ଭୁବନେଶ୍ବର: ବିଧାନସଭାରେ ନବନିର୍ବାଚିତ ବିଧାୟକଙ୍କ ଶପଥ ପାଠ। ଶପଥ ନେଉଛନ୍ତି ରାଜ୍ୟର ନବନିର୍ବାଚିତ ବିଧାୟକ। ବିଧାୟକଙ୍କୁ ଶପଥ ପାଠ କରାଉଛନ୍ତି ପ୍ରୋଟେମ୍ ସ୍ପିକର (କାମଚଳା ବାଚସ୍ପତି) ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପରେ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେଭି ସିଂହ ଦେଓ ମଧ୍ୟ ଶପଥ ନେଇଛନ୍ତି। ବିଜେଡ଼ି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ପହଞ୍ଚି ବିଧାୟକ ଭାବେ ଶପଥ ନେଇଛନ୍ତି। ସେହିପରି ଜଣଙ୍କ ପରେ ଜଣେ ନବନିର୍ବାଚିତ ବିଧାୟକମାନେ ଶପଥ ନେଉଛନ୍ତି।
ସୂଚନା ଅନୁଯାୟୀ, ଯେଉଁ ବିଧାୟକମାନେ ଅନୁପସ୍ଥିତ ଥିବେ, ସେମାନେ ପରବର୍ତ୍ତୀ ସମୟରେ ବିଧାନସଭାରେ ଶପଥ ନେଇପାରିବେ। ନବନିର୍ବାଚିତ ବାଚସ୍ପତି ସେମାନଙ୍କୁ ଶପଥ ପାଠ କରାଇବେ ବୋଲି ଜଣାପଡ଼ିଛି।
ଅପରପକ୍ଷେ ,୧୯ ତାରିଖରେ ନୂଆ ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ ହେବ। ୧୯ ତାରିଖ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବାକୁ ଥିବା ବେଳେ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ନିର୍ବାଚନ ପରିଚାଳନା କରିବେ। ବିଜେପିର ୭୮ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିକୁ ନିଜର ସମର୍ଥନ ଜଣାଇଛନ୍ତି। ତେଣୁ ସଂଖ୍ୟାଦୃଷ୍ଟିରୁ ଶାସକ ବିଜେପିର ଜଣେ ବିଧାୟକ ବାଚସ୍ପତି ହେବା ଏକପ୍ରକାର ସୁନିଶ୍ଚିତ ହୋଇଛି। ବାଚସ୍ପତି ନିର୍ବାଚନ ବର୍ତ୍ତମାନ ଏକ ଔପଚାରିକତା ହୋଇଥିବା ବେଳେ ଏହି ପଦ ପାଇଁ ଶାସକ ଦଳ ପକ୍ଷରୁ କିଏ ନାମାଙ୍କନ ଦାଖଲ କରୁଛନ୍ତି, ତାହାକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି।
ତେବେ ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସପ୍ତଦଶ ବିଧାନସଭାର ବାଚସ୍ପତି ଦୌଡ଼ରେ ରଣପୁର ବିଜେପି ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ସର୍ବାଗ୍ରେ ରହିଛନ୍ତି। ଏପରିକି ତାଙ୍କ ନାମ ଏକପ୍ରକାର ଚୂଡ଼ାନ୍ତ ହୋଇଥିବା ନେଇ ଦଳୀୟ ସୂତ୍ରରୁ ଜଣାପଡ଼ିଛି।