ଏସିଆନ୍ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ମହିଳା ହକି ଟିମ୍ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨୦୨୬ ଏସୀୟ କ୍ରୀଡ଼ାରେ ଐତିହାସିକ ସ୍ୱର୍ଣ୍ଣ ପଦକ ବିଜୟ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ମହିଳା ହକି ଦଳ ପାଇଁ ବଡ଼ ପୁରସ୍କାର ଘୋଷଣା କରିଛନ୍ତି। ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ସହାୟକ କର୍ମଚାରୀଙ୍କୁ ୫.୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ।

ଫାଇନାଲ୍ ମୁକାବିଲାରେ ଭାରତୀୟ ଦଳ ଡିଫେଣ୍ଡିଂ ଚାମ୍ପିଅନ୍ ଚୀନ୍‌କୁ ୧-୦ ଗୋଲ୍‌ରେ ପରାସ୍ତ କରି ଚାମ୍ପିଅନ୍ ହୋଇଛି। ଦୀର୍ଘ ୪୪ ବର୍ଷ ପରେ ଏସୀୟ କ୍ରୀଡ଼ା ମହିଳା ହକିରେ ଭାରତ ଏହି ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଛି। ଏହି ବିଜୟ ସହିତ ଭାରତ ଆସନ୍ତା ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ମଧ୍ୟ ଅର୍ଜନ କରିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦଳର ଏହି ଚମତ୍କାର ପ୍ରଦର୍ଶନ ଏବଂ କଠୋର ପରିଶ୍ରମକୁ ପ୍ରଶଂସା କରିବା ସହ ଖେଳାଳିମାନଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି। ଏହି ଐତିହାସିକ ସଫଳତା ସମଗ୍ର ଦେଶ ପାଇଁ ଗର୍ବ ଆଣିଦେଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଭାରତୀୟ ହକିକୁ ସମର୍ଥନ କରିବା ସହ ରାଜ୍ୟ ତଥା ଦେଶରେ କ୍ରୀଡ଼ା ପ୍ରତିଭାର ବିକାଶ ଦିଗରେ କାର୍ଯ୍ୟ କରିବାକୁ ଓଡ଼ିଶା ସରକାର ନିଜର ପ୍ରତିବଦ୍ଧତାକୁ ପୁଣିଥରେ ଦୋହରାଇଛନ୍ତି।

About The Author: Madhusudan Das