ଭୁବନେଶ୍ବର : ସୋମବାର ହାଇଦ୍ରାବାଦରେ ଅନୁଷ୍ଠିତ ହେଉଛି ଓଡ଼ିଶା ନିବେଶକ ସମ୍ମିଳନୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କମ୍ପାନିର ସିଇଓ ତଥା ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ କରିବା ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରିଛନ୍ତି ନବୀନ।
ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମ ଦିନ ଥିଲା, କିନ୍ତୁ ମୁଖ୍ୟମନ୍ତ୍ରୀ ଜନ୍ମ ଦିନକୁ ପାଳନ ନକରି ଓଡ଼ିଶାର ତଥା ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ରାଜଧାନୀ ଭୁବନେଶ୍ୱରର ଚନ୍ଦକା ଶିଳ୍ପାଞ୍ଚଳରେ ଆଇବିଏମର ଭୁବନେଶ୍ୱର କାର୍ୟ୍ୟାଳୟକୁ ଉଦଘାଟନ କରି ହାଇଦ୍ରାବାଦରେ ହେଉଥିବା ଇନଭେଷ୍ଟର୍ସ ମିଟ୍ ଯୋଗ ଦେବା ପାଇଁ ବାହାରି ଯାଇଥିଲେ।
ତେବେ ଆଜି ଅନୁଷ୍ଠିତ ହେଉଥିବା ଓଡ଼ିଶା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଘଣ୍ଟାରେ ୩୭ ନିବେଶକଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି। ୭୭ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଓଡ଼ିଶାବାସୀଙ୍କ ପାଇଁ ନବୀନ କ୍ଲାନ୍ତ ଅନୁଭବ ନକରି ନିବଶକମାନଙ୍କ ସହ ନନ୍ ଷ୍ଟପ୍ ଆଲୋଚନା କରିଛନ୍ତି। ଓଡ଼ିଶା ଶିଳ୍ପାୟନ ପାଇଁ ସର୍ବୋକୃଷ୍ଟ। ବିଶାଳ ବେଳାଭୂମି, ଖଣିଜ ଶିଳ୍ପରେ ସମୃଦ୍ଧ ରାଜ୍ୟ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଉତ୍ତମ ପରିବେଶ ରହିଛି। ଏଥି ସହିତ ରାଜ୍ୟ ସରକାର ମଧ୍ୟ ରାଜ୍ୟରେ ପୁଞ୍ଜିନିବେଶ କରୁଥିବା ନିବେଶକମାନଙ୍କୁ ସମସ୍ତ କ୍ଷେତ୍ରରେ ସହଯୋଗର କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମଧ୍ୟ ନବୀନ ଜଣାଇଛନ୍ତି।
ଆସନ୍ତା ନଭେମ୍ବର-ଡିସେମ୍ବରରେ ଭୁବନେଶ୍ବରରେ ହେବାକୁ ଥିବା ମେକ ଇନ ଓଡ଼ିଶା ସମ୍ମିଳନୀ ପୂର୍ବରୁ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ୮ମ ରୋଡ ସୋ । ପୂର୍ବରୁ ଦୁବାଇ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁରେ ଏହି ମିଟ ଆୟୋଜିତ ହୋଇସାରିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭାରତ ବାୟୋଟେକର ଅଧ୍ୟକ୍ଷ ଡ.କ୍ରିଷ୍ଣା ଏଲାଙ୍କୁ ଭେଟି ଓଡ଼ିଶାରେ ପ୍ରସ୍ତାବିତ ଟିକା କାରଖାନା ଉପରେ ଆଲୋଚନା କରିଥିଲେ । ରାମକି ଗ୍ରୁପର ଏମଡି ଓ୍ବାଇଆର. ନାଗରାଜା, ଶ୍ରୀମଲାନି ଫୋମ୍ସର ଅଧ୍ୟକ୍ଷ ପୁରୁଷୋତ୍ତମ ମଲାନି, ଦିବ୍ୟଶକ୍ତି ଇଣ୍ଡିଆର ଅଧ୍ୟକ୍ଷ ରବୀନ୍ଦ୍ର ଅଗ୍ରଓ୍ବାଲ,ଡେଲଏଟ ଇଣ୍ଡିଆର ଏମଡି ଏମ.ଭେଙ୍କଟରାମ, ସାନିଭିରା ଇଣ୍ଡଷ୍ଟ୍ରିଜର ଏମଡି ଓ୍ବାଇ.ରାଜୀବ ରେଡ୍ଡୀ, ଆରନ କ୍ୟାପିଟାଲର ଅଧ୍ୟକ୍ଷ ଡେଭିଡ୍ ଓଲଫ, କଣ୍ଟ୍ରୋଲ-ଏସ ଡାଟାସେଣ୍ଟରର ସିଏମଡି ପିଏସ ରେଡ୍ଡୀ , ମାଇକ୍ରୋସଫ୍ଟ ଇଣ୍ଡିଆର ଏମଡି ରାଜୀବ କୁମାର, ଓରାକଲ ଇଣ୍ଡିଆର ଏମଡି ଶୈଳେନ୍ଦ୍ର କୁମାର ପ୍ରମୁଖଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଅନୁକୂଳ ବ୍ୟବସାୟିକ ବାତାବରଣ ରହିଛି ବୋଲି କହିଛନ୍ତି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।