ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ, କାର୍ଯ୍ୟରେ ଯୋଗ ଦେବା ନେଇ ସୂଚନା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହ ଓମ୍‌ସାର ଆଲୋଚନା ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ । ଲୋକସେବା ଭବନଠାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ସଫଳ ଆଲୋଚନା ପରେ ଓଡ଼ିଶାରେ ଡାକ୍ତରମାନେ ସେମାନଙ୍କର ୪ ଦିନିଆ ଧର୍ମଘଟକୁ ସ୍ଥଗିତ ରଖିଛନ୍ତି। ଓଡ଼ିଶା ଡାକ୍ତରୀ ସେବା ସଂଘ (OMSA) ପକ୍ଷରୁ ସୂଚନା ଦିଆଯାଇଛି ଯେ, ଶନିବାରଠାରୁ ଡାକ୍ତରମାନେ ନିଜ କାର୍ଯ୍ୟରେ ଯୋଗଦେବେ।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଓମ୍‌ସା (OMSA) ପକ୍ଷରୁ ଉଠାଯାଇଥିବା ଦାବିଗୁଡ଼ିକର ସମୀକ୍ଷା ପାଇଁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କମିଟିରେ ଅର୍ଥ, ସାଧାରଣ ପ୍ରଶାସନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଆଇନ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ। ଆସନ୍ତା ଜୁଲାଇ ୨୨ ତାରିଖରେ ଏହି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ।

ଡାକ୍ତରମାନଙ୍କ ନ୍ୟାଯ୍ୟ ଦାବି ପ୍ରତି ସରକାର ସହାନୁଭୂତିଶୀଳ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରକାଶ କରିବା ସହ ସମସ୍ତ ସମସ୍ୟାର ସମୀକ୍ଷା କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ଅନ୍ୟପକ୍ଷରେ ଓମ୍‌ସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ସରକାରଙ୍କ ସହ ଆଲୋଚନା ସଫଳ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି। ନୂତନ କମିଟି ମାଧ୍ୟମରେ ସମସ୍ୟାର ସମାଧାନ କରାଯିବା ନେଇ ସରକାରଙ୍କ ପ୍ରତିଶ୍ରୁତି ପରେ ସଂଘ ପକ୍ଷରୁ ଧର୍ମଘଟ ପ୍ରତ୍ୟାହାର କରିବାକୁ ସହମତି ପ୍ରକାଶ ପାଇଛି। ଡାକ୍ତରମାନେ କାର୍ଯ୍ୟରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିବାରୁ ଏହା ରୋଗୀମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି ଏବଂ ରାଜ୍ୟରେ ସ୍ୱାସ୍ଥ୍ୟସେବା ପୁଣିଥରେ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।

About The Author: Madhusudan Das