ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇଦ୍ରାବାଦ ଗସ୍ତରେ ଯାଉଛନ୍ତି। ରାଜ୍ୟ ସରକାର ଏବଂ ଫିକିର ମିଳିତ ଆନୁକୂଲ୍ୟରେ ସେଠାର ଚଳିତ ବର୍ଷର ଷଷ୍ଠ ନିବେଶକ ସମ୍ମିଳନୀ ଆୟୋଜିତ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ସିଧାସଳଖ ଭାବେ ଶିଳ୍ପପତିମାନଙ୍କ ସହ ଆଲୋଚନା କରିବେ। ଏହି ସମ୍ମିଳନୀରେ ମୁଖ୍ୟତଃ ହେଲ୍ଥ୍ ଏବଂ ଫାର୍ମା, ଆଇଟି, ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ, ଟେକ୍ସଟାଇଲ, ଫୁଡ ପ୍ରୋସେସିଂ, ମାଇନିଂ ମେସିନାରୀ ଏବଂ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ପ୍ରମୁଖ କମ୍ପାନୀଙ୍କର ମୁଖ୍ୟମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ଖ୍ୟାତାନାମା ଶିଳ୍ପଦ୍ୟୋଗୀଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଦୁବାଇରୁ ପ୍ରଥମ ନିବେଶକ ସମ୍ମିଳନୀ ଆରମ୍ଭ କରିବା ପରେ ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁରେ ପରେ ହାଇଦ୍ରାବାଦ ଠାରେ ଷଷ୍ଠ ନିବେଶକ ସମ୍ମିଳନୀ କରିବାକୁ ଯାଉଛନ୍ତି।
ପୂର୍ବରୁ ଏହି ଉପରୋକ୍ତ ୬ ଟି ନିବେଶକ ସମ୍ମିଳନୀ ଦ୍ୱାରା ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ପଥ ପରିଷ୍କାର ହୋଇଥିବା ବେଳେ ହାଇଦ୍ରାବାଦଠାରେ ହେବା ଯାଉଥିବା ସମ୍ମେଳନ ମଧ୍ୟ ରାଜ୍ୟରେ ଚାଲିଥିବା ଶିଳ୍ପାନୟନ କ୍ଷେତ୍ରରେ ପ୍ରମୁଖ ଅଂଶ ଗ୍ରହଣ କରିବ ବୋଲି ଆଶା କରାଯାଉଛି। ସବୁଠି ମୁଖ୍ୟମନ୍ତ୍ରୀ ନିଜେ ଶିଳ୍ପପତି, ନିବେଶକମାନଙ୍କ ସହ ଆଲୋଚନା କରୁଛନ୍ତି। ଏହା ଦ୍ୱାରା ସେମାନଙ୍କୁ ଏକ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳୁଛି ଯାହାର ପରିଣାମ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଏବଂ ପରବର୍ତ୍ତି ସମୟରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି।