ଅଲିମ୍ପିକ୍ସ ପଦକ ଜିତିବା ତନ୍ୱୀ ପତ୍ରୀଙ୍କ ସବୁଠାରୁ ବଡ଼ ସ୍ୱପ୍ନ, ପ୍ରଥମ ମହିଳା ଭାରତୀୟ ଖେଳାଳି ଭାବେ ଯୁବ ଅଲିମ୍ପିକ୍ସରେ ରୌପ୍ୟ ସଫଳତା

ଭୁବନେଶ୍ୱର(ରଞ୍ଜନ କୁମାର ରାୟ): ବୟସ ମାତ୍ର ୧୫ ବର୍ଷ। ହେଲେ ସ୍ୱପ୍ନ ବହୁତ ବଡ଼। ବ୍ୟାଡମିଣ୍ଟନ୍‌ କୋର୍ଟରେ ନିଜର ଲଢ଼ୁଆ ଖେଳ ଓ ଦୃଢ଼ ମନୋବଳ ବଳରେ ଦେଶ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ତନ୍ୱୀ ପତ୍ରୀ। ସେନେଗାଲର ଡାକାରଠାରେ ଆୟୋଜିତ ଯୁବ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ସେ ଭାରତୀୟ ବ୍ୟାଡମିଣ୍ଟନ୍‌ରେ ନୂଆ ଇତିହାସ ରଚିଛନ୍ତି। ଏହି ପ୍ରତିଯୋଗିତାରେ ପଦକ ଜିତିବାରେ ସେ ଭାରତର ପ୍ରଥମ ମହିଳା ବ୍ୟାଡମିଣ୍ଟନ୍‌ ଖେଳାଳି। ତେବେ ଏହି ସଫଳତାରେ ସେ ଅଟକି ଯିବାକୁ ଚାହୁଁନାହାନ୍ତି। ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିବା ତାଙ୍କର ସବୁଠାରୁ ବଡ଼ ସ୍ୱପ୍ନ। ନିଜ ସଫଳତାର ଶ୍ରେୟ ସେ ମାତାପିତା, ପରିବାର ଓ ସମସ୍ତ ପ୍ରଶିକ୍ଷକଙ୍କୁ ଦେଇଛନ୍ତି। ତାଙ୍କ ସହ ଏକ ବିଶେଷ ସାକ୍ଷାତକାର ମୂଳକ ଆଲେଖ୍ୟ।

ଯୁବ ଅଲିମ୍ପିକ୍ସର ରୌପ୍ୟ ପଦକ ଖାସ୍‌
ତନ୍ୱୀଙ୍କ ପାଇଁ ଯୁବ ଅଲିମ୍ପିକ୍ସର ରୌପ୍ୟ ପଦକ ବେଶ୍‌ ସ୍ୱତନ୍ତ୍ର। ଏହା ପଛରେ ରହିଛି ଦୀର୍ଘଦିନର ପରିଶ୍ରମ ଓ ସଂଘର୍ଷ। ଫାଇନାଲ୍‌ରେ ଚୀନ୍‌ର ଝାଙ୍ଗ ୟି ଜିନ୍‌ଙ୍କ ସହ ତାଙ୍କର କଡ଼ା ମୁକାବିଲା ହୋଇଥିଲା। ପ୍ରଥମ ଗେମ୍‌କୁ ସେ ୨୧-୧୫ରେ ଜିତିଥିଲେ। ଦ୍ୱିତୀୟ ଗେମ୍‌ରେ ୧୩-୨୧ରେ ହାରିଥିଲେ। ନିର୍ଣ୍ଣାୟକ ଗେମ୍‌ରେ ସେ ୧୦-୧୯ରେ ପଛୁଆ ଥିଲେ। ତଥାପି ହାର ମାନି ନଥିଲେ। ଜୋରଦାର ଲଢେଇ କରି ସ୍କୋର୍‌କୁ ୨୦-୨୦ରେ ପହଞ୍ଚାଇଥିଲେ। ତାଙ୍କର ଏହି ଲଢ଼ୁଆ ମନୋଭାବ ଦର୍ଶକଙ୍କୁ ପ୍ରଭାବିତ କରିଥିଲା। ଶେଷରେ ସେ ରୌପ୍ୟ ପଦକ ହାସଲ କରିଥିଲେ।

ଚୀନ୍‌ରୁ ଆରମ୍ଭ ହୋଇଥିଲା ବ୍ୟାଡମିଣ୍ଟନ୍‌ ଯାତ୍ରା
ତନ୍ୱୀଙ୍କ ବ୍ୟାଡମିଣ୍ଟନ୍‌ ଯାତ୍ରା ଚୀନ୍‌ରୁ ଆରମ୍ଭ ହୋଇଥିଲା। ତାଙ୍କ ବାପା ରବିନାରାୟଣ ପତ୍ରୀ ଏକ ସୂଚନା ପ୍ରଯୁକ୍ତି ସଂସ୍ଥାରେ କାମ କରୁଥିବାରୁ ପରିବାର ଚୀନ୍‌ରେ ରହୁଥିଲେ। ସେଠାରେ ତନ୍ୱୀ ବ୍ୟାଡମିଣ୍ଟନ୍‌ର ପ୍ରାରମ୍ଭିକ କୌଶଳ ଶିଖିଥିଲେ। ଏହା ସହ ରୋଲର୍‌ ସ୍କଟିଂ ମଧ୍ୟ କରୁଥିଲେ। ଏହା ତାଙ୍କୁ ଖେଳରେ ଶରୀରର ସନ୍ତୁଳନ ରକ୍ଷା କରିବାରେ ସହାୟକ ହୋଇଥିଲା। କୋଭିଡ୍‌ ମହାମାରୀ ପରେ ପରିବାର ଭାରତ ଫେରିଥିଲେ। ଏହାପରେ ବେଙ୍ଗାଲୁରୁରେ ତାଙ୍କର ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ଜାରି ରହିଥିଲା। ପ୍ରକାଶ ପାଦୁକୋନ୍‌ ବ୍ୟାଡମିଣ୍ଟନ୍‌ ଏକାଡେମୀ ଓ ବେଙ୍ଗାଲୁରୁର ପ୍ରଶିକ୍ଷଣ ବ୍ୟବସ୍ଥାରେ ଅଭ୍ୟାସ ତାଙ୍କ ଖେଳକୁ ଆହୁରି ଶାଣିତ କରିଛି।

ଲିନ୍‌ ଡାନ୍‌ଙ୍କୁ ଆଦର୍ଶ ମାନନ୍ତି
ବିଶ୍ୱ ବ୍ୟାଡମିଣ୍ଟନ୍‌ର କିମ୍ବଦନ୍ତୀ ଖେଳାଳି ଚୀନ୍‌ର ଲିନ୍‌ ଡାନ୍‌ ହେଉଛନ୍ତି ତନ୍ୱୀଙ୍କ ଆଦର୍ଶ। ତାଙ୍କର ନିରନ୍ତର ଭଲ ପ୍ରଦର୍ଶନ ଓ ଖେଳ ପ୍ରତି ନିଷ୍ଠା ତନ୍ୱୀଙ୍କୁ ଅନୁପ୍ରାଣିତ କରେ। ପ୍ରତ୍ୟେକ ମ୍ୟାଚ୍‌କୁ ନୂଆ ଭାବେ ନେବା ଏବଂ ମାନସିକ ଦୃଢ଼ତା ବଜାୟ ରଖିବା ଉପରେ ସେ ଗୁରୁତ୍ୱ ଦିଅନ୍ତି।

