ବାରବାଟୀ ପ୍ରତି ଉପହାସ ! ଷ୍ଟାଡିୟମ୍‌ ନବକଳେବରକୁ ନା କହିଲେ ନୂଆ ସରକାର

କଟକ : ନବୀନ ସରକାର ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ର ନବୀକରଣ କରିବା ସହ ଏହାକୁ ବିଶ୍ୱସ୍ତରୀୟ ରୂପ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିନିମନ୍ତେ ୭୦୦ କୋଟି ଟଙ୍କାର ବ୍ୟୟ ହୋଇଥିଲା। ତତ୍କାଳୀନ ସରକାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମାତ୍ର ବିଜେପି ସରକାର ଶାସନ କାଳରେ କଟକିଆଙ୍କୁ ଶକ୍ତ ଧକ୍କା ଲାଗିଛି। ବାରବାଟୀ ଷ୍ଟାଡିୟମର ନବକଳେବର ସ୍ୱପ୍ନ ମାଟିରେ ମିଶିଯିବାର ଆଶଙ୍କା ସୃଷ୍ଟି ହୋଇଛି। ବାରବାଟୀର ନବୀକରଣ ନିମନ୍ତେ କୌଣସି ଯୋଜନା ନାହିଁ ବୋଲି ବିଧାନସଭାରେ ଆଗତ ଏକ […]

କଟକ : ନବୀନ ସରକାର ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ର ନବୀକରଣ କରିବା ସହ ଏହାକୁ ବିଶ୍ୱସ୍ତରୀୟ ରୂପ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିନିମନ୍ତେ ୭୦୦ କୋଟି ଟଙ୍କାର ବ୍ୟୟ ହୋଇଥିଲା। ତତ୍କାଳୀନ ସରକାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମାତ୍ର ବିଜେପି ସରକାର ଶାସନ କାଳରେ କଟକିଆଙ୍କୁ ଶକ୍ତ ଧକ୍କା ଲାଗିଛି। ବାରବାଟୀ ଷ୍ଟାଡିୟମର ନବକଳେବର ସ୍ୱପ୍ନ ମାଟିରେ ମିଶିଯିବାର ଆଶଙ୍କା ସୃଷ୍ଟି ହୋଇଛି। ବାରବାଟୀର ନବୀକରଣ ନିମନ୍ତେ କୌଣସି ଯୋଜନା ନାହିଁ ବୋଲି ବିଧାନସଭାରେ ଆଗତ ଏକ ପ୍ରଶ୍ନର ଉତ୍ତରରେ ମତ ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଆଜି ବିଧାନସଭାରେ ବାରବାଟୀ ନବକଳେବର ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ମିଳିଥିଲ ଯେ ବାରବାଟୀର ନବୀକରଣ ନିମନ୍ତେ କୌଣସି ଯୋଜନା ନାହିଁ।

ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ୍‌-ଭେନ୍ୟୁ ବାରବାଟୀ ଷ୍ଟାଡିୟମ୍‌ର ନବକଳେବର ହୋଇଥା’ନ୍ତା। ୨୭ଟି ଅନ୍ତର୍ଜାତୀୟ ମ୍ୟାଚ୍‌‌ର ମୂକସାକ୍ଷୀ ହେଉଛି ଏହି ବାରବାଟୀ। ୪୪ ହଜାର ଦର୍ଶକ କ୍ଷମତା ଥିବା ଏହି ଷ୍ଟାଡିୟମର ନବକଳେବର ହେବା ପରେ ୬୦ ହଜାର ଦର୍ଶକ ଏକ ସଙ୍ଗରେ ମ୍ୟାଚ୍‌‌ ଦେଖିପାରିବା ଭଳି ବ୍ୟବସ୍ଥା ହୋଇଥାନ୍ତା। କେବଳ ଯେ ସିଟ୍‌‌ ସଂଖ୍ୟା ଯେ ବୃଦ୍ଧି ପାଇଥାନ୍ତା, ତାହା ନୁହେଁ, ଏହାର ସୌନ୍ଦର୍ଯ୍ୟୀକରଣ ଏକ ବିଶ୍ୱସ୍ତରୀୟ ଷ୍ଟାଡିୟମ ଭଳି ପ୍ରତିଫଳନ କରିଥା’ନ୍ତା। ନିର୍ମାଣ କାର୍ଯ୍ୟର ଅବଧି ଥିଲା ୩ବର୍ଷ। କାର୍ଯ୍ୟ ଶେଷ ହେଲେ ସମଗ୍ର ବିଶ୍ୱକୁ ଚମକାଇଦେବା ଭଳି ଏକ ଷ୍ଟାଡିୟମ କଟକରେ ଶୋଭା ପାଇବ ବୋଲି କୁହାଯାଇଥିଲା। ନବୀକରଣ କାର୍ଯ୍ୟ ନିମନ୍ତେ ୭୦୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମଧ୍ୟ ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଥିଲା। ବିସିସିଆଇ, ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ଓ ନବୀନ ସରକାରଙ୍କ ସହଯୋଗରେ ଐତିହାସିକ ବାରବାଟୀକୁ ନୂଆ ରୂପ ଦେବାକୁ ଉଦ୍ୟମ ଆରମ୍ଭ ହୋଇଥିଲା।

ଗତ ଫେବୃୟାରୀ ୨୭ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ନୂଆ ଷ୍ଟାଡିୟମ୍‌ ନିର୍ମାଣର ଭିତ୍ତିପ୍ରସ୍ତର ପଡ଼ିଥିଲା। ହେଲେ ଏହି ସବୁ ସ୍ୱପ୍ନ ଧୂଳିସାତ ହେବାକୁ ଯାଉଛି। ବିଜେପି ଶାସିତ ରାଜ୍ୟ ସରକାର ବାରବାଟୀକୁ ଅଣଦେଖା କରିଛନ୍ତି। ଯାହାକୁ ନେଇ କଟକିଆଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି ଯେ ମନ୍ତ୍ରୀଙ୍କ ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲି। ବାରବାଟୀ ଷ୍ଟାଡିୟମ୍‌ ଆମ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ। ଏହାର ନବୀକରଣ ନିମନ୍ତେ ପୂର୍ବ ସରକାର ଯଥେଷ୍ଟ ଉଦ୍ୟମ କରିଥିଲେ। ଏକ ଏମ୍‌ଓୟୁ ମଧ୍ୟ ସ୍ୱାକ୍ଷର ହୋଇଥିଲା। ବାରବାଟୀ ଷ୍ଟାଡିୟମର ନବୀକରଣ ସହ ଏହାର ଆଖପାଖ ଅଞ୍ଚଳର ମଧ୍ୟ ଉନ୍ନତୀକରଣ ହୋଇଥା’ନ୍ତା। ହେଲେ ଏଭଳି କୌଣସି ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ କିପରି କହିଲେ ତାହା ଆଶ୍ଚର୍ଯ୍ୟଜନକ। ମୋ ପ୍ରଶ୍ନର ଉତ୍ତର ମୋତେ ସଠିକ ଭାବେ ମିଳିନାହିଁ। ମନ୍ତ୍ରୀଙ୍କୁ ଭେଟି ପୁଣିଥରେ ଏହାର ଜବାବ ମାଗିବି ବୋଲି ବିଧାୟିକା ସୋଫିଆ କହିଛନ୍ତି।

About The Author: The Sakala