ଭୁବନେଶ୍ୱର: ନିଯୁକ୍ତି ପାଇଁ ଆବେଦନ ବୟସ ସୀମା ବଢ଼ାଇ ୪୨ ବର୍ଷ କରିଛନ୍ତି ସରକାର। ମାତ୍ର ଏହାକୁ ମାନୁ ନାହାନ୍ତି ସରକାରୀ ଉଦ୍ୟୋଗ ବା ପିଏସ୍ୟୁ। ନୂତନ ଆଇନ୍କୁ ପୁନଃ ସଂଶୋଧନ କରା ନ ଗଲେ ପିଏସ୍ୟୁମାନେ ସରକାରଙ୍କ ଏହି ନିୟମକୁ ପାଳନ କରିବେ ନାହିଁ ବୋଲି ମଧ୍ୟ ରୋକଠୋକ୍ ଶୁଣାଇଛନ୍ତି। ଏପରିକି ନିକଟରେ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ (ଓଏଚ୍ପିସି) ପକ୍ଷରୁ ପ୍ରକାଶ ପାଇଥିବା ନିଯୁକ୍ତି ବିଜ୍ଞପ୍ତିରେ ବୟସ ସୀମା ୩୨ ବର୍ଷ ରଖାଯାଇଥିବାରୁ ବହୁ ଆଶାୟୀ ଆବେଦନ କରିବାରୁ ବଞ୍ଚିତ ହୋଇଛନ୍ତି। ବୟସ ବୃଦ୍ଧିକୁ ନେଇ ସରକାର ଓ ସରକାରୀ ଉଦ୍ୟୋଗ ମଧ୍ୟରେ ତାଳମେଳ ରହୁନାହିଁ। ଖୋଦ୍ ମୁଖ୍ୟମନ୍ତ୍ରୀ ସାଧାରଣ ସଭାରେ ସମସ୍ତ ପ୍ରକାର ନିଯୁକ୍ତି ପାଇଁ ବୟସ ୪୨ ବର୍ଷକୁ ବୃଦ୍ଧି କରାଯାଇଥିବା କହୁଛନ୍ତି। ଏହାକୁ ଏକ ଐତିହାସିକ ନିଷ୍ପତ୍ତି ବୋଲି ମଧ୍ୟ ସରକାର କହୁଛନ୍ତି। ଅପରପକ୍ଷରେ ଓଏଚ୍ପିସି ପକ୍ଷରୁ ଗତ ନଭେମ୍ବର ୭ ତାରିଖରେ ମୋଟ୍ ୨୭ଟି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାଳେ ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷ ରଖାଯାଇଛି। ଏ ସମ୍ପର୍କରେ ଓଏଚ୍ପିସିର ବରିଷ୍ଠ ଅଧିକାରୀଙ୍କ କହିବା କଥା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିଯୁକ୍ତି ସଂକ୍ରନ୍ତୀୟ ଆଇନ୍ରେ କରାଯାଇଥିବା ସଂଶୋଧନରେ ତ୍ରୁଟି ରହିଛି। ସଂଶୋଧିତ ନିୟମରେ ଅନ୍ୟ ସମସ୍ତ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାମାନଙ୍କ ନାମ ଉଲ୍ଲେଖ ଥିବାବେଳେ ପିଏସ୍ୟୁ ଉଲ୍ଲେଖ କରାଯାଇ ନାହିଁ। ଏଣୁ ନୂତନ ନିୟମର ପୁନଃ ସଂଶୋଧନ ବିନା ବୟସ ବୃଦ୍ଧି କରାଯାଇ ପାରିବ ନାହିଁ। ବୟସ ବୃଦ୍ଧିକୁ ସରକାର ଐତିହାସିକ ନିଷ୍ପତ୍ତି କହୁଥିବା ବେଳେ ପିଏସ୍ୟୁମାନେ କିପରି ପାଳନ କରୁନାହାନ୍ତି ବୋଲି ଆଶାୟୀମାନେ ପ୍ରଶ୍ନ କରୁଛନ୍ତି।
ଓଏଚ୍ପିସି ପକ୍ଷରୁ ଶେଷଥର ପାଇଁ ୨୦୨୨ରେ ପ୍ରକାଶିତ ବିଜ୍ଞପ୍ତିରେ ସର୍ବୋଚ୍ଚ ବୟସ ସୀମା ୩୮ ବର୍ଷ ଥିଲା। ଚଳିତଥର ଏହାକୁ ବଢ଼ାଇବା ବଦଳରେ କମାଇ ଦିଆଯାଇଛି। କୋଭିଡ୍ ପାଇଁ ୨୦୨୨ରେ ବୟସ ସୀମାରେ କୋହଳ କରାଯାଇଥିଲା ଏବଂ ଏହାକୁ ଚଳିତ ଥର ଉଠାଇ ଦିଆଯାଇ ୩୨ ବର୍ଷ କରାଯାଇଥିବା ଓଏଚ୍ପିସି କର୍ତ୍ତୃପକ୍ଷ ସଫେଇ ଦେଉଛନ୍ତି। ଓଏଚ୍ପିସି ବୟସ ବୃଦ୍ଧି ନ କରିବା ବିରୋଧରେ ବହୁ ଆଶାୟୀ ଗତ ମାସରେ ରାଜ୍ୟପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଓଏଚ୍ପିସି ଏମ୍ଡିଙ୍କୁ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଏଯାଏଁ କୌଣସି ସୁଫଳ ମିଳିନାହିଁ। ରାଜ୍ୟରେ ମୋଟ୍ ୩୧ ଟି ସରକାରୀ ଉଦ୍ୟୋଗ ଥିବାବେଳେ ସମୁଦାୟ ୨୫ ହଜାର ୨୯୩ ଟି ମଞ୍ଜୁରୀପ୍ରାପ୍ତ ପଦ ରହିଛି। ତନ୍ମଧ୍ୟରେ ମାତ୍ର ୯୮୫୩ ଜଣ ନିୟମିତ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ଅର୍ଥାତ୍ ଆହୁରି ୧୫ ହଜାର ୪୪୦ ଟି ପଦରେ ନିଯୁକ୍ତି ହେବ। ବୟସ ବୃଦ୍ଧି କରା ନ ଗଲେ ବହୁ ଦିନରୁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପୁଣି ଅନ୍ଧକାରମୟ ହୋଇଯିବ ବୋଲି ଆଶାୟୀ ସୁନିଲ କୁମାର ମିଶ୍ର ଅଭିଯୋଗ କରିଛନ୍ତି। ତୁରନ୍ତ ସରକାର ଏହି ବିଷୟକୁ ଗୁରୁତ୍ୱର ସହ ଗ୍ରହଣ କରି ନିଯୁକ୍ତି ବୟସ ବୃଦ୍ଧି କରିବା ପାଇଁ ପିଏସ୍ୟୁଗୁଡ଼ିକୁ ନିର୍ଦ୍ଦେଶ ଦେବାକୁ ଆଶାୟୀମାନେ ଦାବି କରିଛନ୍ତି।