ଖରା ଛୁଟିରେ +୨ ପିଲାଙ୍କୁ ଦିଆଯିବ ନିଟ୍‌‌ ଓ ଜେଇଇ କୋଚିଂ

ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗୁରୁବାରଠାରୁ ଖରାଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ରାଜ୍ୟର ସମସ୍ତ +୨ ମହାବିଦ୍ୟାଳୟରେ ମଧ୍ୟ ଶିକ୍ଷାଦାନ ବନ୍ଦ ରହିଛି। ଏହି ସମୟରେ ନିଟ୍‌‌ ଓ ଜେଇଇ ଆଶାୟୀଙ୍କ ପାଇଁ ନିୟମିତ ଭାବେ ରବିବାର ଓ ସରକାରୀ ଛୁଟି ଦିବସ ବ୍ୟତୀତ ସକାଳ ୧୦ଟାରେ ଅନ୍‌‌ଲାଇନ୍‌‌ କୋଚିଂ ବା ଶିକ୍ଷାଦାନ କରାଯିବ। ଛୁଟି ସମୟକୁ ସଦୁପଯୋଗ କରିବା ସହ ଶୈକ୍ଷିକ କାର୍ଯ୍ୟକ୍ରମ ଚାଲୁ ରଖିବା ପାଇଁ […]

ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗୁରୁବାରଠାରୁ ଖରାଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ରାଜ୍ୟର ସମସ୍ତ +୨ ମହାବିଦ୍ୟାଳୟରେ ମଧ୍ୟ ଶିକ୍ଷାଦାନ ବନ୍ଦ ରହିଛି। ଏହି ସମୟରେ ନିଟ୍‌‌ ଓ ଜେଇଇ ଆଶାୟୀଙ୍କ ପାଇଁ ନିୟମିତ ଭାବେ ରବିବାର ଓ ସରକାରୀ ଛୁଟି ଦିବସ ବ୍ୟତୀତ ସକାଳ ୧୦ଟାରେ ଅନ୍‌‌ଲାଇନ୍‌‌ କୋଚିଂ ବା ଶିକ୍ଷାଦାନ କରାଯିବ। ଛୁଟି ସମୟକୁ ସଦୁପଯୋଗ କରିବା ସହ ଶୈକ୍ଷିକ କାର୍ଯ୍ୟକ୍ରମ ଚାଲୁ ରଖିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।

ଛୁଟି ସମୟରେ ଛାତ୍ରଛାତ୍ରୀମାନେ ଶିକ୍ଷା ସହ ଜଡ଼ିତ ହୋଇ ରହିବା ପାଇଁ ସେମାନଙ୍କୁ ହୋମ୍‌‌ୱାର୍କ ପ୍ରଦାନ କରିବେ ଶ୍ରେଣୀ ଶିକ୍ଷକ। କୌଣସି ବିଷୟରେ ଦ୍ୱନ୍ଦ୍ୱ ଥିଲେ, ସେମାନେ ସେହି ବିଷୟର ଶିକ୍ଷକ ବା ଶ୍ରେଣୀ ଶିକ୍ଷକଙ୍କୁ ଫୋନରେ ଯୋଗାଯୋଗ କରି ସନ୍ଦେହ ଦୂର କରିପାରିବେ। ଆବଶ୍ୟକସ୍ଥଳେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଶ୍ରେଣୀ ଶିକ୍ଷକ ଆଲୋଚନା କରିବେ। ସମଗ୍ର ଖରା ଛୁଟିରେ ଶିକ୍ଷକ ଓ କର୍ମଚରୀମାନେ ରୋଷ୍ଟର ଡ୍ୟୁଟି କରିବେ। ଏଥିପାଇଁ ସ୍ୱତନ୍ତ୍ର ରେଜିଷ୍ଟରରେ ସମସ୍ତ ତଥ୍ୟ ଉଲ୍ଲେଖ କରାଯିବ। ନାମଲେଖାକୁ ଦୃଷ୍ଟିରେ ରଖି ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଅଫିସ ଖୋଲା ରହିବ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ କର୍ମଚାରୀଙ୍କୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ନ ଛାଡ଼ିବାକୁ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

About The Author: The Sakala