ଭୁବନେଶ୍ୱର: ୯ ଯୁବ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି । ରାଜ୍ୟର ବିଭିନ୍ନ ଉପଖଣ୍ଡରେ ନୂଆ ଉପଜିଲ୍ଲାପାଳଙ୍କୁ ନିଯୁକ୍ତି ମିଳିଛି । ଓଡ଼ିଶା ସରକାର ୨୦୨୪ ରେଗୁଲାର ରିକ୍ରୁଟ୍ ବ୍ୟାଚ୍ ର ୯ ଜଣ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କୁ ବିଭିନ୍ନ ଉପ-ଖଣ୍ଡରେ ଉପ-ଜିଲ୍ଲାପାଳ ଭାବରେ ନିଯୁକ୍ତି ଦେଇଛନ୍ତି।
ନିଜର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଶେଷ କରି ଫେରିବା ପରେ ଏହା ହେଉଛି ଏହି ଅଧିକାରୀମାନଙ୍କର ପ୍ରଥମ ସ୍ୱାଧୀନ କ୍ଷେତ୍ର ନିଯୁକ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ର ଧାରା ୧୪(୪) ଅନୁଯାୟୀ ପ୍ରତ୍ୟେକ ଅଧିକାରୀଙ୍କୁ ନିଜ ନିଜ ଉପ-ଖଣ୍ଡର ଏସଡିଏମ୍ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି।
ପ୍ରକାଶିତ ତାଲିକା ଅନୁଯାୟୀ, ଅନିମେଷ ପ୍ରଧାନଙ୍କୁ କଟକ ଜିଲ୍ଲା ଆଠଗଡ଼ର ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ପ୍ରଜ୍ଞାନନ୍ଦନ ଗିରି ଅନୁଗୋଳର ତାଳଚେର, କସ୍ତୁରୀ ଶାହ କଳାହାଣ୍ଡିର ଭବାନୀପାଟଣା ଏବଂ ଫବି ରସିଦ୍ କୋରାପୁଟର ଦାୟିତ୍ୱ ଗ୍ରହଣ କରିବେ।
ଅନ୍ୟମାନଙ୍କ ମଧ୍ୟରେ ମୃଣାଳିକା ରାଠୋରଙ୍କୁ ରାୟଗଡ଼ା, ଶୁଭ୍ରା ପଣ୍ଡାଙ୍କୁ କୋରାପୁଟ ଜିଲ୍ଲାର ଜୟପୁର, ପବନ କୁମାରଙ୍କୁ ବଲାଙ୍ଗୀରର ଟିଟିଲାଗଡ଼, ଭଗତ ଶାମଲ କଲ୍ୟାଣରାଓଙ୍କୁ ଗଜପତିର ପାରଳାଖେମୁଣ୍ଡି ଏବଂ ସନ୍ତୋଷ କୁମାର ପାତ୍ରଙ୍କୁ ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ର ଉପ-ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି।