ଆସୁଛି ବଡ଼ ବନ୍ୟା : ରାତି ୮ଟା ସୁଦ୍ଧା ଖୋଲିବ ହୀରକୁଦର ୪୦ଟି ଗେଟ୍‌, ଏବେ ୩୧ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ଭୁବନେଶ୍ବର/ସମ୍ବଲପୁର : ରାଜ୍ୟରେ ବନ୍ୟା ସ୍ଥିତି ଜଟିଳ ହେବାରେ ଲାଗିଛି। ବର୍ଷା କମିଥିଲେ ମଧ୍ୟ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦରେ ଜଳ ପ୍ରବେଶ ବଢୁଛି। ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଜଳସ୍ତର ବଢ଼ିବା କାରଣରୁ ହୀରାକୁଦ ଜଳଭଣ୍ଡାରରୁ ଆଜି ଅପରାହ୍ନ ୪ଟାରେ ପୁଣି ୫ଟି ସ୍ଲୁଇସ୍‌ ଗେଟ୍‌ ଖୋଲିଦିଆଯାଇଛି। ଏଥି ସହିତ ବର୍ତ୍ତମାନ ଜଳଭଣ୍ଡାରରୁ ୩୧ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରର ବାମ ପାର୍ଶ୍ବରୁ […]

ଭୁବନେଶ୍ବର/ସମ୍ବଲପୁର : ରାଜ୍ୟରେ ବନ୍ୟା ସ୍ଥିତି ଜଟିଳ ହେବାରେ ଲାଗିଛି। ବର୍ଷା କମିଥିଲେ ମଧ୍ୟ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦରେ ଜଳ ପ୍ରବେଶ ବଢୁଛି। ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଜଳସ୍ତର ବଢ଼ିବା କାରଣରୁ ହୀରାକୁଦ ଜଳଭଣ୍ଡାରରୁ ଆଜି ଅପରାହ୍ନ ୪ଟାରେ ପୁଣି ୫ଟି ସ୍ଲୁଇସ୍‌ ଗେଟ୍‌ ଖୋଲିଦିଆଯାଇଛି। ଏଥି ସହିତ ବର୍ତ୍ତମାନ ଜଳଭଣ୍ଡାରରୁ ୩୧ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରର ବାମ ପାର୍ଶ୍ବରୁ ୨୩ଟି ଓ ଦକ୍ଷିଣ ପାର୍ଶ୍ବରୁ ୮ଟି ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ଜଳଭଣ୍ଡାରର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ତେବେ ଆଜି ରାତି ୮ଟା ପରେ ପର୍ଯ୍ୟାୟ କ୍ରମେ ଆହୁରି ୯ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେବ। ଜଳ ସଂପଦ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅର୍ଥାତ ଆଜି ସନ୍ଧ୍ୟା ୮ଟା ପରେ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେବ।

ପ୍ରବଳ ବର୍ଷା ଏବଂ ମହାନୀରେ ଆସିଥିବା ମଧ୍ୟମ ଧରଣର ବନ୍ୟା ନେଇ ରାଜ୍ୟର ବହୁ ଅଞ୍ଚଳ ଏବେ ଜଳମଗ୍ନ ରହିଥିବା ବେଳେ ଆଜି ରାତି ୮ଟା ସୁଦ୍ଧା ହୀରକୁଦର ୪୦ ଗେଟ୍‌ ଖୋଲିଲେ ସ୍ଥିତି ଭୟଙ୍କର ହେବ । ହୀରାକୁଦ ଜଳଭଣ୍ଡାରରୁ ମୋଟ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯିବା ଦ୍ବାରା ମହାନଦୀର ତଳିଆ ଅଞ୍ଚଳରେ ଆହୁରି ଦୁର୍ଦ୍ଦଶା ବଢ଼ିବା ଆଶଙ୍କା କରାଯାଉଛି। ମହାନଦୀର ତଳିଆ ଅଞ୍ଚଳରେ ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇଥିବା ଦେଖାଯାଇଛି। ସମ୍ବଲପୁରରୁ ଆରମ୍ଭ କରି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ମହାନଦୀ କୂଳିଆ ଗାଁଗୁଡ଼ିକର ଚିନ୍ତା ବଢ଼ିଛି। କଟକ ଜିଲ୍ଲା ଆଠଗଡ଼, ବାଙ୍କୀ ଓ ନରସିଂହପୁରରେ ବନ୍ୟାଜଳ ସର୍ବାଧିକ କ୍ଷତି କରିଥିବା ଜଣାଯାଇଛି। ବାଙ୍କୀ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ କ୍ଷତି ସହିଛନ୍ତି। ଅନ୍ୟ ଏକ କାରଣ ମହାନଦୀର ବନ୍ୟାଜଳ ଯୋଗୁଁ ଏହାର ଶାଖାନଦୀଗୁଡ଼ିକର ଜଳ ନିଷ୍କାସିତ ହୋଇପାରୁ ନାହିଁ। ଶାଖାନଦୀଗୁଡ଼ିକର ଜଳ ପଛ ଘୁଞ୍ଚା ଦେଇ ଗାଁ ଗଣ୍ଡାରେ ପ୍ରବେଶ କରୁଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବାର ଅନ୍ୟତମ କାରଣ ପାଲଟୁଛି।

ଅନ୍ୟପଟେ ଆଗକୁ ଆଉ ଏକ ଲଘୁଚାପ ଆସୁଛି । ତାହାକୁ ନଜରରେ ରଖି ଅଧିକ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଦୁଇ ତିନିଦିନ ବର୍ଷା ନଥିବାରୁ ଜଳଭଣ୍ଡାର ପାଣି ଛାଡିବାରେ ଅସୁବିଧା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ନିର୍ଦ୍ଦେଶ ଅନୁଯାୟୀ କାର୍ୟ୍ୟ ହେଉଛି । ୪୦ ଗେଟ୍ ଖୋଲିଲେ ବିଶେଷ ଅସୁବିଧା ହେବନାହିଁ ବୋଲି ହୀରକୁଦ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ।

ସେପଟେ ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ। ତେଣୁ ନଦୀ ବନ୍ଧକୁ ଜଗିବା ଜରୁରୀ । ଆଗାମୀ ୪୮ ଘଣ୍ଟା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ ଜେନା।ଏସ୍‌ଆର୍‌ସି ଶ୍ରୀ ଜେନା କହିଛନ୍ତି, ଗତକାଲି ରାତି ୯ଟାରୁ ୧୨ଟା ଭିତରେ ଖଇରମାଳରେ ସର୍ବାଧିକ ୧୨.୦୬ ଲକ୍ଷ କ୍ୟୁସେକ୍‌ ପାଣି ପାସ୍ କରିଛି । କାଲି ଖଇରମାଳ ପାସ୍ କରିଥିବା ପାଣି ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ। ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ସାଢ଼େ ୧୧ ଲକ୍ଷ କ୍ୟୁସେକ୍‌ ପାଣି ପାସ୍ କରିପାରେ। ତେଣୁ ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ।

ସେ ଆହୁରି କହିଛନ୍ତି, ଏହା ପ୍ରଥମ ବନ୍ୟା ହୋଇଥିବାରୁ ପ୍ରଥମେ ମୂଷା ଗାତ, ବିଲୁଆ ଗାତ ପାଇଁ ଘଳିଆ ପଡ଼ିପାରେ। ଏହି ସମୟରେ ନଦୀ ବନ୍ଧ ପ୍ରତି ତୀକ୍ଷଣ ନଜର ରଖିବାକୁ ଜଳ ସଂପଦ ବିଭାଗ ସଜାଗ ରହିଛି । ବନ୍ୟାରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା ବିଶେଷ ପ୍ରଭାବିତ ହେବାର ଆଶଙ୍କା ରହିଛି। ବନ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥଳେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଗତସିଂହପୁର ଓ ନୟାଗଡ଼ ଜିଲ୍ଲାପାଳ ନିଜ ନିଜ ଜିଲ୍ଲାରେ ବିଭିନ୍ନ ସ୍କୁଲକୁ ଆସନ୍ତାକାଲି ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଏସଆରସି।

About The Author: The Sakala