ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଗଟେରୀ ପଞ୍ଚାୟତ ଅନ୍ତର୍ଗତ ଆଡ଼ିପଦା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟିଛି। ଏହି ହିଂସାକାଣ୍ଡରେ ଜଣଙ୍କର ଜୀବନ ଯାଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଗ୍ରାମରେ ବୋମାମାଡ଼ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଉତ୍ତେଜନା ପ୍ରକାଶ ପାଇଛି।
ଏହି ସଂଘର୍ଷରେ ମନୁ ବାରିକ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଆକ୍ରମଣ ସମୟରେ ତାଙ୍କୁ ମାରଣାସ୍ତ୍ରରେ ଆଘାତ କରାଯାଇଥିଲା, ଯାହା ଫଳରେ ସେ ଗୁରୁତର ହୋଇ ପ୍ରାଣ ହରାଇଥିଲେ। ଅନ୍ୟପଟେ ଉଭୟ ପକ୍ଷର ପ୍ରାୟ ୨୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ଦୁଇଟି ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଥିବା ଶତ୍ରୁତାକୁ କେନ୍ଦ୍ର କରି ଏହି ହିଂସାକାଣ୍ଡ ଘଟିଛି। ବୁଧବାର ରାତିରେ କୌଣସି କଥାକୁ ନେଇ ପ୍ରଥମେ ବଚସା ହୋଇଥିଲା ଏବଂ ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ଉଭୟ ପକ୍ଷ ପରସ୍ପର ଉପରକୁ ବୋମାମାଡ଼ କରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇ ନୂଆଗାଁ ପୋଲିସ ଗ୍ରାମରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛି। ଗ୍ରାମରେ ଶାନ୍ତି ରକ୍ଷା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୋଲିସ ଏହି ଘଟଣାର ଛାନଭିନ୍ ଜାରି ରଖିଥିବା ବେଳେ ସଂଘର୍ଷର ପ୍ରକୃତ କାରଣ ଏବଂ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଛି।