ବିକାଶ ପାଇଁ ଜଙ୍ଗଲ ବିନାଶ

ସାରାବିଶ୍ୱରେ ଜଙ୍ଗଲ ସ୍ଥିତି ଉଦ୍‌‌ବେଗଜନକ ହେବାରେ ଲାଗିଛି। ଏହା ଅବଶ୍ୟ ଅଧିକାଂଶ ମନୁଷ୍ୟକୃତ। ସାମ୍ପ୍ରତିକ ପରିସ୍ଥିତିରେ ଉଦ୍ୟୋଗମାନଙ୍କ ଚାହିଦା ମେଣ୍ଟାଇବା ଉଦ୍ଦେଶ୍ୟରେ ନିର୍ବିଚାର ଭାବେ ବିଭିନ୍ନ ଖଣିଜ ପଦାର୍ଥ ଉତ୍ତୋଳନ ଫଳରେ ଅନେକ ଜଙ୍ଗଲ ଧ୍ୱଂସ ହେବା ସହ ତତ୍‌‌ସଂଲଗ୍ନ ଅନେକ ପରିସଂସ୍ଥା ଓ ଖାଦ୍ୟ ଶୃଙ୍ଖଳ ଆଜି ବିଲୋପମୁଖୀ। ମନୁଷ୍ୟ ନିଜର ଅର୍ଥ ଲାଳସା ଚରିତାର୍ଥ କରିବା ପାଇଁ ଖଣିଜ ଉତ୍ତୋଳନ କରି ପରିବେଶକୁ ଧ୍ୱଂସମୁଖୀ କରିବାରେ ଲାଗିଛି। ଏହାଦ୍ୱାରା ଅଜାଣତରେ ନିଜକୁ ନିଜେ ଓ […]

ସାରାବିଶ୍ୱରେ ଜଙ୍ଗଲ ସ୍ଥିତି ଉଦ୍‌‌ବେଗଜନକ ହେବାରେ ଲାଗିଛି। ଏହା ଅବଶ୍ୟ ଅଧିକାଂଶ ମନୁଷ୍ୟକୃତ। ସାମ୍ପ୍ରତିକ ପରିସ୍ଥିତିରେ ଉଦ୍ୟୋଗମାନଙ୍କ ଚାହିଦା ମେଣ୍ଟାଇବା ଉଦ୍ଦେଶ୍ୟରେ ନିର୍ବିଚାର ଭାବେ ବିଭିନ୍ନ ଖଣିଜ ପଦାର୍ଥ ଉତ୍ତୋଳନ ଫଳରେ ଅନେକ ଜଙ୍ଗଲ ଧ୍ୱଂସ ହେବା ସହ ତତ୍‌‌ସଂଲଗ୍ନ ଅନେକ ପରିସଂସ୍ଥା ଓ ଖାଦ୍ୟ ଶୃଙ୍ଖଳ ଆଜି ବିଲୋପମୁଖୀ। ମନୁଷ୍ୟ ନିଜର ଅର୍ଥ ଲାଳସା ଚରିତାର୍ଥ କରିବା ପାଇଁ ଖଣିଜ ଉତ୍ତୋଳନ କରି ପରିବେଶକୁ ଧ୍ୱଂସମୁଖୀ କରିବାରେ ଲାଗିଛି। ଏହାଦ୍ୱାରା ଅଜାଣତରେ ନିଜକୁ ନିଜେ ଓ ନିଜର ଦାୟାଦମାନଙ୍କ ଭବିଷ୍ୟତକୁ ସଙ୍କଟାପନ୍ନ କରିଦେଉଛି।

