ଅଟୋ ପାଇଲଟ ମୋଡରେ ଚାଲିଛି ସରକାର, ସ୍ଥାଣୁ ପାଲଟିଲାଣି ତୃଣମୂଳ ପ୍ରଶାସନ

ଭୁବନେଶ୍ୱର : ରାଜ୍ୟରେ ବିଜେପି ସରକାରକୁ ୧୦ ମାସ ପୂରିଲାଣି। ମାତ୍ର ସରକାରଙ୍କ କାର୍ଯ୍ୟକଳାପକୁ ନେଇ ସାଧାରଣରେ ଉତ୍ସାହ ପରିଲକ୍ଷିତ ହେଉନାହିଁ। ତୃଣମୂଳ ସ୍ତରରେ ବିକାଶମୂଳକ କାର୍ଯ୍ୟ ବନ୍ଦ ପଡ଼ିବା କିମ୍ବା ଉନ୍ନୟନମୂଳକ କାର୍ଯ୍ୟରେ ଅଗ୍ରଗତି ନହେବା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ରାଜ୍ୟ ସରକାରଙ୍କୁ ଜନତାଙ୍କ କାଠଗଡ଼ାରେ ଛିଡ଼ା କରାଇଛି। ଏପରିସ୍ଥିତିରେ ରାଜ୍ୟ ସରକାରଙ୍କ କାର୍ଯ୍ୟଦକ୍ଷତାକୁ ଆକଳନ କରି ସାଧାରଣଜନତା ‘କିଛି ତ ହେଉନି’ ଟ୍ୟାଗ୍‌ ଲାଇନ୍‌ ଦେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ମନ୍ତ୍ରୀ ଓ ବିଧାୟକ ମାନଙ୍କର […]

ଭୁବନେଶ୍ୱର : ରାଜ୍ୟରେ ବିଜେପି ସରକାରକୁ ୧୦ ମାସ ପୂରିଲାଣି। ମାତ୍ର ସରକାରଙ୍କ କାର୍ଯ୍ୟକଳାପକୁ ନେଇ ସାଧାରଣରେ ଉତ୍ସାହ ପରିଲକ୍ଷିତ ହେଉନାହିଁ। ତୃଣମୂଳ ସ୍ତରରେ ବିକାଶମୂଳକ କାର୍ଯ୍ୟ ବନ୍ଦ ପଡ଼ିବା କିମ୍ବା ଉନ୍ନୟନମୂଳକ କାର୍ଯ୍ୟରେ ଅଗ୍ରଗତି ନହେବା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ରାଜ୍ୟ ସରକାରଙ୍କୁ ଜନତାଙ୍କ କାଠଗଡ଼ାରେ ଛିଡ଼ା କରାଇଛି। ଏପରିସ୍ଥିତିରେ ରାଜ୍ୟ ସରକାରଙ୍କ କାର୍ଯ୍ୟଦକ୍ଷତାକୁ ଆକଳନ କରି ସାଧାରଣଜନତା ‘କିଛି ତ ହେଉନି’ ଟ୍ୟାଗ୍‌ ଲାଇନ୍‌ ଦେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ମନ୍ତ୍ରୀ ଓ ବିଧାୟକ ମାନଙ୍କର ପ୍ରଶାସନରେ ମାତ୍ରାଧିକ ହସ୍ତକ୍ଷେପ ଅମଲାତନ୍ତ୍ରର ମନୋବଳକୁ ଦୋହଲାଇ ଦେଇଛି। ଏପରି ସ୍ଥିତିରେ ରାଜ୍ୟରେ ପ୍ରଶାସନିକ ସ୍ଥାଣୁତାର ଉପୁଜିବାର ଆଶଙ୍କା ଦେଖାଦେଇଛି। ଏପରିକି ରାଜ୍ୟ ସରକାର ଏବେ ଏକ ପ୍ରକାର ‘ଅଟୋ ପାଇଲଟ ମୋଡ’ରେ ଚାଲୁଥିବା ନେଇ ବୁଦ୍ଧିଜୀବୀ ମହଲ ମତ ଦେଉଥିବା ବେଳେ ସରକାରଙ୍କ ଦକ୍ଷତା ପରିପ୍ରେକ୍ଷିରେ ଜନତାଙ୍କ ‘କିଛି ତ ହେଉନି’ ଉପାଖ୍ୟାନକୁ ନେଇ ବରିଷ୍ଠ ସାମ୍ବାଦିକ ରୁବେନ୍‌ ବାନାର୍ଜୀଙ୍କ ମନ୍ତବ୍ୟ ରାଜନୈତିକ ମହଲରେ ଚର୍ଚ୍ଚାକୁ ରୋଚକ ମୋଡ଼ ଦେଇଛି।

