ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୧୦,୩୭୨ ସ୍ନାତକ (UG) ସିଟ୍ ବୃଦ୍ଧି କଲେ ସରକାର

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଏବଂ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ମୋଟ୍ ୧୦,୩୭୨ ସ୍ନାତକ (UG) ସିଟ୍ ବୃଦ୍ଧି କରିବାକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି।

ବିଭିନ୍ନ ବିଷୟରେ ଛାତ୍ରଛାତ୍ରୀଙ୍କ ଆଗ୍ରହ ଏବଂ ଉଚ୍ଚଶିକ୍ଷା ପ୍ରତି ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନାମଲେଖା ସମୟରେ ଅନେକ ପସନ୍ଦର ବିଷୟଗୁଡ଼ିକରେ ସିଟ୍ ଅଭାବରୁ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ବର୍ଦ୍ଧିତ ସିଟ୍ ସଂଖ୍ୟା ଦ୍ୱାରା ଅଧିକରୁ ଅଧିକ ଛାତ୍ରଛାତ୍ରୀ ନିଜ ପସନ୍ଦର ବିଷୟରେ ଉଚ୍ଚଶିକ୍ଷା ଲାଭ କରିପାରିବେ।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ୧,୨୧୬ ସିଟ୍ ଏବଂ ସରକାରୀ କଲେଜ ଗୁଡ଼ିକରେ ୪,୬୮୪ ସିଟ୍ ବୃଦ୍ଧି କରାଯାଇଛି। ସେହିପରି ୪୮୮-ବର୍ଗ (Degree)ର ଅନୁଦାନପ୍ରାପ୍ତ କଲେଜରେ ୩,୪୧୬ ସିଟ୍ ଏବଂ ୬୬୨-ବର୍ଗର ଅନୁଦାନପ୍ରାପ୍ତ କଲେଜରେ ୧,୦୫୬ ସିଟ୍ ବଢ଼ାଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ନାମଲେଖା ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗର ସାମ୍‌ସ୍ (SAMS) ପୋର୍ଟାଲରେ ଏହି ପରିବର୍ତ୍ତିତ ସିଟ୍ ସଂଖ୍ୟାକୁ ସାମିଲ କରାଯାଇସାରିଛି।

About The Author: Madhusudan Das