ମନୁଷ୍ୟ ପାଇଁ ଜଙ୍ଗଲ ଅନେକ କ୍ଷେତ୍ରରେ ଉପାଦେୟ। ବିଶୁଦ୍ଧ ଅମ୍ଳଜାନ ପ୍ରସ୍ତୁତିରେ ସହାୟତା, ଜଳକୁ ପାନୀୟ ଉପଯୋଗୀ, ମୃତ୍ତିକା ଅବକ୍ଷୟ ରୋକିବା ତଥା ଜଳବାୟୁର ସନ୍ତୁଳନ ଦିଗରେ ଜଙ୍ଗଲର ଅବଦାନ ଅତୀବ ଗୁରୁତ୍ୱପୂର୍ଣ୍ଣ। ପୂର୍ବ ଭାରତର ଅର୍ଦ୍ଧ ଚିରହରିତ୍‌‌ ଜଙ୍ଗଲ, କ୍ରିଷ୍ଣା-ଗୋଦାବରୀ ଅବବାହିକାର ହେନ୍ତାଳ ବନ ଓ ଗାଙ୍ଗେୟ ସମତଳ ଅଞ୍ଚଳ ପର୍ଣ୍ଣମୋଚୀ ଜଙ୍ଗଲ ଦ୍ୱାରା ସମୃଦ୍ଧ। ବିସ୍ତୀର୍ଣ୍ଣ ଓ ଘଞ୍ଚ ଜଙ୍ଗଲ କ୍ଷେତ୍ରରେ ଓଡ଼ିଶା ଏକଦା ସମଗ୍ର ଦେଶରେ ଆଗରେ ଥିଲା। ଏବେ ସେ ସ୍ଥିତି ଆଉ ପ୍ରାୟତଃ ନ ଥିଲେ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଆଶାଜନକ ରହିଛି। ରାଜ୍ୟର ସମୁଦାୟ ଭୌଗୋଳିକ ଆୟତନର ପ୍ରାୟ ଶତକଡ଼ା ୩୩ ଭାଗ ବା ୫୨,୪୭୨ ବର୍ଗ କିଲୋମିଟର ବିଭିନ୍ନ କିସମର ଜଙ୍ଗଲରେ ପରିପୂର୍ଣ୍ଣ। ସେଥିମଧ୍ୟରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଜଙ୍ଗଲର ଆୟତନ ୮,୬୦୦ ବର୍ଗ କିଲୋମିଟର। ପ୍ରାକୃତିକ ଭାବେ ଘଞ୍ଚ ଜଙ୍ଗଲ ବୃଦ୍ଧି ଫଳରେ ପଶୁପକ୍ଷୀ ଓ ଜୈବବିବିଧତା ସମୃଦ୍ଧ ହୋଇଥାଏ। ଓଡ଼ିଶାରେ ମୁଖ୍ୟତଃ ଶାଗୁଆନ, ଶିଶୁ, ଶାଳ, ପିଆଶାଳ, ଫାଶୀ, ଲେମ୍ୱୁର, ଅର୍ଜୁନ, ପଲାଶ, ଭିନ୍ନ ଭିନ୍ନ ବାଉଁଶ ଇତ୍ୟାଦି ବହୁଳ ଦେଖାଯାଏ। ଏହି ବୃକ୍ଷରାଶି ଜଙ୍ଗଲୀ ପଶୁପକ୍ଷୀମାନଙ୍କୁ ସେମାନଙ୍କ ସ୍ୱଚ୍ଛନ୍ଦ ଚଳଣି ପାଇଁ ସୁରକ୍ଷିତ ବାସସ୍ଥଳୀ ଯୋଗାଇଥାଏ। ଓଡ଼ିଶାର ବିସ୍ତୀର୍ଣ୍ଣ ଜଙ୍ଗଲ ପ୍ରାୟତଃ ୩୦୦୦ ପ୍ରଜାତିର ବୃକ୍ଷଲତାଙ୍କୁ ଏହାର ବକ୍ଷରେ ସ୍ଥାନ ଦେଇଥିବାବେଳେ ୧୨୦ ପ୍ରଜାତିର ଅର୍କିଡ୍‌‌ ଓ ୬୩ ପ୍ରଜାତିର ହେନ୍ତାଳ ବୃକ୍ଷ ଏହାର ଅନ୍ତର୍ଭୁକ୍ତ। ଏହାଦ୍ୱାରା ଓଡ଼ିଶା ଭାରତର ଦ୍ୱିତୀୟ ସର୍ବବୃହତ ହେନ୍ତାଳ ପରିସଂସ୍ଥା ଭାବେ ମାନ୍ୟତା ଲାଭ କରିଛି।

