ଭାପୁର: ଗାଁ ର ଜଣେ ଚଷୀଙ୍କର ଏକମାତ୍ର ପୁଅ ଜୀବନରେ ଜଣେ ବଡି ବିଲଡର ହୋଇ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଦେଶ ପାଇଁ ଗର୍ବ ଆଣିବାର ସ୍ୱପ୍ନ ଦେଖିଥିଲେ। ଅନେକ ପରିଶ୍ରମ ଓ ପ୍ରଶିକ୍ଷଣ ପରେ ବଡି ବିଲଡର ଟ୍ରେନର ହୋଇ ଶତାଧିକ ଛାତ୍ର ମଧ୍ୟ ଉତାରିଲେ। ହେଲେ କରୋନା ଓ ନିଜର ଆର୍ଥିକ ଦୁରବସ୍ଥା ତାଙ୍କର ସବୁ ସ୍ୱପ୍ନ ଚୂରମାର କରିଦେଲା। ପରିସ୍ଥିତି ଏପରି ହେଲା ପରିବାର ପ୍ରତିପୋଷଣ କରିବା ପାଇଁ ସେ ଏବେ କୋରିଅର ଡେଲିଭରି ବୟ ପାଲଟି ଯାଇଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ ରାକମା ପଞ୍ଚାୟତ ବାଦିଲୋ ଗ୍ରାମରେ ।
ଗ୍ରାମର ଅମିନ ମଲ୍ଲିକ ଓ ମା ଜାହାଜ ମଲ୍ଲିକଙ୍କ ଏକମାତ୍ର ପୁଅ ଜିତେନ୍ଦ୍ର କୁମାର ମଲ୍ଲିକ ପିଲାଦିନୁ ଜଣେ ବଡି ବିଲଡର ହୋଇ ଦେଶ ପାଇଁ ଗୌରବ ଆଣିବାର ସ୍ୱପ୍ନ ଦେଖୁଥିଲେ। ଗାଁ ରେ ଦଣ୍ତ ବୈଠକ ମାରିବା ସହ ଅନେକ ଶାରୀରିକ ବ୍ୟାୟାମ କରୁଥିଲେ। ମାଟ୍ରିକ ପାସ କରିବା ପରେ ଭୁବନେଶ୍ୱର ଯାଇ ନିଜର ସ୍ୱପ୍ନ ଗଢିବା ପାଇଁ ଚେଷ୍ଟା କରିଥିଲେ। ନିଜର ସମ୍ପର୍କିୟ ଭିଣୋଇଙ୍କ ସହଯୋଗରେ ପ୍ରଥମେ ଯାଇ ଏକ ପେଟ୍ରୋଲ ପମ୍ପରେ କାର୍ୟ୍ୟ କରିବା ପରେ ତୁଷାର ଜିମରେ ଯାଇ ପ୍ରଥମେ ନିଜେ ଶିକ୍ଷା ଲାଭ କଲେ। ଏହାପରେ ନିଜର ସୁନ୍ଦର ଶାରୀରିକ ଗଠନ ଦେଖି ଷ୍ଟେ ଫିଟ ମାଲିକ ତାଙ୍କୁ ତାଙ୍କ ଜିମ୍ନାସିଅମର ପ୍ରଶିକ୍ଷକ କରିଦେଲେ।
ଏହା ସହ ସେ ଉତ୍କଳ କରାଟେ ରେ ମଧ୍ୟ ପ୍ରଶିକ୍ଷକ ପାଲଟିଗଲେ। ଏହି ସମୟରେ ସେ ଲାଲା ଭାଇ ଓ ଜିତୁ ଭାଇଙ୍କୁ ଗୁରୁ କରି ବଡି ବିଲଡିଙ୍ଗର ସମସ୍ତ ବିଦ୍ୟା ଶିକ୍ଷା କରିବାରେ ଅପୂର୍ବ ପାରଦର୍ଶିତା ଲାଭ କରିଥିଲେ। ସେ ୨୦୦୭-୨୦୧୧ ମସିହା ମଧ୍ୟରେ ଭୁବନେଶ୍ୱରରେ ପ୍ରଶିକ୍ଷକ କାର୍ଯ୍ୟ କରିବା ସମୟରେ କରାଟେ ଓ କୁମ୍ଫୁ ମଧ୍ୟ ଶିକ୍ଷା ଲାଭ କରିଯାଇଥିଲେ। ସେ ଭୁବନେଶ୍ୱରର ଡିସିପି ଓ ଅନେକ ବଡ ପୋଲିସ ଅଧିକାରୀଙ୍କ ମଧ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ସେ ଭୁବନେଶ୍ୱରର ତିନୋଟି ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ନିଜର ସୁନ୍ଦର ଓ ବଳିଷ୍ଠ ଚେହେରା ପାଇଁ ପ୍ରଶ°ସିତ ହେବା ସହ ସୁଦୂର ମରିସସ ଯାଇ ଟ୍ରେନର ହେବାକୁ ନିମନ୍ତ୍ରଣ ପାଇଥିଲେ।
