ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ; ୪୮ ଘଣ୍ଟା ଭିତରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ

ଭୁବନେଶ୍ୱର: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ପ୍ରସ୍ତାବିତ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ରେ ଓଡ଼ିଶା ବିପୁଳ ଭାବରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟର ସଂସଦୀୟ କ୍ଷେତ୍ର ସଂଖ୍ୟା ୨୧ରୁ ୨୯କୁ ବୃଦ୍ଧି ସତ୍ତ୍ବେ ରାଜ୍ୟର ରାଜନୈତିକ ପ୍ରତିନିଧିତ୍ୱ ଜାତୀୟସ୍ତରରେ ୧୫% ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି।  ତେଣୁ ଓଡ଼ିଶାର ରାଜନୈତିକ ଅଧିକାର ଯେପରି ଏକ ସହସ୍ରାଂଶ କ୍ଷତି ନ ହେବ ସେଥିପାଇଁ ଜଣେ ଓଡ଼ିଆ ଭାବରେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ। ୪୮ ଘଣ୍ଟାରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡ଼କାଯାଇ ଏ ସଂକ୍ରାନ୍ତରେ ସଂକଳ୍ପ ଗୃହୀତ ହେଉ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । 

ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ଓଡ଼ିଶାର ୨୧ ଜଣ ସାଂସଦ ଅଛନ୍ତି, ଯାହା ମୋଟ ସଂଖ୍ୟାର ପ୍ରାୟ ୩.୯ ପ୍ରତିଶତ। ମାତ୍ର ଆସନ୍ତାକାଲି ସଂସଦର ସ୍ୱତନ୍ତ୍ର ଅଧିବେଶନରେ ବିଲ୍‌ ପାରିତ ସହ ସଂଶୋଧନ ପ୍ରସ୍ତାବ ଗୃହୀତ ହେଲେ ଏହି ସଂଖ୍ୟା ୨୯କୁ ବୃଦ୍ଧି ପାଇବ ସିନା, ଲୋକସଂଖ୍ୟା ଅନୁପାତ ୩.୪ ପ୍ରତିଶତକୁ କମିଯିବ। ଫଳରେ ଜନସଂଖ୍ୟା ନିୟନ୍ତ୍ରଣ ଓ ମାନବ ସମ୍ବଳ ବିକାଶରେ ଅଗ୍ରଣୀ ଓଡ଼ିଶା ଜାତୀୟସ୍ତରରେ ପ୍ରାୟ ୧୫ ପ୍ରତିଶତ ପର୍ଯ୍ୟନ୍ତ ରାଜନୈତିକ ପ୍ରତିନିଧିତ୍ୱ ହାନିର ସମ୍ମୁଖୀନ ହେବ। ଏହା ଜାତୀୟସ୍ତରରେ ଆମର ରାଜନୈତିକ ସ୍ୱର ଓ ପ୍ରଭାବକୁ କ୍ଷୀଣ କରିବ ଏବଂ ଅନ୍ୟ ରାଜ୍ୟମାନଙ୍କ ପକ୍ଷରେ ପୁନର୍ବଣ୍ଟନ କରାଯିବ। ବିଭିନ୍ନ ରିପୋର୍ଟ ଅନୁସାରେ ଏହି ପ୍ରକ୍ରିୟାରେ ଓଡ଼ିଶା ଚତୁର୍ଥ ସବୁଠାରୁ ବଡ଼ କ୍ଷତିଗ୍ରସ୍ତ ରାଜ୍ୟ ହେବ। ଏହା ୪.୫ କୋଟି ଓଡ଼ିଆଙ୍କ ଆକାଂକ୍ଷା ପ୍ରତି ଶକ୍ତ ପ୍ରହାର ସଦୃଶ ହୋଇଥିବା ବେଳେ ଆଗାମୀ ପିଢି ପାଇଁ ଗୁରୁତର ଅନ୍ୟାୟ ସୃଷ୍ଟି କରିବ ବୋଲି ଆଶଙ୍କା କରିଛନ୍ତିି ନବୀନ୤ ଏହି ପ୍ରସଙ୍ଗରେ ୪୮ ଘଣ୍ଟା ମଧ୍ୟରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି। ଓଡ଼ିଶାର ରାଜନୈତିକ ଅଧିକାର ଅକ୍ଷୁର୍ଣ୍ଣ ରହିଲେ ଆମେ ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ସ୍ୱାଗତ କରିବୁ, ମାତ୍ର ଓଡ଼ିଶାର ରାଜନୈତିକ ଅଧିକାର ଏକ ସହସ୍ରାଂଶ କ୍ଷତିକୁ ଗ୍ରହଣ କରିପାରିବୁ ନାହିଁ। ତେଣୁ ସ୍ୱତନ୍ତ୍ର ଅଧିବେଶନରେ ଏମିତି ଏକ ପ୍ରସ୍ତାବ ପାରିତ କରାଯାଉ, ଯେଉଁଥିରେ ଓଡ଼ିଶାର ୦.୦୦୧ ପ୍ରତିଶତ ରାଜନୈତିକ ଅଧିକାର କ୍ଷତି ହେବ ନାହିଁ ଏବଂ ଅନ୍ୟ କୌଣସି  ରାଜ୍ୟକୁ ହସ୍ତାନ୍ତର ହେବ ନାହିଁ ବୋଲି ନବୀନ ଦାବି କରିଛନ୍ତି। 