ଆମ ରାଜ୍ୟରେ ଅନେକ କିସମର ଉଚ୍ଚମାନ ଯୁକ୍ତ ଖଣିଜ ସମ୍ପଦ ରହିଛି। ଘଞ୍ଚଜଙ୍ଗଲ ପରିବେଷ୍ଟିତ ଓଡ଼ିଶାରେ ପ୍ରାକୃତିକ ସମ୍ପଦ ରୂପେ ବକ୍ସାଇଟ, କ୍ରୋମାଇଟ, ଉଚ୍ଚକୋଟୀର ଲୌହପଥର, ମାଙ୍ଗାନିଜର ଭରପୁର ଭଣ୍ଡାର ରହିଥିବା ବେଳେ ଅନ୍ୟାନ୍ୟ ଖଣିଜ ପଦାର୍ଥ ଭାବେ ଚୂନପଥର, ଡୋଲୋମାଇଟ, ଟିଣ, ନିକେଲ, ସୀସା, ଗ୍ରାଫାଇଟ, ସୁନା, ହୀରା, ମୂଲ୍ୟବାନ ଅଳଙ୍କାର ଯୋଗ୍ୟ ପଥର ଇତ୍ୟାଦି ରହିଛି। ବର୍ତ୍ତମାନ ପ୍ରାୟ ୨୪୩ ଗୋଟି ବିଭିନ୍ନ ପ୍ରକାରର ବଡ଼ ସାନ ଖଣି ଓଡ଼ିଶାରେ କାର୍ଯ୍ୟକ୍ଷମ। ସୁନ୍ଦରଗଡ଼଼, ଅନଗୁଳ, କେନ୍ଦୁଝର, ନବରଙ୍ଗପୁର, ସମ୍ୱଲପୁର, ଝାରସୁଗୁଡ଼ା, ରାୟଗଡ଼ା, କୋରାପୁଟ, ମୟୁରଭଞ୍ଜ, ମାଲକାନଗିରି, କନ୍ଧମାଳ ଓ ବାଲେଶ୍ୱର ଜିଲ୍ଲାମାନଙ୍କରେ ଅନେକ ଖଣି ଖାଦାନ ରହିଛି। ଏହି ଖଣିଜ ପଦାର୍ଥ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅର୍ଥନୀତିରେ ବା ଜି.ଡି.ପି. ବୃଦ୍ଧିରେ ସହାୟକ ହୋଇଥାଏ। ଓଡ଼ିଶାରେ ଥିବା ଖଣି ଖାଦାନରୁ ୨୦୨୦-୨୧ ମସିହାରେ ରାଜ୍ୟ ସରକାର ପ୍ରାୟ ୪୯,୮୫୮ କୋଟି ଟଙ୍କା ଟିକସ ସଂଗ୍ରହ କରିଥିଲେ, ଯାହା ଅର୍ଥନୀତି ପାଇଁ ବିଶେଷ ସହାୟକ ହୋଇଥିଲା। ସଦ୍ୟ ୨୦୨୩ ମସିହାରେ ସରକାର ବିଧାନସଭାରେ କହିଛନ୍ତି ଓଡ଼ିଶାରେ ସୁନା ଖଣି ଦେଓଗଡ଼଼, କେନ୍ଦୁଝର, ମୟୁରଭଞ୍ଜରେ ଉପଲବ୍ଧ।

ଓଡ଼ିଶାରେ ଜନଜାତି ସମ୍ପ୍ରଦାୟ ପ୍ରାୟ ଜଙ୍ଗଲ ଅଧିବାସୀ, ଯେଉଁଠାରେ ଖଣିଜ ସମ୍ପଦ ବହୁଳ ଭାବେ ଉପଲବ୍ଧ ହୁଏ। ଘଞ୍ଚ ଜଙ୍ଗଲରେ ସମସ୍ତ ଖଣିଜ ଦ୍ରବ୍ୟ ପ୍ରାୟତଃ ମନୁଷ୍ୟ ବସତି ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଉପଲବ୍ଧ ହୋଇଥାଏ, ଯଦ୍ୱାରା ଖଣି ଉତ୍ତୋଳନ ସମୟରେ ସେମାନଙ୍କ ଜନବସତି ବିଶେଷ ଭାବେ ପ୍ରଭାବିତ ହେବା ସହ ସେମାନଙ୍କୁ ଭିଟାମାଟି ଛାଡ଼ିବାକୁ ପଡ଼ିଥାଏ। ଆଜିକାଲି ଭୂଗର୍ଭସ୍ଥ ଖଣି ଖନନ ପରିବର୍ତ୍ତେ ଖୋଲା ଗାଡ଼ ଖଣି ଖନନ ପ୍ରକ୍ରିୟା ଦ୍ୱାରା ଜନଜାତିଙ୍କ ଜୀବନ ଜୀବିକା ସିଧାସଳଖ ପ୍ରଭାବିତ ହେବା ସହ ଖନନ ସଂସ୍ଥା ଓ ଆଦିମ ଜନଜାତି ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇ ଅନେକ ସ୍ଥାନରେ ରକ୍ତପାତ ଦୁର୍ଘଟଣା ଦେଖିବାକୁ ମିଳୁଛି। ବକ୍ସାଇଟ ପରିପୂର୍ଣ୍ଣ କଳାହାଣ୍ଡି ଓ ରାୟଗଡ଼଼ାର ନିୟମଗିରି ଅବା କୋରାପୁଟର ଦେଓମାଳି ପର୍ବତଠାରେ ଖଣି ଖାଦାନ ପାଇଁ ଜନଜାତି ସମ୍ପ୍ରଦାୟ ଓ ବଡ଼ ବଡ଼ ଉଦ୍ୟୋଗୀ ଖଣି ମାଲିକଙ୍କ ବିବାଦ ନ୍ୟାୟାଳୟରେ ପହଞ୍ଚିଛି। ୨୦୨୨ ମସିହାରେ ଲୋକସଭାରେ ସରକାର ସ୍ୱୀକାର କରିଛନ୍ତି ଯେ ଓଡ଼ିଶାରେ ଖଣି ଯୋଗୁଁ ବିଗତ ଦଶବର୍ଷରେ ୧୦୬୪ ଜନଜାତି ପରିବାର ବିସ୍ଥାପିତ ହେବାକୁ ବାଧ୍ୟ ହୋଇଛନ୍ତି।

