ନୟାଗଡ଼: ନୟାଗଡ଼ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍ । ଭିଜା ସକାଳରେ ନୟାଗଡର ନବକଳେବର ପାଇଁ ଚାଲିଛି ନକ୍ସା ଅଙ୍କନ। ନୟାଗଡ଼ ଜିଲ୍ଲାରେ ୫ଟି ଜନଶୁଣାଣି କାର୍ଯ୍ୟକ୍ରମ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା, ମିଶନ ଶକ୍ତି ମହିଳାଙ୍କ ସହ ଆଲୋଚନା, ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବ୍ୟବସ୍ଥା ରହିଛି ।
ଗୁରୁବାର ସକାଳୁ ୫ଟି ସଚିବ ରଣପୁର ସହରରେ ପହଞ୍ଚିଛନ୍ତି । ପ୍ରତିକୂଳ ପାଗ ସତ୍ୱେ ସଚିବ ରଣପୁରରେ ପହଞ୍ଚି ମଣିନାଗଙ୍କ ଦର୍ଶନ କରିବା ସହ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହା ପରେ ରଣପୁର ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହ ବିକାଶ ପାଇଁ ଆଲୋଚନା କରିଛନ୍ତି । ଜଗନ୍ନାଥ ମନ୍ଦିର ଓ ମଣିନାଗ ମନ୍ଦିର ରୂପାନ୍ତରଣ ପାଇଁ ପ୍ରତିଶୃତି ଦେଇଛନ୍ତି । ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୦ ଶର୍ଯ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ ଉପରେ ସମୀକ୍ଷା କରିବା ସହ ଡାକ୍ତର, ନର୍ସ ଏବଂ ରୋଗୀଙ୍କ ସହ ଆଲୋଚନା କରିବା ପରେ ବାଘ ସାମନ୍ତ ମିନି ଷ୍ଟାଡିୟମଠାରେ ଜନଅଭିଯୋଗ ଶୁଣାଣିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।