ଭାପୁର: ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ ଭାପୁର ବଜାର ଉପକଣ୍ଠରେ ଥିବା ଗ୍ୟାରେଜରେ ଭାଇ ଟ୍ରକ ପଛକୁ ନେଉଥିବା ସମୟରେ ଗାଡି ପଛରେ ଠିଆ ହୋଇଥିବା ସମ୍ପର୍କିୟ ଭାଇର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଫତେଗଡ ଥାନା ଫତେଗଡ ପଞ୍ଚାୟତ ପିଠାଖାଇ ଗ୍ରାମର ବାଞ୍ଛାନିଧି ଲେଙ୍କା। ଏପରି ଘଟଣା ଘଟିଛି ଶୁକ୍ରବାର ରାତି ଏଗାରଟା ସମୟରେ। ମୃତ ଯୁବକଙ୍କର ତିନୋଟି ନାବାଳିକା ଝିଅ ରହିଛନ୍ତି। ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବୀରେ ସମ୍ପର୍କିୟ ମାନେ ଶନିବାର ସକାଳୁ ଶବ ରଖି ଭାପୁର ଖଣ୍ତପଡା ମୁଖ୍ୟ ରାସ୍ତା ରୋକ କରିଥିଲେ।
ଭାପୁର ଫାଣ୍ଡି ଅଧିକାରୀ ଏମଡି ଜାଫ୍ରୁଲା ଓ ଫତେଗଡ ଥାନା ଏସଆଇ ଅରୁପ ନାୟକ ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଖବରପାଇ ଭାପୁର ତହସିଲଦାର ଲଗ୍ନଜିତ ବେହେରାଙ୍କ ନିର୍ଦ୍ଦେଶରେ ଭାପୁର ଆରଆଇ ରଞିତା ସାହୁ ରେଡକ୍ରସ ତରଫରୁ ଦଶ ହଜାର ଟଙ୍କା ପ୍ରଦାନ କରିଥିଲେ। ପୋଲିସ ଏକ ମାମଲା ରୁଜ୍ଜୁ କରି ଖଣ୍ତପଡା ଡାକ୍ତରଖାନାକୁ ଶବ ବ୍ୟବଛେଦ ପାଇଁ ପଠାଇଥିଲେ। ଅପରାହ୍ନରେ ଗାଁ ଶ୍ମଶାନରେ ଶୋକାକୁଳ ପରିବେଶରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଛି।