ଓଡ଼ିଶାର ମିଷ୍ଟାନ୍ନଗୁଡ଼ିକ ଭିତରେ ରସଗୋଲା ଯେ, କେତେ ଗୁରୁତ୍ୱ ବହନ କରେ ଏକଥା କୌଣସି ଓଡ଼ିଆକୁ ବୁଝାଇବା ଦରକାର ନାହିଁ। ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲାର ଗୁରୁତ୍ବ ଢେର୍ ଅଧିକ। ରସଗୋଲା ଦିବସ ପ୍ରତିବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀଳାଦ୍ରିବିଜେ ଅବସରରେ ପାଳିତ ହୁଏ । ସାରା ବିଶ୍ବରେ ରସଗୋଲାକୁ ଅଧିକ ପରିଚିତ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ୨୦୧୫ ଜୁଲାଇ ୩୦ ନୀଳାଦ୍ରିବିଜେ ଦିନ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ଏହା ପ୍ରଥମେ ସୋସିଆଲ ମିଡିଆ ପ୍ରଚାରରୁ ଆରମ୍ଭ ହୋଇଥିଲା । ଏହାପରେ ୧୭ ଜୁଲାଇ ୨୦୧୬ଠାରୁ ଏହି ଦିବସ ପାଳନ ହେଉଛି । ରସଗୋଲାକୁ ନେଇ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ‘ମିଠାଯୁଦ୍ଧ’ ଆରମ୍ଭ ହୋଇଥିଲା । ପଶ୍ଚିମବଙ୍ଗ ‘ରସଗୁଲ୍ଲା’ ତାଙ୍କର ବୋଲି ଦାବି କରିଥିଲା । ୧୮୬୮ ମସିହାରେ କଲିକତାରେ ନବୀନ ଚନ୍ଦ୍ର ଦାସ ପ୍ରଥମେ ‘ରସଗୁଲ୍ଲା’ ତିଆରି କରିଥିଲେ ବୋଲି ଯୁକ୍ତି କରିଥିଲା ପଶ୍ଚିମବଙ୍ଗ । ତେବେ ୨୦୧୯ ମସିହା ଜୁଲାଇ ମାସ ୨୯ ତାରିଖରେ ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଥିଲା ।
ଘୋଷଯାତ୍ରାର ଅନ୍ତିମ ପର୍ବ ହେଉଛି ‘ନୀଳାଦ୍ରିବିଜେ’। ଶ୍ରୀଗୁଣ୍ଡିଚା ମନ୍ଦିରରେ ରହଣି ପରେ, ବାହୁଡ଼ା ଦଶମୀ ଦିନ ଠାକୁରମାନେ ଶ୍ରୀମନ୍ଦିର ସିଂହଦ୍ବାରକୁ ଫେରନ୍ତି । ସୁନାବେଶ ଓ ଅଧରପଣା ପରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଏହାକୁ ‘ନୀଳାଦ୍ରି ବିଜୟ’ ବା ‘ନୀଳାଦ୍ରିବିଜେ’ କୁହାଯାଏ। ରଥଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନ ନେଇ ପ୍ରଭୁ ଜଗନ୍ନାଥ, ଭାଇ ଓ ଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ଚାଲିଯାଇଥାନ୍ତି । ଯାହାକୁ ନେଇ ମା’ ଲକ୍ଷ୍ମୀ କାଳିଆ ଠାକୁରଙ୍କ ଉପରେ ଅଭିମାନ କରିଥାନ୍ତି । ଜଗନ୍ନାଥ ବଡ଼ଦେଉଳକୁ ଫେରୁଥିବା ଜାଣି ମା’ ଲକ୍ଷ୍ମୀ ଠାକୁରାଣୀ ଅଭିମାନରେ ଜୟବିଜୟ ଦ୍ୱାର ବନ୍ଦ କରି ଦେଇଥାନ୍ତି।
ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ଲାଗି ମହାପ୍ରଭୁଙ୍କ ପକ୍ଷରୁ ରସଗୋଲା ଅର୍ପଣ କରାଯାଇଥାଏ। ଓଡ଼ିଶାର ପ୍ରସିଦ୍ଧ ରସଗୋଲା ଭିତରେ ରହିଛି ପାହାଳରେ ପ୍ରସ୍ତୁତ ରସଗୋଲା ଓ ବିକଳାନନ୍ଦ କରଙ୍କ ସାଲେପୁର ରସଗୋଲା ଯାହାକି ଦେଶ ବିଦେଶରେ ବେଶ୍ ପରିଚିତ । ଊନ୍ନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ବେଳକୁ “କେଳୁ ଚରଣ ବେହେରା’’ ପାହାଳଠାରେ ରସଗୋଲା ପ୍ରସ୍ତୁତ କରି ବ୍ୟବସାୟ ଆରମ୍ଭ କରିଥିଲେ । ଦ୍ବାଦଶ ଶତାବ୍ଦୀରୁ ଶ୍ରୀମନ୍ଦିରରେ ରସଗୋଲା ଭୋଗ ହେଉଥିବାର ପରମ୍ପରା ରହିଆସିଛି ବୋଲି ଐତିହାସିକ ଓ ଗବେଷକମାନେ ମତ ଦିଅନ୍ତି। ଓଡ଼ିଶା ଓ ପଶ୍ଚିମବଙ୍ଗର ରସଗୋଲାର ସ୍ୱାଦ ବି ଭିନ୍ନ । ଓଡ଼ିଶାର ରସଗୋଲା ରସରେ ଭର୍ତ୍ତି ହୋଇଥିବା ବେଳେ ପାଟିରେ ମିଳାଇଯାଏ । ହେଲେ ବଙ୍ଗଳାର ରସଗୁଲ୍ଲା ସ୍ପଞ୍ଜି ହୋଇଥିବା ବେଳେ ଏହାକୁ ଚୋବେଇବାକୁ ପଡ଼େ ।