୮ ବର୍ଷ ପରେ ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ: ଅକ୍ଟୋବର ୧୫ରେ ଭୋଟ୍

ଭୁବନେଶ୍ୱର: ୮ ବର୍ଷର ବ୍ୟବଧାନ ପରେ ପୁଣିଥରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ କ୍ୟାମ୍ପସ ଗଣତନ୍ତ୍ର ଫେରିବାକୁ ଯାଉଛି। ଆସନ୍ତା ଅକ୍ଟୋବର ୧୫ ତାରିଖରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚୀ ଅନୁଯାୟୀ, ଆସନ୍ତା ଅକ୍ଟୋବର ୭ ତାରିଖରେ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ଅକ୍ଟୋବର ୯ ତାରିଖରେ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବେ। ଅକ୍ଟୋବର ୧୫ ତାରିଖରେ ରାଜ୍ୟବ୍ୟାପୀ ଭୋଟଗ୍ରହଣ ହେବାକୁ ଥିବା ବେଳେ ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ ଯେ, ଶେଷ ଥର ପାଇଁ ରାଜ୍ୟରେ ୨୦୧୭ ମସିହାରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କ୍ୟାମ୍ପସରେ ହିଂସା, ପ୍ରାକୃତିକ ବିପର୍ଯ୍ୟୟ ଏବଂ ପରବର୍ତ୍ତୀ ସମୟରେ କୋଭିଡ୍ ମହାମାରୀ କାରଣରୁ ପୂର୍ବ ସରକାର ୨୦୧୮ ମସିହାରୁ ଏହି ନିର୍ବାଚନକୁ ବାତିଲ କରିଥିଲେ। ଦୀର୍ଘ ବର୍ଷ ଧରି ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ନିର୍ବାଚନ ପୁନଃ ଆରମ୍ଭ କରିବା ନେଇ ଦାବି ହୋଇଆସୁଥିଲା। ଏବେ ସରକାରଙ୍କ ଏହି ଘୋଷଣା ପରେ କ୍ୟାମ୍ପସଗୁଡ଼ିକରେ ଛାତ୍ରନେତା ଓ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ଏବଂ ନିର୍ବାଚନୀ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଯାଇଛି।

About The Author: Madhusudan Das