ଆପଦକାଳୀନ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପ : ନିମ୍ନଗାମୀ ଅର୍ଥନୀତିକୁ ଦୂରେଇ ରଖିବ ବଜେଟ ସ୍ଥିରୀକରଣ ପାଣ୍ଠି

ଭୁବନେଶ୍ୱର : ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ଓଡ଼ିଶାକୁ ଦେଶର ଅନ୍ୟ ରାଜ୍ୟଠାରୁ ଭିନ୍ନ କରିଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ବିଭିନ୍ନ ସମୟରେ କେନ୍ଦ୍ର ସରକାର ଓ ଅର୍ଥ ମନ୍ତ୍ରଣାଳୟ ପ୍ରଶଂସା କରିଛି। ରିଜର୍ଭ ବ୍ୟାଙ୍କ ଓ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମଧ୍ୟ ଓଡ଼ିଶାର ବିତ୍ତୀୟ ପରିଚାଳନାକୁ ପ୍ରଶଂସନୀୟ ବୋଲି କହିଛନ୍ତି। କୋଭିଡ଼ ମହାମାରୀ ସମୟରେ ଦେଶର ବିଭିନ୍ନ ବଡ଼ବଡ଼ ରାଜ୍ୟର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିବାବେଳେ ନିଜର ଆର୍ଥିକ ନୀତି ଯୋଗୁଁ ଓଡ଼ିଶା ମଜବୁତ୍‍ ରହିବାରେ ସକ୍ଷମ ହୋଇଛି। […]

ଭୁବନେଶ୍ୱର : ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ଓଡ଼ିଶାକୁ ଦେଶର ଅନ୍ୟ ରାଜ୍ୟଠାରୁ ଭିନ୍ନ କରିଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ବିଭିନ୍ନ ସମୟରେ କେନ୍ଦ୍ର ସରକାର ଓ ଅର୍ଥ ମନ୍ତ୍ରଣାଳୟ ପ୍ରଶଂସା କରିଛି। ରିଜର୍ଭ ବ୍ୟାଙ୍କ ଓ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମଧ୍ୟ ଓଡ଼ିଶାର ବିତ୍ତୀୟ ପରିଚାଳନାକୁ ପ୍ରଶଂସନୀୟ ବୋଲି କହିଛନ୍ତି। କୋଭିଡ଼ ମହାମାରୀ ସମୟରେ ଦେଶର ବିଭିନ୍ନ ବଡ଼ବଡ଼ ରାଜ୍ୟର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିବାବେଳେ ନିଜର ଆର୍ଥିକ ନୀତି ଯୋଗୁଁ ଓଡ଼ିଶା ମଜବୁତ୍‍ ରହିବାରେ ସକ୍ଷମ ହୋଇଛି।

ଏହି ପରିପ୍ରେକ୍ଷୀରେ ଅସମୟ ସ୍ଥିତି ଓ ବିତ୍ତୀୟ ଆପଦର ମୁକାବିଲା କରିବା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବରେ ରାଜ୍ୟ ସରକାର ସୃଷ୍ଟି କରିଛନ୍ତି ବଜେଟ ସ୍ଥିରୀକରଣ ପାଣ୍ଠି। ଆପଦକାଳୀନ ପରିଚାଳନା ପାଇଁ ଏହା ସୁରକ୍ଷା କବଚ ସାଜିବ। ରାଜସ୍ୱ ନିଅଣ୍ଟ, କେନ୍ଦ୍ରୀୟ କାର୍ଯ୍ୟକ୍ରମରେ ଅର୍ଥ ମିଳିବାରେ ବିଳମ୍ବ ଓ ଅତ୍ୟାବଶ୍ୟକ ସମୟର ମୁକାବିଲା ନିମନ୍ତେ ଆଗୁଆ ପଦକ୍ଷେପ ଗ୍ରହଣ କରିଛି ରାଜ୍ୟ। ଏଥିପାଇଁ ବଜେଟରେ ୧୦ ହଜାର କୋଟି ଟଙ୍କା ବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‍ କରି ଏହି ବ୍ୟବସ୍ଥାକୁ ପ୍ରଶଂସା କରିବା ସହ ବିତ୍ତୀୟ ଆପଦର ମୁକାବିଲା କରିବା ପାଇଁ ଏ ଧରଣର ପଦକ୍ଷେପ ଦେଶରେ ପ୍ରଥମ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।


