ବନ୍ୟା କ୍ଷୟକ୍ଷତି ପାଇଁ ୨୨ଟି ଜିଲ୍ଲାକୁ ୧୧୦ କୋଟିର ସହାୟତା ଘୋଷଣା: ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ ମିଳିବ ଅଧିକ ଅନୁଦାନ

ଭୁବନେଶ୍ୱର: ୨୨ ଜିଲ୍ଲାକୁ ୧୧୦ କୋଟି ବନ୍ୟା ସହାୟତା ଦେଲେ ସରକାର । ଏନେଇ ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ରାଜ୍ୟରେ ସାମ୍ପ୍ରତିକ ବନ୍ୟା ଯୋଗୁଁ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ପ୍ରଭାବିତ ୨୨ଟି ଜିଲ୍ଲା ପାଇଁ ୧୧୦ କୋଟି ଟଙ୍କାର ବନ୍ୟା ସହାୟତା ମଞ୍ଜୁର କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ଯେ, ବନ୍ୟା ଯୋଗୁଁ ରାଜ୍ୟର ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ଘଟିଛି। ଏହି କ୍ଷୟକ୍ଷତିର ଭରଣା ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ବାଲେଶ୍ୱର ଜିଲ୍ଲାକୁ ସର୍ବାଧିକ ୨୨.୦୩ କୋଟି ଟଙ୍କା ଅନୁଦାନ ମିଳିବ। ସେହିପରି ଯାଜପୁର ଜିଲ୍ଲାକୁ ୨୦.୨୦ କୋଟି ଟଙ୍କା ଏବଂ ଭଦ୍ରକ ଜିଲ୍ଲାକୁ ୨୦.୧୨ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ।

ବିଭିନ୍ନ ବିଭାଗ ପକ୍ଷରୁ ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ ରିପୋର୍ଟ ଆସିବାର ସମ୍ଭାବନା ରହିଛି ବୋଲି ବିଭାଗୀୟ ଅଧିକାରୀମାନେ ପ୍ରକାଶ କରିଛନ୍ତି। ଏହି ରିପୋର୍ଟ ହସ୍ତଗତ ହେବା ପରେ ସରକାରଙ୍କ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। 

ତେବେ ଘୋଷଣା ହୋଇଥିବା ଏହି ଆର୍ଥିକ ସହାୟତା ପ୍ୟାକେଜ୍ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ତୁରନ୍ତ ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।

About The Author: Madhusudan Das