ସେତେବେଳକୁ ବାପାଙ୍କ ମୃତ୍ୟୁ ହୋଇସାରିଥିବାରୁ ଏକମାତ୍ର ପୁଅକୁ ଏକବର୍ଷ ପାଇଁ ମରିସସ ଛାଡିବାକୁ ମା ରାଜି ହୋଇ ନଥିଲେ। ଏହା ମଧ୍ୟରେ ତାଙ୍କର ବିବାହ ହୋଇଯିବା ଓ କରୋନା ଚାଲି ଆସିବାରୁ ଟ୍ରେନିଂ ଦେଉଥିବା ସମସ୍ତ ଅନୁଷ୍ଠାନ ବନ୍ଦ ହୋଇଯିବାରୁ ସେ ବେକାର ହୋଇ ଗାଁରେ ବସିରହିଲେ। ରୋଜଗାର ହରାଇ ଘରେ ବସିରହିବା ସମୟରେ ଗାଁ ନିକଟରେ ଏକ ପରିବା ଦୋକାନ କରି କିଛି ଦିନ ବେପାର କରିଥିଲେ ହେ ଏଥିରେ ସଫଳତା ପାଇପାରି ନଥିଲେ। ନିଜର ମା, ସ୍ତ୍ରୀ ଓ ତିନି ବର୍ଷର ଝିଅର ପ୍ରତିପୋଷଣ ପାଇଁ କରଜ କରିବାକୁ ପଡିବା ପରେ ନିଜର ମୋଟ ପନ୍ଦର ଗୁଣ୍ଠ ଜମି ମଧ୍ୟରୁ କିଛି ବିକ୍ରି କରି ଋଣମୁକ୍ତ ହୋଇଥିଲେ।
ଏପରି ଅବସ୍ଥାରେ ଗାଁ ନିକଟ ଭାପୁର, କଳାପଥର କିମ୍ବା କଣ୍ଟିଲୋ ବଜାର ଠାରେ ଏକ ଜିମ୍ନାସିଅମ କରି ଅଞ୍ଚଳର ଯୁବକ ମାନଙ୍କୁ ନିଜେ ହାସଲ କରିଥିବା ବିଦ୍ୟା ବାଣ୍ଟିବା ପାଇଁ ପ୍ରୟାସ କରିଥିଲେ ହେ ଏଥିପାଇଁ ଅତିକମରେ ଛଅ ସାତ ଲକ୍ଷ ଟଙ୍କାର ଆବଶ୍ୟକତା ଥିବାରୁ ଏହି ଯୋଜନା ମଧ୍ୟ ବନ୍ଦ ହୋଇଗଲା। ଅନ୍ୟ ଉପାୟ ନପାଇ ସେ ନିଜ ପରିବାର ପୋଷଣ ପାଇଁ ଭାପୁର ବଜାରରେ ଖୋଲିଥିବା ଇ କମ କୋରିଅରରେ ଡେଲିଭରି ବୟ ଭାବେ ବର୍ତ୍ତମାନ କାମ କରୁଛନ୍ତି। ନିଜେ ଦେଖିଥିବା ସ୍ୱପ୍ନ ପୂରଣ ହୋଇପାରିନଥିଲେ ହେ ଅଞ୍ଚଳର ଯୁବକମାନଙ୍କୁ ଶିକ୍ଷା ଦେଇ ସେମାନଙ୍କୁ ରାଜ୍ୟ ଓ ଦେଶର ଗୌରବ ବୃଦ୍ଧି କରିବା ପାଇଁ ପ୍ରସ୍ତୁତ କରିବା ମନରେ ଆଶା ରଖିଛନ୍ତି। କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତି ସହଯୋଗର ହାତ ବଢାଇଲେ ସେ ଏକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଖୋଲି ଅଞ୍ଚଳରେ ତାଙ୍କ ଭଳି ଅନେକ ଲୁକ୍କାୟିତ ପ୍ରତିଭାକୁ ପ୍ରଷ୍ପୁଟିତ କରାଇପାରନ୍ତେ।