ଦୁଇ ଦଶନ୍ଧି ପୂର୍ବରୁ ଓଡ଼ିଶାର ଆର୍ଥିକ ଚିତ୍ର ଥିଲା ଅତ୍ୟନ୍ତ ଦୁର୍ବଳ। କେନ୍ଦ୍ରର ହାତଟେକା ଅନୁଦାନ ଉପରେ ରାଜ୍ୟକୁ ନିର୍ଭର କରିବାକୁ ପଡୁଥିଲା। ଏଥିପାଇଁ କେନ୍ଦ୍ର ନିକଟରେ ରାଜ୍ୟକୁ ଲାଞ୍ଛିତ ହେବାକୁ ପଡ଼ୁଥିଲା। ‘ଟଙ୍କା ଗଛରେ ଫଳେ ନାହିଁ’ ବୋଲି ମୁହଁ ଛିଚଡ଼ା ଆକ୍ଷେପକୁ ସହ୍ୟ କରିବାକୁ ପଡ଼ୁଥିଲା। ମାତ୍ର ରାଜ୍ୟ ସରକାରଙ୍କ ବିତ୍ତୀୟ ପରିଚାଳନା ଏବେ ଦେଶରେ ଓଡ଼ିଶାକୁ ପ୍ରତିଷ୍ଠିତ କରିଛି, ଭିନ୍ନ ପରିଚୟ ଦେଇଛି।କେନ୍ଦ୍ର ଉପରେ ନିର୍ଭରଶୀଳତା ଅନେକ ପରିମାଣରେ ହ୍ରାସ ପାଇଛି। ଏହା ସତ୍ତ୍ବେ ଆଗୁଆ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ବିପରୀତ ପରିସ୍ଥିତିରେ ଅତ୍ୟାବଶ୍ୟକୀୟ ଆବଶ୍ୟକତା ପରିପୂରଣ ପାଇଁ ବଜେଟ୍‍ ସ୍ଥିରୀକରଣ ପାଣ୍ଠି ଗଠନ କରିଛନ୍ତି।

କେନ୍ଦ୍ର ସରକାର ଠିକ୍‍ ସମୟରେ ଓଡ଼ିଶାକୁ ଜିଏସ୍‍ଟି ଭରଣା ରାଶି ପ୍ରଦାନ କରୁ ନାହାନ୍ତି। ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଓ କେନ୍ଦ୍ରୀୟ ଅନୁଦାନ ଭିତ୍ତିକ କାର୍ଯ୍ୟକ୍ରମ ପାଇଁ ଠିକ୍‍ ସମୟରେ ପାଣ୍ଠି ଆସୁନାହିଁ। ମନରେଗା ପରି କାର୍ଯ୍ୟକ୍ରମ ପାଇଁ ରାଶି ମିଳିବା ବିଳମ୍ବ ଯୋଗୁଁ ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବିଭିନ୍ନ ପ୍ରକଳ୍ପଗୁଡ଼ିକ ନିମନ୍ତେ କେନ୍ଦ୍ରୀୟ ସହାୟତା ବିଳମ୍ବିତ ହେବା ଯୋଗୁଁ ଏହାର ବ୍ୟୟ ଅଟକଳ ବୃଦ୍ଧି ପାଉଛି। ଚାଷୀ ପ୍ରଧାନ ରାଜ୍ୟ ଓଡ଼ିଶାରେ ଖରିଫ ଏବଂ ରବି ଭଳି ୨ଟି ଋତୁରେ ଧାନ କ୍ରୟ ହୋଇଥାଏ। ଚାଷୀଙ୍କ ଠାରୁ ଧାନକ୍ରୟର ୨୪ରୁ ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ଚାଷୀ ଆକାଉଣ୍ଟରେ ଟଙ୍କା ପୈଠ କରୁଛନ୍ତି। ଏହାକୁ ସୁନିଶ୍ଚିତ କରିବା ନେଇ ଯୋଗାଣ ନିଗମକୁ ଅଯଥା ଋଣ କରିବାକୁ ପଡୁଛି। ଏହି ସବୁ ପରିସ୍ଥିତିରେ ରାଜ୍ୟ ପ୍ରଶାସନ ଦୁର୍ବଳ ଶ୍ରେଣୀଙ୍କୁ କାମ, ଚାଷୀଙ୍କୁ ସହାୟତା ଏବଂ ଅନ୍ୟ ଜନ କଲ୍ୟାଣ ଯୋଜନା ଚାଲୁ ରଖିବା ପାଇଁ ନିଜସ୍ୱ ବିତ୍ତୀୟ ପରିଚାଳନାକୁ ଗୁରୁତ୍ୱ ଦେଇଛନ୍ତି। ଏହାକୁ ଲକ୍ଷ୍ୟ ରଖି ହିଁ ବଜେଟ ସ୍ଥିରୀକରଣ ପାଣ୍ଠି(ଷ୍ଟାବିଲାଇଜେସନ ଫଣ୍ଡ) ଗଠନ କରାଯାଇଥିବା କୁହାଯାଉଛି।

