ଭୁବନେଶ୍ୱର: ଅର୍ଜୁନ ପୁରସ୍କାର ପାଇଁ ଓଡ଼ିଶାର ଆନ୍ତର୍ଜାତିକ ମହିଳା ହକି ତାରକା ଦୀପଗ୍ରେସ ଏକ୍କାଙ୍କ ନାମ ସୁପାରିଶ କରାଯାଇଛି । ଜାତୀୟ କ୍ରୀଡା ପୁରସ୍କାର ଚୟନ କମିଟି ଜାତୀୟ ମହିଳା ହକି ଦଳର ଅଭିଜ୍ଞ ଡିଫେଣ୍ଡର ଦୀପଗ୍ରେସ ଏକ୍କାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଛି । ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମିତ ଦୀପଗ୍ରେସ ଏକ୍କା ୨୦୧୧ ମସିହାରୁ ହକି ଖେଳିବା ଆରମ୍ଭ କରିଥିଲେ। ଭାରତର ଜୁନିଅର ଟିମରେ ସେ ପ୍ରଥମେ ସ୍ଥାନ ପାଇଥିଲେ । ଏ ଯାଏଁ ଦୀପଗ୍ରେସ ୨୪୦ଟି ହକି ମ୍ୟାଚ ଖେଳିଛନ୍ତି। ଏ ବର୍ଷ ବର୍ମିଂହାମ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ବ୍ରୋଞ୍ଜ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ ଦୀପଗ୍ରେସ । ୨୦୧୪ ଓ ୨୦୧୮ ଏସୀୟ କ୍ରୀଡ଼ା ହକିରେ ପଦକ ଜିତିଥିବା ଭାରତୀୟ ଦଳରେ ବି ସେ ପ୍ରତିନିଧିତ୍ଵ କରିଥିଲେ । ୨୦୧୬ରେ ମହିଳା ଏସିଆନ ଚାମ୍ପିଅନସ ଟ୍ରଫି ଓ ୨୦୧୭ରେ ଏସିଆ କପ୍ ହକିରେ ଚାମ୍ପିଅନ ହୋଇଥିବା ଭାରତୀୟ ଦଳର ସଦସ୍ୟ ଥିଲେ ଦୀପଗ୍ରେସ । ଜାତୀୟ ସ୍ତରରେ ବର୍ତ୍ତମାନ ସେ ରେଳବାଇ ପକ୍ଷରୁ ପ୍ରତିନିଧିତ୍ବ କରୁଛନ୍ତି।
ଅଚନ୍ତ ଶରଥ କମଲ ପାଇବେ ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ । ସେହିପରି ଲକ୍ଷ୍ୟ ସେନ ଓ ଅଂଶୁ ମଲ୍ଲିକଙ୍କୁ ଅର୍ଜୁନ ପୁରସ୍କାର ପାଇବା ନେଇ ନାମ ଘୋଷମା ହୋଇଛି । ଏହି ସମସ୍ତ ନାଁ ସିଲେକ୍ସନ କମିଟି ଦ୍ୱାରା ଘୋଷଣା କରାଯାଇଛି ।