ନବୀନ କହିଛନ୍ତି ଯେ ଓଡ଼ିଶା ୧ ଏପ୍ରିଲ ୧୯୩୬ ତାରିଖରେ ସରକାରୀ ଭାବେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠିତ ହୋଇଥିଲା। ଏହା ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଇତିହାସରେ ସ୍ଥାନ ଅଧିକାର କରିଥିଲା ଏବଂ ଓଡ଼ିଆ ଭାଷାଭାଷୀ ଜନସମୁଦାୟଙ୍କୁ ଏକତ୍ର କରିଥିଲା। ଏହି ଐତିହାସିକ ସଫଳତା ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ସାଧାରଣ ଜନତାଙ୍କ ଦୀର୍ଘ ସଂଘର୍ଷ, ତ୍ୟାଗ ଓ ଅପରିମିତ ପ୍ରୟାସର ଫଳଶ୍ରୁତି । ଓଡ଼ିଆ ପରିଚୟର ସୁରକ୍ଷା ପାଇଁ ସେମାନେ ନିଜ ସ୍ୱେଦ ଓ ରକ୍ତ ଦେଇ ଯେଉଁ ତ୍ୟାଗ କରିଥିଲେ, ତାହା ଆମ ସାଂସ୍କୃତିକ ଅସ୍ତିତ୍ୱକୁ ଅମର କରିଛି। ସେମାନଙ୍କ ଅବିରତ ସଂଘର୍ଷ ଆଶାକୁ ଆଧାର କରି ଏକ ପ୍ରଦେଶର ଗଠନ କରିଥିଲା, ଯାହା ଭାଷା ଓ ଆଷାରେ ଏକତାର ପ୍ରତୀକ । ୧୮୧୭ ମସିହାର ପାଇକ ବିଦ୍ରୋହରୁ ଆରମ୍ଭ କରି ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନ ପର୍ଯ୍ୟନ୍ତ ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ ଓ ଉତ୍କଳମଣି ଗୋପବନ୍ଧୁ ଦାସ ଭଳି ବିଶିଷ୍ଟ ବ୍ୟକ୍ତିତ୍ୱମାନେ ସ୍ୱାଧୀନତାର ପବିତ୍ର ଲକ୍ଷ୍ୟ ପାଇଁ ଅମୂଲ୍ୟ ଅବଦାନ ରଖିଥିଲେ।  ବାଜି ରାଉତ ମାତ୍ର ୧୨ ବର୍ଷ ବୟସରେ ଦେଶ ପାଇଁ ନିଜ ଜୀବନ ଦାନ କରିଥିଲେ।  ଜଗନ୍ନାଥ ସଂସ୍କୃତି ଭାରତର ସମାବେଶୀ ପରମ୍ପରାକୁ ସଦା ଶକ୍ତିଶାଳୀ କରିଆସିଛି ଏବଂ ଭାରତୀୟ ଚେତନାକୁ ନୈତିକ ଓ ଆଧ୍ୟାତ୍ମିକ ଶକ୍ତି ପ୍ରଦାନ କରିଛି। ଏହା ସମତା, ଭ୍ରାତୃତ୍ୱ ଓ କରୁଣାର ମୂଲ୍ୟବୋଧକୁ ପ୍ରତିପାଦନ କରେ, ଯାହା ଆମ ଗଣତନ୍ତ୍ରର ମୂଳ ଆଧାର । ଓଡ଼ିଶା କେବଳ ଏକ ସମୃଦ୍ଧ ଐତିହ୍ୟର ଭୂମି ନୁହେଁ, ବରଂ ଆଧୁନିକ ଉନ୍ନତିରେ ଏକ ଉଦୟମାନ ଶକ୍ତିକେନ୍ଦ୍ର ।