ଏଭଳି ଧରଣର ପାଣ୍ଠି ଗଠନ ଦିଗରେ ଓଡ଼ିଶାର ପଦକ୍ଷେପ ସମଗ୍ର ଦେଶରେ ପ୍ରଥମ ରାଜ୍ୟରେ ପରିଣତ ହୋଇଛି। ଅପ୍ରତ୍ୟାଶିତ ରାଜସ୍ୱ ଅଭାବ କିମ୍ବା ବଜେଟ୍‍ ନିଅଣ୍ଟ ସମୟରେ ଏହି ପାଣ୍ଠିକୁ ଉପଯୋଗ କରାଯାଇପାରିବ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି। ବିଗତ ୨ ବର୍ଷ କରୋନା ମହାମାରୀ ମଧ୍ୟରେ ଅତିବାହିତ ହୋଇଛି। ବିଶ୍ୱ ଏବଂ ଦେଶର ଅର୍ଥନୀତି ନିମ୍ନଗାମୀ ହୋଇଛି, ମାତ୍ର ସମାନ ସମୟରେ ଓଡ଼ିଶାର ଅର୍ଥନୀତି ଊର୍ଦ୍ଧ୍ବଗାମୀ ରହିଛି। ଏହାର ସିଂହଭାଗ ଶ୍ରେୟ ଖଣି ରାଜସ୍ୱ ଏବଂ ବିତ୍ତୀୟ ପରିଚାଳନାକୁ ଯାଉଛି। ହେଲେ ଖଣିଜ ସମ୍ପଦର ଅସ୍ଥିର ମୂଲ୍ୟ ଯୋଗୁଁ ରାଜସ୍ୱ ହ୍ରାସବୃଦ୍ଧିର ସମ୍ଭାବନା ରହିଛି। ଏହାର ମୂଲ୍ୟ କେତେବେଳେ ଆକାଶଛୁଆଁ ତ କେତେବେଳେ ସାଧାରଣ ରହିଥାଏ। ତେଣୁ ଅନୁକୂଳ ମୂଲ୍ୟ ନ ଥିବା ସମୟରେ ସ୍ଥିରୀକୃତ ପାଣ୍ଠିର ବିନିଯୋଗ ହିଁ ରାଜ୍ୟ ଅର୍ଥନୀତି ପାଇଁ ସଞ୍ଜିବନୀ ସଦୃଶ ହେବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

ଗତ ଦୁଇବର୍ଷ ମଧ୍ୟରେ ଲିଜ୍‍ ନବୀକରଣ ହେତୁ ଖଣିଜ ରାଜସ୍ୱର ଯଥେଷ୍ଟ ଅଧିକ ସଂଗ୍ରହ ହୋଇଛି। ଏହାଦ୍ୱାରା ମହାମାରୀ ସମୟରେ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ ସହ ଜୀବିକା ଉପାର୍ଜନର ସୁଯୋଗ ସୃଷ୍ଟି ପାଇଁ ସରକାରୀ ବ୍ୟୟବୃଦ୍ଧି କରାଯାଇ ପାରିଛି। ଅନ୍ତର୍ଜାତୀୟ ବଜାରରେ ଉକ୍ତ ଦ୍ରବ୍ୟର ଅସ୍ଥିରତା ଯୋଗୁଁ ମୂଲ୍ୟହ୍ରାସ ଘଟିଲେ ଏହାର ପ୍ରଭାବରେ ରାଜ୍ୟ ବଜେଟ ଏବଂ ସରକାରୀ ବ୍ୟୟ ନିଶ୍ଚିତ ନକରାତ୍ମକ ପ୍ରଭାବ ଆଣିବ। ତେଣୁ ରାଜ୍ୟ ବଜେଟ ଉପରେ ବିଭିନ୍ନ ଧାତୁର ହଠାତ୍‍ ମୂଲ୍ୟ ହ୍ରାସ ଜନିତ ପ୍ରଭାବକୁ ନିଷ୍କ୍ରିୟ କରିବା ପାଇଁ ରାଜ୍ୟ ସରକାର ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଥିବା ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି। ଆଇଏମ୍‍ଏଫ୍‍ ମୁଖ୍ୟାଳୟରେ ବାର୍ଷିକ ସ୍ପ୍ରିଙ୍ଗ୍‍ ମିଟିଂ-୨୦୨୨ରେ ଗତ ୧୯ ଏପ୍ରିଲ ଆୟୋଜିତ ହୋଇଥିଲା। ଏହି ସମୟରେ ବିଲ୍ଡିଂ କାପାସିଟି ଇନ୍‍ ମ୍ୟାନେଜିଂ ଫିସକାଲ ରିସ୍କ: ଏ ନିଉ ଫିସକାଲ ରିସ୍କ ଟୁଲ୍‍ କିଟ୍‍ ଅଧିବେସନରେ ଓଡ଼ିଶାର ବିତ୍ତୀୟ ଆପାଦ ପରିଚାଳନା ଅଭିଜ୍ଞତାକୁ ଏକ କେସ୍‍ ଷ୍ଟଡି ଭାବେ ଉପସ୍ଥାପିତ କରାଯାଇଥିଲା। ଏବେ ଭବିଷ୍ୟତ ବିତ୍ତୀୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ଅର୍ଥନୀତିଜ୍ଞମାନେ ଦୂରଦର୍ଶୀ ପଦକ୍ଷେପ ଭାବରେ ବର୍ଣ୍ଣନା କରିଛନ୍ତି।

About The Author: The Sakala