ଖଣି ଅର୍ଥନୀତିକୁ ସମ୍ଭାଳୁଛି ଠିକ୍‌‌ କଥା। କିନ୍ତୁ ଅପରପକ୍ଷରେ ଏହାଦ୍ୱାରା ଜଙ୍ଗଲରେ ଥିବା ଜାତିଜାତିକା ବୃକ୍ଷରାଶି, ବନ୍ୟ ଜୀବ ଓ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟକୁ ଯେ ବିନାଶ କରୁଛି ଏହା ଭୁଲିବା ଉଚିତ ନୁହେଁ। କାରଣ ଖଣି କାରବାର ଯୋଗୁଁ ନବରଙ୍ଗପୁର, କଳାହାଣ୍ଡି ଆଦି ସ୍ଥାନରେ ଅଧିକାଂଶ ପ୍ରାକୃତିକ ଭୌଗୋଳିକ ପରିବର୍ତ୍ତନ ଆସିଥିବା ବେଳେ ପ୍ରାୟତଃ ୨୫ ପ୍ରତିଶତ ଜଙ୍ଗଲ ହ୍ରାସ ପାଇଛି। ବିଶେଷଭାବେ କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ଗଜପତି, ରାୟଗଡ଼଼ା ବନଖଣ୍ଡର ଶତକଡ଼ା ୧୫ ରୁ ୨୫ ଭାଗ ଜଙ୍ଗଲ ବିକାଶ ନାଁରେ ନଷ୍ଟ ହୋଇଥିବା ବେଳେ ଅନେକ ଜଙ୍ଗଲୀ ପ୍ରଜାତିର ଦୁର୍ମୂଲ୍ୟ ବୃକ୍ଷ ସମ୍ପଦ ଲୋପ ପାଇଛି। ହାରାହାରି ଜଙ୍ଗଲ ଅବକ୍ଷୟ ପରିସଂଖ୍ୟାନରୁ ଦେଖାଯାଏ ଯେ କନ୍ଧମାଳଠାରେ ଏହା ସର୍ବାଧିକ ବାର୍ଷିକ ୨୪ ବର୍ଗ କିଲୋମିଟର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରାୟଗଡ଼଼ା ୧୩.୮୧ ବର୍ଗ କିଲୋମିଟର, ତୃତୀୟ ସ୍ଥାନରେ କଳାହାଣ୍ଡି ୧୧.୨୧ ବର୍ଗ କିଲୋମିଟର, ତା’ ପଛକୁ ଗଜପତି, କୋରାପୁଟ ଓ କେନ୍ଦୁଝର ରହିଛନ୍ତି।

