ଭୁବନେଶ୍ୱର: ରାଜ୍ୟ ସରକାର ପୁଣି ଏକ ପୁରସ୍କାରରୁ ବିଜୁଙ୍କ ନାଁ ହଟାଇଛନ୍ତି। ପୂର୍ବରୁ ପ୍ରଚଳିତ ‘ବିଜୁ ଶ୍ରମିକ ବନ୍ଧୁ ସମ୍ମାନ’ ନାମ ପରିବର୍ତ୍ତନ କରାଯାଇ ଏହାକୁ ‘ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ’ ଭାବେ ନାମିତ କରାଯାଇଛି। ୨୦୧୫ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଶ୍ରମିକ ବନ୍ଧୁ ସମ୍ମାନ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାରେ ପ୍ରତିବର୍ଷ ମେ' ୧ ଶ୍ରମିକ ଦିବସରେ ପୁରସ୍କୃତ ହେଉଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯାଉଥିଲା। ଅତୀତରେ ବିଜେଡି ସରକାର ସମୟରେ ଶ୍ରମିକ ସଂଗଠନ ନେତା ସୌରୀବନ୍ଧୁ କର, ରାଜେନ୍ଦ୍ର ପ୍ରସାଦ ସିଂ, ଈଶ୍ୱର ଜେନା, ଘନଶ୍ୟାମ ଜେନା, ବସନ୍ତ ଜେନା ଓ କୃଷ୍ଣ ପାତ୍ର ପ୍ରମୁଖ ଏହି ସମ୍ମାନ ପାଇଛନ୍ତି। ଏବେ ରାଜ୍ୟ ସରକାର କେବଳ ଏହି ଯୋଜନାର ନାମ ଦବଳାଇ ନାହାନ୍ତି; ଏ ସଂକ୍ରାନ୍ତ ନିୟମକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଥିସହ ଏହି ଯୋଜନା ପାଇଁ ଆବେଦନ ଅବଧି ବି ହ୍ରାସ ହୋଇଛି।
ପୂର୍ବରୁ ଶ୍ରମିକ ବନ୍ଧୁ ପୁରସ୍କାର ଦେବା ପାଇଁ ଚୟନ କରିବାକୁ ମାସେ ସମୟ ଦିଆଯାଉଥିଲା। ଏବେ ସରକାର ଏଥିପାଇଁ ମାତ୍ର ୪ ଦିନ ସମୟ ଦେଉଛନ୍ତି। କୌଣସି ଶ୍ରମିକ ସଂଗଠନ ଶ୍ରମିକ ନେତା ଓ ଶ୍ରମିକଙ୍କ ପାଇଁ କାମ କରିଥିବା ବ୍ୟକ୍ତିଙ୍କୁ ଚୟନ କରିବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇ ନାହିଁ। ୨୩ ତାରିଖରେ ଏହି ପୁରସ୍କାର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୨୫ ଓ ୨୬ ତାରିଖ ସରକାରୀ ଛୁଟି ଦିବସ ରହିଲା। ୨୭ ତାରିଖ ଦିନ ୧୨ଟା ସୁଦ୍ଧା ନାମ ସୁପାରିସ କରିବାକୁ ଶେଷ ସମୟ ଧାର୍ଯ୍ୟ ହୋଇଛି।
ସରକାରଙ୍କ ଏପରି ପଦକ୍ଷେପକ କଟୁ ସମାଲୋଚନା କରିଛନ୍ତି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ସୁବାସ ସିଂ । ଏତେ କମ୍ ସମୟ ଭିତରେ କିପରି ଗୋଟିଏ ଶ୍ରମିକ ସଂଗଠନ ନାମ ଚୟନ କରି ସୁପାରିସ କରିବ ତାହା ସମ୍ଭବ ନୁହେଁ ବୋଲି ସୁବାସ ସିଂହ କହିଛନ୍ତି। ସରକାରୀ ପ୍ରକ୍ରିୟା ଯାହା ରହିଛି ଶ୍ରମିକ ସଂଗଠନଗୁଡ଼ିକ ପଠାଇଥିବା ନାମ ଉପରେ ଶ୍ରମିକ କଲ୍ୟାଣ ବୋର୍ଡର୍ରେ ନିଷ୍ପତ୍ତି ନିଆଯାଇ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। କିନ୍ତୁ ଆଗରୁ ପ୍ରଚଳିତ ନିୟମକୁ ସରକାର ପରିବର୍ତ୍ତନ କରିବା ଗ୍ରହଣୀୟ ହେଉନି ବୋଲି ସୁବାସ ସିଂହ ଅଭିଯୋଗ କରିଛନ୍ତି।
ପୂର୍ବରୁ ରାଜ୍ୟ ସରକାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନ କରିଥିଲେ। ଏହାକୁ ନେଇ ରାଜ୍ୟବ୍ୟାପୀ ପ୍ରବଳ ପ୍ରତ୍ରିକ୍ରିୟା ପ୍ରକାଶ ପାଇବା ସହ ଚାରି ଆଡ଼ୁ ସରକାରଙ୍କୁ ସମାଲୋଚନା କରାଯାଇଥିଲା। ଏହି ଘଟଣା ପରେ ସରକାର ତତ୍କ୍ଷଣାତ୍ ଏହି ନିଷ୍ପତ୍ତି ଉପରେ ପ୍ରତିବନ୍ଧକ ଲଗାଇବା ସହ ପୁନର୍ବାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରକୁ ଜାରି ରଖିଥିଲେ। ରାଜ୍ୟରେ ସରକାର ପରିବର୍ତ୍ତନ ପରେ ରାଜ୍ୟ ସରକାର ଅନେକ ଯୋଜନାରୁ ବିଜୁ ନାମ ହଟାଉଥିବା ବେଳେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନରେ ପାଳିତ ହୋଇ ଆସୁଥିବା ପଞ୍ଚାୟତିରାଜ ଦିବସ ପାଳନକୁ ମଧ୍ୟ ବନ୍ଦ କରି ଦେଇଛନ୍ତି।