ତେବେ ବର୍ତ୍ତମାନ ଆମେ ଏକ ସମ୍ବେଦନଶୀଳ ସଙ୍କଟପୂର୍ଣ୍ଣ ସମୟରେ ଉପନୀତ । ଆମେ ମହିଳା ସଂରକ୍ଷଣ ବିଲ୍‌କୁ  ସ୍ୱାଗତ କରୁଛୁ। ବିଜୁ ପଟ୍ଟନାୟକ ମହିଳା ସଶକ୍ତୀକରଣର ଦୃଢ଼ ପକ୍ଷପାତି ଥିଲେ ଏବଂ ବିଧାନମଣ୍ଡଳରେ ସଂରକ୍ଷଣ ବ୍ୟବସ୍ଥାକୁ ପ୍ରଚଳିତ କରିଥିଲେ। ବିଜୁ ଜନତା ଦଳ ସଦା ମହିଳାଙ୍କ ପ୍ରତିନିଧିତ୍ୱକୁ ସମର୍ଥନ କରିଆସିଛି ଏବଂ ସଂସଦ ଓ ବିଧାନସଭାରେ ସେମାନଙ୍କ ସକ୍ରିୟ ଭୂମିକାକୁ ସୁନିଶ୍ଚିତ କରିଛି। ଓଡ଼ିଶା ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକରେ ୫୦ ପ୍ରତିଶତ ସଂରକ୍ଷଣକୁ ସଫଳତାର ସହ କାର୍ଯ୍ୟକାରୀ କରିଛି ଏବଂ ଆମେ ଜାତୀୟ ସ୍ତରରେ ମହିଳା ସଶକ୍ତୀକରଣ ପାଇଁ ପୂର୍ଣ୍ଣ ସମର୍ଥନ ଜଣାଉଛୁ। ତେବେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌କୁ ଆମେ ସେତେବେଳେ ମାତ୍ର ସ୍ୱାଗତ କରିପାରିବୁ, ଯେତେବେଳେ ଓଡ଼ିଶାର ରାଜନୈତିକ ଅଧିକାର ସମ୍ପୂର୍ଣ୍ଣ ଭାବେ ଅକ୍ଷୁଣ୍ଣ ରହିବ। ଏହା କେବଳ ସଂଖ୍ୟାତ୍ମକ ପ୍ରସଙ୍ଗ ନୁହେଁ; ଏହା ସମ୍ବିଧାନରେ ସ୍ଥାପିତ ସହଯୋଗୀ ସଂଘୀୟତାର ଆତ୍ମା ସହ ସମ୍ପୃକ୍ତ।  ତେଣୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଆପଣ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଦୃଢ଼ତା ସହ ଉଠାଇ ଯଥାଯଥ ପଦକ୍ଷେପ ଗ୍ରହଣ କରନ୍ତୁ। ଏହା କରିବା ପାଇଁ ଆପଣଙ୍କ ପାଖରେ ନୈତିକ ଓ ବୈଧ ଅଧିକାର ରହିଛି। ଯଦି ଆମେ ନିରବ ରହିବାକୁ ବାଛିବା, ତେବେ ଆଗାମୀ ପିଢ଼ି ଆମକୁ କେବେ କ୍ଷମା କରିବେ ନାହିଁ। ବିଷୟର ତାତ୍କାଳିକତାକୁ ଦୃଷ୍ଟିରେ ରଖି ଆଗାମୀ ୪୮ ଘଣ୍ଟା ମଧ୍ୟରେ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡ଼କାଯାଉ। ବିଜେଡି ଏହି ନ୍ୟାୟସଙ୍ଗତ ଆନ୍ଦୋଳନରେ ଆପଣଙ୍କ ସହ ଦୃଢ଼ତାର ସହ ରହିବ। ଏକ ଗର୍ବିତ ଓଡ଼ିଆ ଭାବେ ମୁଁ ପୁନର୍ବାର ଆପଣଙ୍କୁ ଏହି ବିଷୟରେ ଦୃଢ଼ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ ଜଣାଉଛି। କାରଣ ଏହା ଆମ ପ୍ରିୟ ରାଜ୍ୟ ଓ ମାତୃଭୂମି ଓଡ଼ିଶାର ଭାଗ୍ୟ ଓ ଭବିଷ୍ୟତ ସହ ଗଭୀର ଭାବେ ସମ୍ପୃକ୍ତ ବୋଲି ମୋହନଙ୍କୁ ଲେଖିଥିବା ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି । 

About The Author: Madhusudan Das