ଭୁବନେଶ୍ୱର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା କୁବେର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ । ରିମାଣ୍ଡ ଅନୁମତି ଦେଇଛନ୍ତି ଭିଜିଲାନ୍ସ କୋର୍ଟ । କ୍ରିପଟୋ କରେନ୍ସୀରେ ଲାଗିଥିବା କୋଟି କୋଟି ଟଙ୍କାର ଖୋଳତାଡ କରୁଛି ଭିଜିଲାନ୍ସ । ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ(ଆର୍ଡବ୍ଲୁଏସ୍ଏସ୍) ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ହେଉଛନ୍ତି ନିହାର ରଞ୍ଜନ ଦାସ । ଜାମିନ ଆବେଦନ ଖାରଜ ପରେ ଆସନ୍ତା ୧୦ ତାରିଖ ଯାଏ ତାଙ୍କୁ ଝାଡପଡା ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ନିହାର ରଞ୍ଜନ ଦାସ କ୍ରିପ୍ଟୋ କରେନ୍ସିରେ ନିବେଶ କରିଛନ୍ତି କୋଟିଏରୁ ଅଧିକ ଟଙ୍କା । ୩୮ଟି ଓ୍ଵାଲେଟରୁ ଏହି ଟଙ୍କା ମିଳିଛି ।
ସୂଚନାଯୋଗ୍ୟ, ଗତ ମାସ ୨୮ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିହାର ଭିଜିଲାନ୍ସ ଦ୍ବାରା ଶନିବାର ଗିରଫ ହୋଇଥିଲେ। କ୍ରିପ୍ଟୋ କରେନ୍ସି ସହ ଭିଜିଲାନ୍ସ ତାଙ୍କର ୩ କୋଟି ୯୬ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସଂପତ୍ତି ଠାବ କରିଛି । ଯାହା ତାଙ୍କ ଆୟ ଠାରୁ ୨୭୫ ପ୍ରତିଶତ ଅଧିକ । କେବଳ ସମ୍ବଲପୁରରେ ରହିଛି ୮ଟି ପ୍ଲଟ । କେବଳ କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ନୁହେଁ, ଅନ୍ୟ ଲିକ୍ୟୁଡିଟି ବିନିଯୋଗ ପ୍ଲାଟଫର୍ମରେ ମଧ୍ୟ ଟଙ୍କା ଲଗାଇଛନ୍ତି ନିହାର । ଅନ୍ୟପଟେ ନିହାରଙ୍କ ଲିଙ୍କ୍ ନେଇ ସମ୍ବଲପୁରର ଏକାଧିକ ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା। ସମ୍ବଲପୁରର ଜଣେ ଠିକାଦାରଙ୍କର ସହ ତାଙ୍କର ଲିଙ୍କ୍ ମିଳିବା ପରେ ଭିଜିଲାନ୍ସ ଠିକାଦାରଙ୍କ ଘରେ ଓ କାର୍ଯ୍ୟାଳୟରେ ଚଢ଼ଉକରି ବିଭିନ୍ନ କାଗଜପତ୍ର ଜବତ କରିଛି। ତାଙ୍କୁ ରିମାଣ୍ଡରେ ଆଣି ଏସବୁ ଦିଗରେ ପଚରାଉଚରା କରୁଛି ଭିଜିଲାନ୍ସ ।