ଭୁବନେଶ୍ୱର: ପ୍ରଶାସନିକ ଶୃଙ୍ଖଳା ଓ ସ୍ୱଚ୍ଛତା ଉପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କାର୍ଯ୍ୟରେ ଅବହେଳା ତଥା ଶୃଙ୍ଖଳାଗତ ତ୍ରୁଟି ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀଙ୍କୁ ନିଲମ୍ବିତ କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ସମ୍ପର୍କିତ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି।
ସରକାରୀ ଆଦେଶ ଅନୁଯାୟୀ, ଓଡ଼ିଶା ସିଭିଲ୍ ସର୍ଭିସେସ୍ (ବର୍ଗୀକରଣ, ନିୟନ୍ତ୍ରଣ ଏବଂ ଅପିଲ) ନିୟମାବଳୀ, ୧୯୬୨ର ଧାରା ୧୨(୧)(କ) ଅନୁଯାୟୀ ଓଏଏସ୍-ଏ (ଜୁନିଅର ବ୍ରାଞ୍ଚ) ଅଧିକାରୀ ଶ୍ରୀ ମାଝୀଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରଶାସନିକ କାର୍ଯ୍ୟରେ ଅନିୟମିତତାକୁ ରୋକିବା ଲକ୍ଷ୍ୟରେ ସରକାର ଏହି ପଦକ୍ଷେପ ନେଇଛନ୍ତି।
ନିଲମ୍ବନ ଅବଧି ସମୟରେ ଶ୍ରୀ ମାଝୀଙ୍କ ମୁଖ୍ୟାଳୟ (ହେଡକ୍ୱାର୍ଟର) କଟକସ୍ଥିତ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର (ଆରଡିସି)ଙ୍କ କାର୍ଯ୍ୟାଳୟରେ ରହିବ। ଆରଡିସିଙ୍କ ପୂର୍ବ ଅନୁମତି ବିନା ସେ ମୁଖ୍ୟାଳୟ ଛାଡ଼ି କୁଆଡ଼େ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି।
ଏହି ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜସ୍ୱ ବିଭାଗ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ସମସ୍ତ ପ୍ରାସଙ୍ଗିକ ପ୍ରମାଣ ଏବଂ ସହାୟକ ଦସ୍ତାବିଜ ସହ ଡ୍ରାଫ୍ଟ ଚାର୍ଜ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି। ଜନସାଧାରଣଙ୍କୁ ସ୍ୱଚ୍ଛ ଓ ଲୋକାଭିମୁଖୀ ରାଜସ୍ୱ ସେବା ଯୋଗାଇବା ସହିତ ଦୁର୍ନୀତି ଏବଂ ପ୍ରଶାସନିକ ଅନିୟମିତତା ବିରୋଧରେ ଆଗକୁ ମଧ୍ୟ ଏଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ବିଭାଗ ସ୍ପଷ୍ଟ କରିଛି।