ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ଭୁବନେଶ୍ୱର: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ। ଭୁବନେଶ୍ବରରେ ଭୀଷଣ ତାତି ସାଙ୍ଗକୁ ସକାଳୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ୧୧.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଥିବାବେଳେ ଆର୍ଦ୍ରତା ରହିଛି ୫୧% । ମାତ୍ର ୪୯ ଡିଗ୍ରୀ ପରି ତାତି ଅନୁଭୂତ ହେଉଛି। 

ଅନ୍ୟପକ୍ଷରେ ରାଜ୍ୟର ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ମଧ୍ୟ ପାରଦ ଉପରମୁହାଁ ରହିଛି। ସମ୍ବଲପୁରରେ ତାପମାତ୍ରା ୩୬.୬ ଡିଗ୍ରୀ ସେଲସିୟସ୍ ଥିବାବେଳେ ଝାରସୁଗୁଡ଼ାରେ ୩୬ ଡିଗ୍ରୀ, ହୀରାକୁଦରେ ୩୫.୬ ଡିଗ୍ରୀ ଏବଂ ପୁରୀରେ ୩୫.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।

ବଢ଼ୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ପରାମର୍ଶ ଦିଆଯାଇଛି। ଅଂଶୁଘାତରୁ ବର୍ତ୍ତିବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା, ହାଲୁକା ରଙ୍ଗର ତଥା ଢିଲା ପୋଷାକ ପିନ୍ଧିବା ସହ ଘରୁ ବାହାରକୁ ଗଲାବେଳେ ଟୋପି, ଛତା, ସନଗ୍ଲାସ୍ ଏବଂ ସନସ୍କ୍ରିନ୍ ବ୍ୟବହାର କରିବାକୁ କୁହାଯାଇଛି। ଏହା ସହିତ ଖରାଦିନେ ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଜରୁରୀ ନଥିଲେ ଘରୁ ନ ବାହାରିବା ପାଇଁ ସତର୍କ କରାଯାଇଛି।

About The Author: Madhusudan Das