ଅସହ୍ୟ ହେଲାଣି ମୁଣ୍ଡଫଟା ଚଇତି ତାତି : ଗ୍ରୀଷ୍ମ ମୁକାବିଲା ବୈଠକ ଡାକିଲେ ଏସ୍‌ଆର୍‌ସି

ଭୁବନେଶ୍ୱର : ଗତ ୩ ଦିନ ହେବ ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଛି। ପହିଲି ଚୈତ୍ରରୁ ରାଜ୍ୟର ତାପମାତ୍ରା ୪୦ ଛୁଇଁଛି। ଗୋଟିଏ ଦିନରେ ଗତକାଲି ଏକାବେଳେ ୫ ଟି ସହରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବା ବୈଶାଖରେ ତାତି ଆହୁରି ବଢ଼ିବା ନେଇ ଆକଳନ କରାଯାଉଛି। ଫଳରେ ରାଜ୍ୟବାସୀ ଏପ୍ରିଲ ମାସରେ ତାତି ଓ ଗୁଳୁଗୁଳିରେ ସିଝିବା ଆଶଙ୍କା ସୃଷ୍ଟି ହୋଇଛି। ଶୁକ୍ରବାର ଟିଟିଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡ଼ ସହରର […]

ଭୁବନେଶ୍ୱର : ଗତ ୩ ଦିନ ହେବ ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଛି। ପହିଲି ଚୈତ୍ରରୁ ରାଜ୍ୟର ତାପମାତ୍ରା ୪୦ ଛୁଇଁଛି। ଗୋଟିଏ ଦିନରେ ଗତକାଲି ଏକାବେଳେ ୫ ଟି ସହରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବା ବୈଶାଖରେ ତାତି ଆହୁରି ବଢ଼ିବା ନେଇ ଆକଳନ କରାଯାଉଛି। ଫଳରେ ରାଜ୍ୟବାସୀ ଏପ୍ରିଲ ମାସରେ ତାତି ଓ ଗୁଳୁଗୁଳିରେ ସିଝିବା ଆଶଙ୍କା ସୃଷ୍ଟି ହୋଇଛି। ଶୁକ୍ରବାର ଟିଟିଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡ଼ ସହରର ତାପମାତ୍ରା ୪୦ରେ ପହଞ୍ଚିଛି ।

ଅନ୍ୟପଟେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏଥିପାଇଁ ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ଓ ଗୁଳୁଗୁଳି ଜନିତ ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‌ କୁହାଯାଇଛି ଏଭଳି ସ୍ଥିତି ଯୋଗୁଁ ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶାର ଏକାଧିକ ସ୍ଥାନରେ ତାପମାତ୍ରା ୩୮-୪୦ ଡିଗ୍ରୀ ଓ ଉପକୂଳ ଓଡ଼ିଶାରେ ତାପମାତ୍ରା ୩୬-୩୮ ଡିଗ୍ରୀ ମଧ୍ୟରେ ରହିବାର ସମ୍ଭାବନା ରହିଛି। ସେହିପରି ତାପମାତ୍ରା ସହିତ ଉପକୂଳ ଓଡ଼ିଶାରେ ୫୦-୭୦ ପ୍ରତିଶତ ଆର୍ଦ୍ରତା ରହିବା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହା ୩୦-୫୦ ପ୍ରତିଶତ ମଧ୍ୟରେ ରହିବାର ସମ୍ଭାବନା ରହିଛି। ତେଣୁ ତାତି ଓ ଗୁଳୁଗୁଳିରେ ଲୋକେ ଅସହଜ ଅନୁଭବ କରିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସକାଳ ୧୦ ଟାରୁ ଅପରାହ୍ଣ ୩ଟା ମଧ୍ୟରେ ବାହାରକୁ ବାହାରୁ ଥିଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ସାରା ରାଜ୍ୟରେ ତାତି ଆହୁରି ବଢ଼ିବ। ଶନିବାରଠାରୁ ଭୁବନେଶ୍ୱର ସମେତ ସମଗ୍ର ଉପକୂଳରେ ତାପମାତ୍ରା ବଢ଼ିବ। ସମ୍ଭବତଃ ଏପ୍ରିଲ ୧ ତାରିଖରେ ଭୁବନେଶ୍ୱରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିପାରେ। ଉତ୍ତର ଉପକୂଳ, ଉତ୍ତର ଆଭ୍ୟନ୍ତରୀଣ ଓ କେନ୍ଦ୍ରୀୟ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ମଧ୍ୟ ସମ୍ଭାବନା ରହିଛି। ଆସନ୍ତା ୩ ଭିତରେ ଆଉ ୧ ଡିଗ୍ରୀ ସେଲସିୟସ ତାପମାତ୍ରା ବଢ଼ିପାରେ। ତେବେ ସପ୍ତାହେ ପର୍ଯ୍ୟନ୍ତ ତାତି କମିବାର ସମ୍ଭାବନା ନ ଥିବା ବେଳେ ଏପ୍ରିଲ୍‌ ୨ ତାରିଖରେ ଭୁବନେଶ୍ୱର ରାଜ୍ୟର ସବୁୁଠାରୁ ଉତ୍ତପ୍ତ ସହର ହୋଇପାରେ ଏବଂ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ ଅତିକ୍ରମ କରିପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଗ୍ରୀଷ୍ମ ମୁକାବିଲା ବୈଠକ ଡାକିଲେ ଏସ୍‌ଆର୍‌ସି

ରାଜ୍ୟରେ ଟାଣ ଖରା ଆରମ୍ଭ ହୋଇଯାଇଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିସନରଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ନିଷ୍ପତ୍ତି ହୋଇଛି। ଏହି ବୈଠକେରେ ଚଳିତ ଗ୍ରୀଷ୍ମ ଋତୁର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରାଯିବ। ଏଥିପାଇଁ ଏହି ବୈଠକରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକଙ୍କ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ ବୋଲି ଜଣାପଡ଼ିଛି।

ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟରୁ ଅତିରିକ୍ତ ଏସ୍‌ଆର୍‌ସି ପଦ୍ମନାଭ ବେହେରା ଏନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପଞ୍ଚାୟତରାଜ ଓ ପାନୀଜଳ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଏମ୍‌ଏସ୍‌ଏମ୍‌ଇ, ଏସ୍‌ଏସ୍‌ପିଇଡି, ଶିଳ୍ପ, ବାଣିଜ୍ୟ ଓ ପରିବହନ ବିଭାଗ ଓ ଦକ୍ଷତା ବିକାଶ ଓ ବୈଶଷିୟକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଏବଂ ସ୍ୱାସ୍ଥ୍ୟ ବିଭାଗ, କ୍ରୀଡ଼ା ବିଭାଗ, ଉଚ୍ଚ ଶିକ୍ଷା, ଗଣ ଶିକ୍ଷା ଓ ଶ୍ରମ ବିଭାଗର ସଚିବଙ୍କୁ ପତ୍ର ଲେଖି ବୈଠକରେ ଉପସ୍ଥିତ ରହିବାକୁ ଅବଗତ କରାଇଛନ୍ତି। ଶନିବାର ସାଢେ଼ ୩ ଟାରେ ଭର୍ଚ୍ଚୁଆଲ୍‌ ମୋଡ୍‌ରେ ଏହି ବୈଠକ ହେବ ବୋଲି ନିଷ୍ପତ୍ତି ହୋଇଛି। ଏହି ବୈଠକରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଓଏସ୍‌ଡମା)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

About The Author: The Sakala