ଭୁବନେଶ୍ୱର: ଆସିଲା ନୂଆ ଅବକାରୀ ନୀତି ୨୦୨୬-୨୯ । ଗୃହରେ ନୂଆ ଅବକାରୀ ନୀତି ଉପସ୍ଥାପନ କରିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କଲେ ରାଜ୍ୟ ସରକାର । ଓଡ଼ିଶା ସରକାର ୧ ଏପ୍ରିଲ ୨୦୨୬ ଠାରୁ ୩୧ ମାର୍ଚ୍ଚ ୨୦୨୯ ଅବଧ ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରିଛନ୍ତି । ନୂଆ ଅବକାରୀ ନୀତି ଅନୁଯାୟୀ ରାଜ୍ୟରେ ଆଉ ନୂତନ ଠିପି ଖୋଲା ଓ ଠିପି ବନ୍ଦ ଦୋକାନ ଖୋଲିବା ନିମନ୍ତେ ଅନୁମତି ଦିଆଯିବ ନାହଁ । ଗ୍ରାମୀଣ ଅଞ୍ଚଳରେ ମଧ୍ୟ ନୂତନ ମଦ ଦୋକାନ ଖୋଲିବା ନିମନ୍ତେ ଅନୁମୋଦନ ଦିଆଯିବ ନାହିଁ । କେବଳ ଶିଳ୍ପାଞ୍ଚଳର ୩-ତାରକା ଓ ତାହା ଠାରୁ ଉପର ହୋଟେଲ୍ ଓ କ୍ଲବ୍ରେ ଛାଡ଼ ରହିବ। ଧାର୍ମିକ ଓ ସାଂସ୍କୃତିକ ଭାବନାକୁ ସମ୍ମାନ ଦେଇ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ଅବକାରୀ ଦୋକାନ ଚାଲୁ ହେବ ନାହିଁ । ଏହା ସହିତ ଘରକୁ ମଦ ପହଞ୍ଚାଇବାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ।
CCTV ନିରୀକ୍ଷଣରେ ରହିବ ସମସ୍ତ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନ। ନୂଆ ଅବକାରୀ ଲାଇସେନ୍ସ ପାଇଁ ୧୦ ପ୍ରତିଶତ ବଢିଛି ଆବେଦନ ଶୁଳ୍କ। ଏଣିକି ହୋମ୍ ଡେଲିଭରିରେ ମିଳିବନି ମଦ। ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଲାଇସେନ୍ସ ଶୁଳ୍କ ବାର୍ଷିକ ୧୦ ରୁ ୨୦ ପ୍ରତିଶତ ବୃଦ୍ଧି ପାଇବ। IMFL ଓ ଦେଶୀ ମଦ ଉପରେ ଅବକାରୀ ଶୁଳ୍କ ବୃଦ୍ଧି ହୋଇଛି। ନୂଆ ଅବକାରୀ ନୀତିରେ ମଦକୁ କ୍ଷତିକାରକ ପଦାର୍ଥ ଭାବେ ସ୍ୱୀକାର କରାଯାଇଛି।
Out-Still (OS) ଉତ୍ପାଦନ ୟୁନିଟ୍ ଗୁଡ଼ିକୁ ଆଧୁନିକୀକରଣ, ଉନ୍ନତ ପ୍ୟାକେଜିଂ ଏବଂ ଗୁଣବତ୍ତା ନିୟନ୍ତ୍ରଣ ଯନ୍ତ୍ରପାତି ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । FSSAI ସାର୍ଟିଫିକେସନ୍ ଓ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପାଳନ ଅନିବାର୍ଯ୍ୟ କରାଯିବ । ନିର୍ଦ୍ଧାରିତ ସମୟ ସୀମାରେ ଆଧୁନିକୀକରଣ ସମ୍ପୂର୍ଣ୍ଣ କରୁଥିବା ୟୁନିଟ୍ ମାନଙ୍କୁ ପ୍ରୋତ୍ସାହନ ମଧ୍ୟ ଦିଆଯିବ।
ସରକାର ENA ଗତିବିଧି ନିରୀକ୍ଷଣ ଓ ଉତ୍ପାଦନରୁ ବିକ୍ରୟ ପର୍ଯ୍ୟନ୍ତ ପ୍ରତ୍ୟେକ ବୋତଲକୁ ଟ୍ରାକ୍ କରିବା ପାଇଁ Track & Trace ପ୍ରଣାଳୀ ପ୍ରବର୍ତନ କରିବାକୁ ସିଦ୍ଧାନ୍ତ ନେଇଛନ୍ତି । ସମସ୍ତ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନ ଗୁଡ଼ିକୁ CCTV ନିରୀକ୍ଷଣ ଅଧୀନରେ ଆଣାଯିବ ଏବଂ ଏହାକୁ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଓ ସମ୍ପର୍କିତ ଜିଲ୍ଲା କାର୍ଯ୍ୟାଳୟ ସହ ସଂଯୋଜିତ କରାଯିବ । ଏହା ସହିତ ରାଜ୍ୟର ଅବକାରୀ ରାସାୟନିକ ପରୀକ୍ଷାଗାର ଗୁଡ଼ିକୁ ଆଧୁନିକ ପ୍ରଯୁକ୍ତି ଓ ପ୍ରଶିକ୍ଷିତ ମାନବ ସମ୍ବଳ ମାଧ୍ୟମରେ ସୁଦୃଢ଼ ଓ ଉନ୍ନତ କରାଯିବ।