ଏସୀୟ ମଞ୍ଚରେ ବି ଚମକିଛନ୍ତି
ତନ୍ୱୀଙ୍କ ସଫଳତା କେବଳ ଯୁବ ଅଲିମ୍ପିକ୍ସରେ ସୀମିତ ନୁହେଁ। ୨୦୨୪ରେ ସେ ଏସୀୟ ୧୫ ବର୍ଷରୁ କମ୍‌ ବର୍ଗରେ ଚାମ୍ପିୟନ୍‌ ହୋଇଥିଲେ। ପରେ ୧୭ ବର୍ଷରୁ କମ୍‌ ଏସୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଥିଲେ। ଏହି ଦୁଇଟି ଟାଇଟଲ୍‌ ଜିତିବାରେ ସେ ପ୍ରଥମ ଭାରତୀୟ ଖେଳାଳି ହୋଇଥିଲେ। ଏହା ସହ ପଣ୍ଟିଆନକ୍‌ ଅନ୍ତର୍ଜାତୀୟ ଚ୍ୟାଲେଞ୍ଜ୍‌ରେ ପ୍ରଥମ ବରିଷ୍ଠ ଅନ୍ତର୍ଜାତୀୟ ଟାଇଟଲ୍‌ ଜିତିଥିଲେ। ପରେ ସିଙ୍ଗାପୁର ଓ ଇଣ୍ଡୋନେସିଆରେ କ୍ରମାଗତ ଦୁଇଟି ଫାଇନାଲ୍‌ ଖେଳି ନିଜ ପ୍ରତିଭାର ପରିଚୟ ଦେଇଥିଲେ।

ସଫଳତାର ଶ୍ରେୟ ପରିବାର ଓ ପ୍ରଶିକ୍ଷକଙ୍କୁ
ତନ୍ୱୀ ନିଜ ସଫଳତାର ଶ୍ରେୟ ସମସ୍ତ ପ୍ରଶିକ୍ଷକଙ୍କୁ ଦେଇଛନ୍ତି। ପ୍ରତ୍ୟେକ ପ୍ରଶିକ୍ଷକଙ୍କଠାରୁ ସେ କିଛି ନା କିଛି ଶିଖିଛନ୍ତି। ସେମାନଙ୍କ ମାର୍ଗଦର୍ଶନ, ପରାମର୍ଶ ଓ ସହଯୋଗ ତାଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଛି। ଏଥିସହ ବାପା ରବିନାରାୟଣ ପତ୍ରୀ ଓ ମା’ ଶୈଳବାଳା ପଣ୍ଡାଙ୍କ ଅବଦାନକୁ ମଧ୍ୟ ସେ ଭୁଲି ନାହାନ୍ତି। ପରିବାରର ସମର୍ଥନ ତାଙ୍କ ପାଇଁ ବହୁତ ମୂଲ୍ୟବାନ। ପିଲାଦିନରୁ ପରିବାର ତାଙ୍କୁ ସବୁବେଳେ ପ୍ରୋତ୍ସାହିତ କରିଆସିଛି।

ଅଲିମ୍ପିକ୍ସ ପଦକ ହିଁ ସବୁଠାରୁ ବଡ଼ ସ୍ୱପ୍ନ
ତନ୍ୱୀଙ୍କ ଲକ୍ଷ୍ୟ ଏବେ ଆହୁରି ବଡ଼। ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ଅଧିକ ସଫଳତା ଆଣିବାକୁ ସେ ଚାହାନ୍ତି। ତାଙ୍କର ସବୁଠାରୁ ବଡ଼ ସ୍ୱପ୍ନ ହେଉଛି ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିବା। ଏଥିପାଇଁ ନିୟମିତ ଅଭ୍ୟାସ ସହ ନିଜର ଖେଳ ଓ ଶାରୀରିକ ଦକ୍ଷତାରେ ଉନ୍ନତି ଆଣିବାକୁ ସେ ଚେଷ୍ଟା କରୁଛନ୍ତି। ଯୁବ ଅଲିମ୍ପିକ୍ସର ରୌପ୍ୟ ପଦକ ତନ୍ୱୀଙ୍କ ପାଇଁ ଯାତ୍ରାର ଶେଷ ନୁହେଁ, ବରଂ ଏକ ନୂଆ ଆରମ୍ଭ। ଅଳ୍ପ ବୟସରେ ତାଙ୍କର ଏହି ସଫଳତା ଓଡ଼ିଶାର ଅନେକ ଯୁବ କ୍ରୀଡ଼ାବିତ୍‌ଙ୍କୁ ପ୍ରେରଣା ଦେବ। ଆଗାମୀ ଦିନରେ ଅଲିମ୍ପିକ୍ସ ମଞ୍ଚରେ ତ୍ରିରଙ୍ଗା ଉଡ଼ାଇବା ହିଁ ତାଙ୍କର ସ୍ୱପ୍ନ।

About The Author: Sakala Desk