ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଆସନ୍ତା ଜୁଲାଇ ୧ ତାରିଖରୁ ନୂତନ ବିଦ୍ୟାଳୟ ପରିଚାଳନା କମିଟି (ଏସଏମସି) ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଥିବା କମିଟିଗୁଡ଼ିକର କାର୍ଯ୍ୟକାଳ ଜୁନ ୩୦, ୨୦୨୬ରେ ଶେଷ ହେବାକୁ ଯାଉଥିବାରୁ ଏହି ପଦକ୍ଷେପ ନିଆଯାଇଛି।
ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଦ୍ୱାରା ଜାରି କରାଯାଇଥିବା ନୂଆ ମାର୍ଗଦର୍ଶିକା ଅନୁଯାୟୀ, ପ୍ରତ୍ୟେକ ବିଦ୍ୟାଳୟରେ ଗୋଟିଏ ଏକୀକୃତ ପରିଚାଳନା କମିଟି ରହିବ। ଏହା ଅଧୀନରେ ଦୁଇଟି ଉପ-କମିଟି ଯଥା- ଭିତ୍ତିଭୂମି ଉନ୍ନୟନ ପାଇଁ ସ୍କୁଲ ବିଲ୍ଡିଂ କମିଟି ଏବଂ ଶିକ୍ଷାଦାନ ନିମନ୍ତେ ଏକାଡେମିକ୍ କମିଟି ଗଠନ କରାଯିବ। ସ୍କୁଲରେ ଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଉପରେ କମିଟିର ସଦସ୍ୟ ସଂଖ୍ୟା ନିର୍ଭର କରିବ। ୧୦୦ ଜଣ ପର୍ଯ୍ୟନ୍ତ ପିଲା ଥିବା ସ୍କୁଲରେ ୧୨ରୁ ୧୫ ଜଣ ସଦସ୍ୟ ରହିବେ। ସେହିପରି ୧୦୦ ରୁ ୫୦୦ ପିଲା ଥିଲେ ୧୫ ରୁ ୨୦ ଜଣ ଏବଂ ୫୦୦ରୁ ଅଧିକ ପିଲା ଥିବା ବିଦ୍ୟାଳୟଗୁଡ଼ିକରେ ୨୦ ରୁ ୨୫ ଜଣ ସଦସ୍ୟଙ୍କୁ ନେଇ କମିଟି ଗଠନ କରାଯିବ।
ଏହି ନୂତନ କମିଟିରେ ସର୍ବମୋଟ ସଦସ୍ୟଙ୍କ ମଧ୍ୟରୁ ୭୫ ପ୍ରତିଶତ ସେହି ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ହେବେ। ସେହିପରି ମୋଟ ସଦସ୍ୟଙ୍କ ମଧ୍ୟରୁ ଅତିକମରେ ୫୦ ପ୍ରତିଶତ ମହିଳା ରହିବା ବାଧ୍ୟତାମୂଳକ କରାଯାଇଛି। ଏହାବ୍ୟତୀତ ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST), ପଛୁଆ ବର୍ଗ (OBC) ଏବଂ ସ୍ୱତନ୍ତ୍ର ଆବଶ୍ୟକତା ଥିବା ପିଲା (CWSN)ଙ୍କ ଅଭିଭାବକମାନଙ୍କୁ କମିଟିରେ ଉପଯୁକ୍ତ ପ୍ରତିନିଧିତ୍ୱ ଦିଆଯିବ।
ସରକାରଙ୍କ ପକ୍ଷରୁ ଏହି ପ୍ରକ୍ରିୟା ପାଇଁ କଡ଼ା ସମୟସୀମା ଧାର୍ଯ୍ୟ କରାଯାଇଛି। ଜୁଲାଇ ୧ ରୁ ୧୫ ତାରିଖ ମଧ୍ୟରେ ଅଭିଭାବକ-ଶିକ୍ଷକ ବୈଠକ (PTM) ଆୟୋଜନ କରାଯାଇ ସଦସ୍ୟ ମନୋନୟନ କିମ୍ବା ନିର୍ବାଚନ କରାଯିବ। ଜୁଲାଇ ୧୭ ତାରିଖ ସୁଦ୍ଧା କମିଟିକୁ ବିଧିବଦ୍ଧ ଭାବେ ଗଠନ କରାଯିବ ଏବଂ ଜୁଲାଇ ୨୨ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ଓ ପ୍ରସ୍ତାବ ଓସେପା (OSEPA) କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ। ଏହି କମିଟି ମୁଖ୍ୟତଃ ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ମଧ୍ୟାହ୍ନ ଭୋଜନ (MDM), ସ୍କୁଲ ଭିତ୍ତିଭୂମି, ସୁରକ୍ଷା ବ୍ୟବସ୍ଥା ଓ ଆର୍ଥିକ ପରିଚାଳନା ଉପରେ ନଜର ରଖିବ। ସମାଜର ଅଂଶଗ୍ରହଣ ବୃଦ୍ଧି ସହ ବିଦ୍ୟାଳୟଗୁଡ଼ିକର କାର୍ଯ୍ୟଶୈଳୀରେ ଉନ୍ନତି ଆଣିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।