ଖଣ୍ଡପଡ଼ା(ଜନ୍ମେଜୟ ଦଳେଇ): ରୋଷେଇ ଘରରୁ ଦାଣ୍ଡ ଦୁଆର; ଅତି ବେଶୀରେ ଏତିକି ଦୀର୍ଘତମ ଥିଲା ସେମାନଙ୍କ ଯାତ୍ରା। ଅଭାବ ଥିଲା, ଅସୁବିଧା ଥିଲା, କିନ୍ତୁ ଓଢ଼ଣା ତଳେ ଲୁଚିଯାଉଥିଲା ସବୁ ଯନ୍ତ୍ରଣା। ଏସବୁ ଏବେ ଇତିହାସ ପାଲଟିଗଲାଣି। ସେମାନଙ୍କ ପାଖରେ ବୁଦ୍ଧି ଥିଲା ଏବଂ ମିଶନଶକ୍ତି ବାଟ ଦେଖାଇଲା। ସେମାନଙ୍କ ହାତ ତିଆରି ମସଲାର ବାସ୍ନା କେବଳ ସେମାନଙ୍କ ରୋଷେଇ ଘରେ ହଜିଯାଉଥିଲା। କିନ୍ତୁ ଏବେ ସେମାନଙ୍କ ହାତ ତିଆରି ମସଲାର ବାସ୍ନା ଏବେ ରୋଷେଇ ଘର, ଗାଁ, ପଞ୍ଚାୟତ ଓ ଜିଲ୍ଲା ଡେଇଁ ବାହାରକୁ ଆସିଲାଣି। ମସଲା ସେମାନଙ୍କ ଜୀବନରେ ମହକ ଭରିଦେଇଛି।
ହଳଦୀ, ଲଙ୍କା, ଜିରା, ଗରମ ମସଲା ଭଳି ବିଭିନ୍ନ ମସଲା ପ୍ରସ୍ତୁତ କରି ଅର୍ଥ ଉପାର୍ଜନ କରୁଛନ୍ତି ଖଣ୍ଡପଡ଼ା ବ୍ଲକ ଗୁଣ୍ଠୁଣି ପଞ୍ଚାୟତ ଜଗନ୍ନାଥସାହିର ମା ବ୍ରାହ୍ମଣି ଦେବୀ ସ୍ବୟଂ ସହାୟକ ଗୋଷ୍ଠୀ (କ)ର ସଦସ୍ୟା। ଏବେ ସେମାନଙ୍କ ଉଦ୍ୟମ ଉଦ୍ୟୋଗରେ ପରିଣତ ହୋଇସାରିଛି। ଗୋଷ୍ଠୀର ମହିଳାମାନେ ନିଜସ୍ୱ ଉଦ୍ୟମରେ ବିଭିନ୍ନ ପ୍ରକାର ମସଲା ପ୍ରସ୍ତୁତ କରି ବେଶ ଦୁଇ ପଇସା ରୋଜଗାର କରି ନିଜ ଘର ଖର୍ଚ୍ଚ ଉଠାଇ ପାରୁଛନ୍ତି।
ସଂଘର ସଭାପତି ସତ୍ୟଭାମା ଦଳବେହେରାଙ୍କ କହିବା କଥା ହେଲା ପ୍ରଥମେ ଗାଁର କିଛି ମହିଳାଙ୍କୁ ସାଥିରେ ନେଇ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା ମସଲା ଉଦ୍ୟୋଗ। ଆଉ ଏବେ ଉଦ୍ୟୋଗ ସଫଳତାର ଶିଢ଼ି ଚଢିବାରେ ଲାଗିଛି। ବିଶେଷକରି ମସଲା, ମିକଶ୍ଚର, ବଡି, ପାମ୍ପଡ ଭଳି ସୁସ୍ବାଦୁ ଓ ଚାହିଦା ଥିବା ଖାଦ୍ୟଦ୍ରବ୍ୟ ସହ ଦେବଦେବୀଙ୍କ ବସ୍ତ୍ରକୁ ନିଖୁଣ ଭାବେ ତିଆରି କରିପାରୁଛନ୍ତି ସମସ୍ତ ସଦସ୍ୟ। ମୋଟ ଦେଢ ଲକ୍ଷ ଟଙ୍କାରୁ ବ୍ୟବସାୟ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ବ୍ୟବସାୟ ବହୁତ ବଢ଼ିଛି।
ଖାଲି ସେତିକି ନୁହେଁ ଏହି ଗୋଷ୍ଠୀ ମହିଳାଙ୍କ ପୋଷାକ ତିଆରି କରୁଛନ୍ତି। ନିଜ ଉତ୍ପାଦିତ ଦ୍ରବ୍ୟ ଓ ସାମଗ୍ରୀକୁ ଇଟାମାଟି, ବାହାଡା, ଖଳିସାହି, ଭାପୁର ଭଳି ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି। ଏଥିନିମନ୍ତେ ସୁଦୂର କଟକରୁ କଞ୍ଚାମାଲ ଆସୁଥିବା ସମ୍ପାଦିକା ଶ୍ରୀଲତା ରାୟ ସୂଚନା ଦେଇଛନ୍ତି। ଉକ୍ତ ଗୋଷ୍ଠୀକୁ ଅଧିକ ଋଣ ମିଳିପାରିଲେ ବ୍ୟବସାୟ ବଢ଼ିପାରନ୍ତା ବୋଲି ମତପ୍ରକାଶ ପାଇଛି। ସମାନଭାବେ ମିଶନଶକ୍ତି ବିଭାଗ ପକ୍ଷରୁ ବଜାର ସୁଦୃଢୀକରଣ ତଥା ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ଦିଗରେ ପଦକ୍ଷେପ ନିଆଗଲେ ସେମାନେ ଉପକୃତ ହୋଇପାରିବେ ବୋଲି କହିଛନ୍ତି। ସଂଘ ସହ ଯୋଡି ହୋଇଥିବା ମହିଳା ମମତା ନାୟକ, ଶ୍ରୀମତି ବେହେରା, ସିତା ବେହେରା, ଗୀତାଞ୍ଜଳି ଦଳବେହେରା, ଗୌରୀ ନାୟକ, କୋକିଳ ଦଳବେହେରା, ହିନ ଦଳବେହେରା, ଲିଲି ଦଳବେହେରା ମିଶନଶକ୍ତିକୁ ବେଶ ପ୍ରଶଂସା କରିଛନ୍ତି।