ଭୂଗର୍ଭସ୍ଥ ଖଣି ଖନନ ଦ୍ୱାରା ଜୈବବିବିଧତା ଯେତିକି ପ୍ରଭାବିତ ହୁଏ ଖୋଲା ଗାଡ଼ ଖନନ ପଦ୍ଧତିରେ ଜଙ୍ଗଲ ଅବକ୍ଷୟ ଆହୁରି ଦ୍ରୁତ ଓ ଜଟିଳ ହେଉଥିବା ଦେଖାଯାଏ। ଏଥିରେ ମଣିଷ ଓ ଅନ୍ୟାନ୍ୟ ପ୍ରାଣୀ ମଧ୍ୟ ଗୁରୁତର ପ୍ରଭାବିତ ହୋଇଥା’ନ୍ତି। ଅଧୁନା କୌଣସି ଅନୁମୋଦିତ ଖଣି ପରିସୀମାଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଜନବସତିକୁ ଅନୁମତି ମିଳୁନାହିଁ। ତେଣୁ ଖଣି ଅଞ୍ଚଳରେ ବସବାସ କରୁଥିବା ନିରୀହ ଲୋକମାନେ ଅର୍ଥ ଲୋଭରେ କିମ୍ବା ବଳପୂର୍ବକ କିମ୍ବା ଭୟଭୀତ ହୋଇ ନିଜ ଭିଟାମାଟିରୁ ବିସ୍ଥାପିତ ହେବାକୁ ବାଧ୍ୟ ହୋଇଥା’ନ୍ତି। ଏପରି ପରିସ୍ଥିତି କେବଳ ଯେ ଜୈବବିବିଧତାକୁ ହାନି ପହଞ୍ଚାଏ ତା’ ନୁହେଁ, ବରଂ ସେହି ଅଞ୍ଚଳର ଜଳବାୟୁକୁ ମଧ୍ୟ ଗଭୀର ଭାବରେ ପ୍ରଭାବିତ କରେ।

ସାରା ବିଶ୍ୱ ଆଜି ଏକ ଘଡ଼ିସନ୍ଧି ପରିସ୍ଥିତି ଦେଇ ଗତି କରୁଚି। କାରଣ ଅତ୍ୟଧିକ ଅବାଞ୍ଛିତ ଉତ୍ତାପ ବୃଦ୍ଧି ଯୋଗୁଁ ଆଣ୍ଟାର୍କଟିକାଠାରେ ବରଫ ସମୂହ ତରଳି ସମୁଦ୍ର ପତନରେ ବୃଦ୍ଧି ଘଟିଚାଲିଛି। ବିଶେଷଜ୍ଞଙ୍କ ମତରେ ଏକବିଂଶ ଶତାବ୍ଦୀ ସମାପ୍ତି ବେଳକୁ ସାମୁଦ୍ରିକ ଜଳସ୍ତର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରି ପ୍ରାୟ ୪୧ କୋଟି ମନୁଷ୍ୟଙ୍କୁ ବାସଚ୍ୟୁତ କରିବା ସହ ବହୁ ଜୀବନହାନିର କାରଣ ହେବ। ବର୍ତମାନ ପରିସ୍ଥିତି ଏପରି ଯେ ମନୁଷ୍ୟ ଦ୍ରୁତସହରୀକରଣ ଆଡ଼କୁ ଏକମୁହାଁ ହୋଇ ଦୌଡ଼ୁଥିବାବେଳେ ଅନେକ ଘଞ୍ଚ ଜଙ୍ଗଲ କୃଷି କ୍ଷେତ୍ରରେ ବା ଜନବସତିରେ ରୂପାନ୍ତରିତ ହେଉଛି। ଅଥବା ଗୋଚର କ୍ଷେତ୍ର ଭାବେ ବ୍ୟବହୃତ ହେଉଛି। ଜଳବାୟୁ ଅସ୍ଥିରତାକୁ ଭ୍ରୂକ୍ଷେପ ନକରି ଅନେକ ମନୁଷ୍ୟକୃତ କାରଣ ଯୋଗୁଁ ଜଙ୍ଗଲର ଏପରି ଚାପଗସ୍ତ ଅବସ୍ଥାରେ ଖଣି ସମସ୍ୟା ପରିବେଶ ପାଇଁ ‘ବେଡ଼ି ଉପରେ କୋରଡ଼ା’ ସଦୃଶ ହୋଇଉଠିଛି। ବର୍ତ୍ତମାନ ସମୟରେ ସଭ୍ୟ ସମାଜର ନାୟକ ଏବଂ ବିଶ୍ୱ ସମୂହର ପ୍ରମୁଖ ରାଜନୈତିକ ଶକ୍ତିମାନଙ୍କ ସୁଚିନ୍ତିତ ଯୋଜନା ଅତ୍ୟନ୍ତ ଆବଶ୍ୟକ। ନଚେତ ଖଣି ଖାଦାନରୁ ଅର୍ଥଲୋଭରେ ଆମେ ମୂଲ୍ୟବାନ ଜଙ୍ଗଲକୁ ତ ହରାଇବା, ତା’ ସହିତ ଅମ୍ଳଜାନର ମଧ୍ୟ ଘୋର ଅଭାବ ଦେଖାଦେବ। ଡ. ମାନସ ରଞ୍ଜନ ଶତପଥୀ
ନୟାଗଡ଼଼, ମୋ: ୯୪୩୭୪୭୯୦୪୫

About The Author: The Sakala