ଆସନ୍ତା ୩୦ ତାରିଖରେ ଅବସର ନେବେ ଡିଜିପି ବିନୟତୋଷ ମିଶ୍ର, କାର୍ଯ୍ୟକାଳ ସରିବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଆସନ୍ତା ୩୦ ତାରିଖରେ ସରିବ DGP ବିନୟତୋଷ ମିଶ୍ରଙ୍କ କାର୍ଯ୍ୟକାଳ । ରାଜ୍ୟ ପୋଲିସ ମୁଖ୍ୟ (ଡିଜିପି) ବିନୟତୋଷ ମିଶ୍ରଙ୍କ ଅବସର ଗ୍ରହଣ ପ୍ରସ୍ତାବକୁ ଗୃହ ବିଭାଗ ପକ୍ଷରୁ ଅନୁମୋଦନ ପ୍ରଦାନ କରାଯାଇଛି। ଆସନ୍ତା ନଭେମ୍ବର ୩୦ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

୧୯୯୩ ବ୍ୟାଚର ଆଇପିଏସ ଅଧିକାରୀ ବିନୟତୋଷ ମିଶ୍ର ଗତ ଅଗଷ୍ଟ ୧୬ ତାରିଖରୁ ଓଡ଼ିଶାର ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ତୁଲାଉଥିଲେ। ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏବଂ ନୂତନ ନିଯୁକ୍ତିକୁ ନେଇ ସୃଷ୍ଟି ହୋଇଥିବା ଆଇନଗତ ବିବାଦ ମଧ୍ୟରେ ଶ୍ରୀ ମିଶ୍ରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରାଯାଇଥିଲା।

ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ଚାଲିଥିବା ମାମଲାରେ ସୁପ୍ରିମକୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ରିପୋର୍ଟ ଅନୁଯାୟୀ, ଆସନ୍ତା ନଭେମ୍ବର ୨୭ ତାରିଖରେ କୋର୍ଟ ଏହି ମାମଲାରେ ନିଜର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇ ପାରନ୍ତି। ଏହି ରାୟ ପ୍ରକାଶ ପାଇବା ପରେ ରାଜ୍ୟର ପରବର୍ତ୍ତୀ ପୋଲିସ ମୁଖ୍ୟ କିଏ ହେବେ, ସେ ନେଇ ଚିତ୍ର ସ୍ପଷ୍ଟ ହେବ।

About The Author: Madhusudan Das