ପୁରୀ: ପବିତ୍ର ବାହୁଡା ଦଶମୀରେ ଜନ୍ମବେଦୀରୁ ବାହୁଡି ଆସିଛନ୍ତି ଦାରୁବ୍ରହ୍ମ। ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତିନିରଥ। ରଥାରୁଢ ଠାକୁର ସୁନାବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇ ସେମାନଙ୍କୁ କୃତ୍ତାର୍ଥ କରିଛନ୍ତି। ଶୁକ୍ରବାର ରଥ ଉପରେ ସମ୍ପନ୍ନ ହୋଇଛି ଅଧରପଣା ନୀତି। ଶନିବାର ନୀଳାଦ୍ରବିଜେ। ଏହି ପବିତ୍ର ତିଥିରେ ରତ୍ନବେଦୀକୁ ବିଜେ କରିବେ ଦାରୁଦିଅଁ। ଏହାସହିତ ଶେଷ ହେବ ଶ୍ରୀଗୁଣ୍ଡିଚା ଯାତ୍ରା। ଆଉ ରବିବାରଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା। ପୁଣି ଶ୍ରୀମନ୍ଦିରରେ ଲାଗିବ ଗହଳି ଚହଳି। ନୀଳାଦ୍ରିବିଜେ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇରହିଛି ପ୍ରଶାସନ। ଜିଲ୍ଲା ପ୍ରଶାସନ, ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ନିଜ ନିଜର ପ୍ରସ୍ତୁତି ସାରିଛନ୍ତି। ଏହି ମହାନ ପର୍ବର ଅନ୍ତିମ ଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ସମସ୍ତେ ଅପେକ୍ଷାରତ। ନୀଳାଦ୍ରିବିଜେ ନୀତି ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରଥ ଉପରେ ଠାକୁରଙ୍କ ନୀତିକୁ ତ୍ୱରାନ୍ୱିତ କରି ଅପରାହ୍ନ ୪ଟା ସୁଦ୍ଧା ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଆରମ୍ଭ ହେବ।
ନୀଳାଦ୍ରିବିଜେ ନୀତି ନିର୍ଘଣ୍ଟ
ତିନିରଥରେ ମଙ୍ଗଳ ଆଳତି ପ୍ରାତଃ ୪ଟା, ମଇଲମ-ତଡପଲାଗି ୪ଟା ୩୦, ଅବକାଶ ଭୋର ୫ଟା, ବେଶ ଶେଷ ୫ଟା ୩୦, ଗୋପାଳବଲ୍ଲଭ ସକାଳ ୬ଟା ୩୦, ସକାଳ ଧୂପ ୭ଟାରୁ ୮ଟା, ମଇଲମ ୮ଟା ୩୦, ମହାସ୍ନାନ ଓ ସର୍ବାଙ୍ଗ ୯ଟା ୩୦, ବେଶଶେଷ ପୂର୍ବାହ୍ନ ୧୦ଟା, ମଧ୍ୟାହ୍ନ ଧୂପ ସାଢେ ୧୦ରୁ ସାଢେ ୧୧, ମଇଲମ ଓ ବେଶ ୧୧ଟା ୪୫ରୁ ମଧ୍ୟାହ୍ନ ୧୨ଟା, ସନ୍ଧ୍ୟା ଆଳତି ୧୨ଟା ୧୫, ସନ୍ଧ୍ୟାଧୂପ ସାଢେ ୧୨ରୁ ସାଢେ ୧ଟା, ଚାରବନ୍ଧା ସାଢେ ୧ଟାରୁ ସାଢେ ୩ଟା, ସିଂହାସନ ମାଜଣା ୩ଟା ୩୦, ପୁଷ୍ପାଞ୍ଜଳି ୩ଟା ୫୦, ପହଣ୍ଡି ଆରମ୍ଭ ୪ଟା, ପହଣ୍ଡି ଶେଷ ରାତି ୧୦ଟା, ରୁନ୍ଧା ଶେଷ ସାଢେ ୧୨ଟା, ଦଇତାପତି ସର୍ବାଙ୍ଗ ୧ଟା, ଶ୍ରୀମୁଖ ଖଣ୍ଡୁଆ ୧ଟା ୧୦, ଚାରମାଳ ଫିଟା ୧ଟା ୧୫ରୁ ୨ଟା ୧୫, ସୁଦର୍ଶନ ସିଂହାସନକୁ ବିଜେ ୨ଟା ୩୦, ଶ୍ରୀମୁଖ ଖଣ୍ଡୁଆ ମଇଲମ ୨ଟା ୩୦, ଚକା ପୋଛା ୨ଟା ୪୫, ସିଂହାସନ ଧୁଆ ୩ଟା, ମାଧବ, ଶ୍ରୀଦେବୀ ଓ ଭୂଦେବୀ ସିଂହାସନକୁ ବିଜେ ୩ଟା ୧୦, ମହାସ୍ନାନ ଶେଷ ୩ଟା ୩୦, ରୋଷ ହୋମ ୩ଟା ୩୫, ମଇଲମ ୩ଟା ୩୫, ଚନ୍ଦନଲାଗି ୩ଟା ୪୫, ସୂର୍ଯ୍ୟପୂଜା ଭୋର ୪ଟା, ଦ୍ୱାରପାଳ ପୂଜା ୪ଟା ୧୫, ବଡସିଂହାର ବେଶ ୪ଟା ୧୫, ବଡସିଂହାର ଭୋଗ ୪ଟା ୪୫ ଓ ରାତ୍ର ପହୁଡ ଭୋର ୫ଟାରେ ହେବାକୁ ନୀତି ନିର୍ଘଣ୍ଟ ହୋଇଛି।