ପୂର୍ବରୁ ରାଜ୍ୟରେ ବିଜେପି ଶାସନ ଭାର ସମ୍ଭାଳିବା ପରେ ରୁବେନ୍‌ ରାଜ୍ୟ ସରକାରଙ୍କ ପ୍ରଶଂସାରେ ଶତମୁଖ ଥୁବା ବେଳେ ଏବେ ସରକାରଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ନିକଟରେ ସେ ଓଡ଼ିଶା ଆସିଥିବା ବେଳେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିଥିଲେ। ଓଡ଼ିଶା କେମିତି ଚାଲିଛି ବୋଲି ପଚାରିଥିଲେ। ୧୦୦ରୁ ୯୦ ଜଣ ରାଜ୍ୟରେ କିଛି ତ ହେଉନି ବୋଲି ମତ ଦେଇଥିବା ନେଇ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ରୁବେନ୍‌ ପ୍ରକାଶ କରିଛନ୍ତି। ଏପରିକି ‘କିଛି ତ ହେଉନି’କୁ ରାଜ୍ୟ ସରକାର ‘ଷ୍ଟେଟ୍‌ ସେଣ୍ଟେନ୍ସ’ ବା ଆପ୍ତବାକ୍ୟରେ ପରିଣତ କରିଦେବା ଉଚିତ୍‌ ବୋଲି ସେ ମତ ଦେଇଛନ୍ତି। ରୁବେନଙ୍କ ଏହି ପୋଷ୍ଟକୁ ନେଇ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କହିଛନ୍ତି ଯେ ଇଏ ସେଇ ରୁବେନ ବାବୁ ଯିଏ, ସରକାର ପରିବର୍ତ୍ତନ ହେବା ପରେ ବିଜେପି ଓ ମୋହନ ସରକାରକୁ ପ୍ରଶଂସାରେ ପୋତି ପକାଉଥିଲେ। ଏବେ ସେ ବି ବୁଝିଗଲେଣି ଯେ ରାଜ୍ୟରେ କିଛି ତ ହେଉନି।

ସୂଚନାଯୋଗ୍ୟ ଯେ ଗତ ସାଧାରଣ ନିର୍ବାଚନରେ ଏକାଧିକ ଲୋଭନୀୟ ପ୍ରତିଶ୍ରୁତିକୁ ଦେଇ କ୍ଷମତାକୁ ଆସିଥିଲା ବିଜେପି। ଗତ ୧୦ ମାସରେ ମଧ୍ୟରେ କେବଳ ସୁଭଦ୍ରାକୁ ଛାଡ଼ି ସରକାର ସେପରି କୌଣସି ଆଖିଦୃଶିଆ ଯୋଜନାର କାର୍ଯ୍ୟାନ୍ବୟନ କରିପାରି ନାହାନ୍ତି। ଏପରିକି ଆୟୂଷ୍ମାନ, ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ଦିଆଯିବାକୁ ଥିବା ନୂଆ ରାସନ୍‌ କାର୍ଡକୁ ନେଇ ମଧ୍ୟ ସାଧାରଣରେ ଦ୍ବନ୍ଦ୍ବ ଉପୁଜିଛି। ଏଥିସହ ସାଧାରଣରେ ଏକ ସ୍ପଷ୍ଟ ଚିତ୍ର ରଖିବାରେ ସରକାର ଅସମର୍ଥ ହୋଇଛନ୍ତି।

