ଓଡ଼ିଶାରେ ତାତିରୁ ମିଳିବନି ନିସ୍ତାର: ଆସନ୍ତା ୩ ଦିନ ଯାଏଁ ପ୍ରବଳ ଗ୍ରୀଷ୍ମପ୍ରବାହ, ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ଅସହ୍ୟ ଖରାରେ ଜଳୁଛି ସାରା ଓଡିଶା । ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମପ୍ରବାହ । ଆଗାମୀ ୩  ଦିନ ପର୍ଯ୍ୟନ୍ତ ଏହି ତାତିରୁ ନିସ୍ତାର ମିଳିବାର କୌଣସି ସମ୍ଭାବନା ନାହିଁ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଓଡ଼ିଶାର ବିଭିନ୍ନ ସ୍ଥାନ ପାଇଁ ଗ୍ରୀଷ୍ମପ୍ରବାହ ସତର୍କ ସୂଚନା ଜାରି କରାଯାଇଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ସ୍ଥିତି ଗମ୍ଭୀର ରହିବ ଏବଂ ମେ' ୨୭ ତାରିଖ ପର୍ଯ୍ୟନ୍ତ ତିନୋଟି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ବଲପୁର, ବଲାଙ୍ଗିର, ବୌଦ୍ଧକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

ମେ' ୨୬ ପାଇଁ ସମ୍ବଲପୁର, ବଲାଙ୍ଗୀର ଏବଂ ବୌଦ୍ଧ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ସହ ରାତିରେ ମଧ୍ୟ ଉଷ୍ମ ପରିବେଶ ରହିବାର ଆଶଙ୍କା ରହିଛି। ସେହିପରି ଝାରସୁଗୁଡ଼ା, ସୁବର୍ଣ୍ଣପୁର, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଅନ୍ୟପକ୍ଷରେ କନ୍ଧମାଳ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ଯାଜପୁର, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

ମେ' ୨୭ ତାରିଖରେ ମଧ୍ୟ ସ୍ଥିତି ସମାନ ରହିବ। ସମ୍ବଲପୁର, ବଲାଙ୍ଗୀର ଏବଂ ବୌଦ୍ଧ ପାଇଁ ରେଡ୍ ୱାର୍ଣ୍ଣିଂ ବଳବତ୍ତର ରହିବ। ଝାରସୁଗୁଡ଼ା, ସୁବର୍ଣ୍ଣପୁର, କଳାହାଣ୍ଡି ଏବଂ ନୂଆପଡ଼ା ପାଇଁ ଅରେଞ୍ଜ ଆଲର୍ଟ ରହିବ। ଏହା ସହିତ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ଗୁଳଗୁଳି ଏବଂ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ।

ମେ' ୨୮ ତାରିଖ ବେଳକୁ ଗ୍ରୀଷ୍ମପ୍ରବାହର ତୀବ୍ରତା ସାମାନ୍ୟ କମିବାର ସମ୍ଭାବନା ରହିଛି। ଏହି ଦିନ ସମ୍ବଲପୁର, ବୌଦ୍ଧ ଏବଂ ବଲାଙ୍ଗୀର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ସୁବର୍ଣ୍ଣପୁର, ନୂଆପଡ଼ା, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ବରଗଡ଼ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଆଇଏମଡି ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ ସତର୍କତାମୂଳକ ପରାମର୍ଶ ଦିଆଯାଇଛି। ବିଶେଷ କରି ଦିନ ୧୧ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସିଧାସଳଖ ଖରାରେ ନ ବାହାରିବାକୁ କୁହାଯାଇଛି। ଶିଶୁ, ବୟସ୍କ ବ୍ୟକ୍ତି ଏବଂ ରୋଗୀମାନେ ଅଧିକ ସତର୍କତା ଅବଲମ୍ବନ କରିବା ସହ ପ୍ରଚୁର ପରିମାଣରେ ପାଣି ପିଇବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

About The Author: Madhusudan Das