହାତରେ କାବୁ କରିଛି।

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀ ଜଣକ ୧୧ ମେ ୨୦୨୫ ରେ ନିଜର ଏକ ହୋଲସେଲ୍ ଔଷଧ ଦୋକାନ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ଏହି ଆବେଦନକୁ ଭୁବନେଶ୍ୱର ସ୍ଥିତ ଡ୍ରଗ୍ସ କଣ୍ଟ୍ରୋଲର ଅଫିସକୁ ସୁପାରିଶ କରିବା ପାଇଁ ସେ ବାରମ୍ବାର ସଞ୍ଜୟ କୁମାର ହାଁସଦାଙ୍କୁ ଭେଟିଥିଲେ। ମାତ୍ର ଅଧିକାରୀ ଜଣକ କାମ ନକରି ୬,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ହଇରାଣ ହୋଇ ଶେଷରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକାରୀ ଜଣକ ଅଫିସକୁ ଯାଇଥିବା ବେଳେ ଅଧିକାରୀ ଜଣକ ସେଠାରେ ନଥିଲେ। ଫୋନ୍‌ରେ କଥା ହେବା ପରେ ସେ ଅଭିଯୋଗକାରୀଙ୍କୁ ପାରାଦୀପ-କଟକ ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଜୟପୁର ଛକକୁ ଡାକିଥିଲେ। ସେଠାରେ ପହଞ୍ଚିବା ପରେ ନିଜ କାର୍ ଭିତରେ ବସାଇ ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା।

ଅଭିଯୁକ୍ତ ଅଧିକାରୀଙ୍କ ଠାରୁ ଭିଜିଲାନ୍ସ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ୬,୦୦୦ ଟଙ୍କା ଜବତ କରିଛି। ଏହି ଘଟଣା ପରେ ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତି (Disproportionate Assets) ଠାବ କରିବା ଉଦ୍ଦେଶ୍ୟରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଅଫିସ ଏବଂ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। 

About The Author: Madhusudan Das