ଅପରପକ୍ଷେ ଗତ ୬ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ୨ ଥର ବଦଳିଥିବା ବେଳେ ଗତ ଶୁକ୍ରବାର ଗୋଟିଏ ଦିନରେ ଦୁଇ ବରିଷ୍ଠ ଆଇଏଏସ ନିକୁଞ୍ଜ ବିହାରୀ ଧଳ, ବୀର ବିକ୍ରମ ଯାଦବ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ସ୍ଥିରୀକୃତ ହୋଇଛି। ରାଜ୍ୟରେ ବର୍ତ୍ତମାନ ୬୭ ଆଇଏଏସ, ୬୯ ଆଇପିଏସ ପଦବୀ ଖାଲି ରହିଛି। ଜଣେ ଜଣେ ଆଇଏଏସ ଏକାଧିକ ବିଭାଗ ବୁଝୁଛନ୍ତି। ଅଫିସର ସଙ୍କଟକୁ ନେଇ ରାଜ୍ୟ ସରକାର ସନ୍ତୁଳି ହେଉଥିବା ବେଳେ ରାଜ୍ୟର ଅଫିସରମାନେ କେନ୍ଦ୍ରକୁ ଏପରି ଢଙ୍ଗରେ ଚାଲିଯିବା ରାଜ୍ୟ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ପ୍ରଶାସନିକ ମହଲରେ ମତ ପ୍ରକାଶ ପାଇଛି। କେବଳ ବରିଷ୍ଠ ପ୍ରଶାସନିକ ଅଧିକାରୀ ସ୍ତରରେ ନୁହେଁ, ବରଂ ରାଜ୍ୟବ୍ୟାପୀ ତୃଣମୂଳ ସ୍ତର ଯାଏଁ ପ୍ରଶାସନିକ ସ୍ଥାଣୁତା ଭାଇରସ୍‌ ପରି ମାଡିଗଲାଣି।

ଅନ୍ୟପକ୍ଷରେ ମାଗଣା ବିଜୁଳି, ସରକାର ଗଢ଼ିବାର ୨୪ ଘଣ୍ଟା ମଧ୍ୟରେ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ପରି ପ୍ରତିଶ୍ରୁତି ଧୂଆଁବାଣ ସାଜିଥିବା ବେଳେ ଅନ୍ୟ କେତେକ ପ୍ରତିଶ୍ରୁତିକୁ ଯେନତେନ ଉପାୟରେ ପୂରଣ କରିବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି।
ଏନେଇ କଂଗ୍ରେସ ମୁଖପାତ୍ର ଡ. ମନୀଷା ଦାସ ମହାପାତ୍ର ସାମାଜିକ ଗଣମାଧ୍ୟମରେ ମତପ୍ରକାଶ କରି କହିଛନ୍ତି ଯେ ଏଇ ସରକାରକୁ ୧୦ ମାସ ପୂରିଲାଣି; ମାତ୍ର ଏମାନେ କେବଳ ଫିତା କାଟିବା, ରଙ୍ଗ ଲିଭେଇବା ଛଡ଼ା ଅନ୍ୟ କିଛି କରି ନାହାନ୍ତି। ଓଡ଼ିଶାରେ କିଛି ତ ହେଉନି।

ସେହିପରି ପୂର୍ବତନ ବରିଷ୍ଠ ପ୍ରଶାସକ ପ୍ରସନ୍ନ ମିଶ୍ରଙ୍କଠାରୁ ଆରମ୍ଭ କରି ଏକାଧିକ ବୁଦ୍ଧିଜୀବୀ ମଧ୍ୟ ରାଜ୍ୟ ସରକାରଙ୍କ ଚାଲିଚଳଣୀକୁ ସାମାଜିକ ଗଣମାଧ୍ୟମରେ ବେଶ୍‌ ସମାଲୋଚନା କରୁଛନ୍ତି। ମାତ୍ର ୧୦ ମାସର ଅବଧି ମଧ୍ୟରେ ସରକାରଙ୍କ ବିରୋଧରେ ଏପରି ଜନମତକୁ ନେଇ ମୋହନ ସରକାର ସତର୍କ ଏବଂ ସଚେତନ ହେବା ଆବଶ୍ୟକ। ନହେଲେ ଏହା ସରକାରଙ୍କ ପାଇଁ ବୁମେରାଂ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

About The Author: The Sakala