ଭୁବନେଶ୍ୱର: ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରି ଇସ୍କନ ପକ୍ଷରୁ ଦେଶ ବିଦେଶରେ ଅନୁଷ୍ଠିତ ହେଉଥିବା ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ପାଇଁ ଓଡ଼ିଆ ଅସ୍ମିତା ପରିଷଦ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କୁ ଏକ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି । ପରିଷଦର ଆବାହକ ରବି ବେହେରାଙ୍କ ପକ୍ଷରୁ ଲେଖା ଯାଇଥିବା ଏହି ପତ୍ରରେ କୁହାଯାଇଛି ଯେ, କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭକ୍ତି ଭାବନା ସହ ଇସ୍କନ ବାରମ୍ବାର ଖେଳ ଖେଳି ଚାଲିଛି । ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ଜଗନ୍ନାଥ ମନ୍ଦିର ପ୍ରଶାସନର ଅନୁରୋଧକୁ ବେଖାତିର କରି ଇସ୍କନ ଅଦିନିଆ ରଥଯାତ୍ରା କରିଚାଲିଛି । ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ଭାରତ ସରକାରଙ୍କୁ ନିର୍ଦେଶ ଦେବାକୁ ଶ୍ରୀ ବେହେରା ମାନ୍ୟବର ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି । ଏଠାରେ ଉଲ୍ଲେଖ ଥାଉ କି ଆଗାମୀ ଦିନରେ ଇସ୍କନ ପକ୍ଷରୁ ୮୦ଟି ସ୍ଥାନରେ ଅଦିନିଆ ରଥଯାତ୍ରା ଓ ୧୦ ଟି ଜାଗାରେ ଅଦିନିଆ ସ୍ନାନଯାତ୍ରା ହେବାର କାର୍ଯ୍ୟକ୍ରମ ରହିଛି ।