ଭୁବନେଶ୍ୱର: ଜାପାନ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ହକି ଦଳର ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏସୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଦେଶ ପାଇଁ ଗୌରବ ଆଣିଥିବାରୁ ସେ ଖେଳାଳିମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ଜାପାନରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଭାରତୀୟ ହକି ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି ।
ନବୀନ ନିବାସଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକ ହକି ତାରକାମାନଙ୍କୁ ଭେଟିଥିଲେ। ବିଶେଷ କରି ଓଡ଼ିଶାର ଗର୍ବ ତଥା ଷ୍ଟାର ଖେଳାଳି ଅମିତ ରୋହିଦାସ ଏବଂ ଅନ୍ୟ ଖେଳାଳିମାନଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି । ହକି ଇଣ୍ଡିଆର ଅଧ୍ୟକ୍ଷ ଦିଲୀପ ତିର୍କୀଙ୍କ ଉପସ୍ଥିତିରେ ନବୀନ ପଟ୍ଟନାୟକ ଉଭୟ ପୁରୁଷ ଓ ମହିଳା ଦଳର ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ବର୍ଷ ଧରି ଓଡ଼ିଶା ସରକାର ଭାରତୀୟ ହକି ଦଳର ପ୍ରମୁଖ ପ୍ରାୟୋଜକ ରହିଆସିଛନ୍ତି। ନବୀନଙ୍କ ନେତୃତ୍ୱରେ ରାଜ୍ୟରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ ହେବା ସହ ଖେଳାଳିମାନଙ୍କୁ ସବୁମତେ ସହଯୋଗ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଭାରତୀୟ ହକି ତାରକାମାନେ ଅଲିମ୍ପିକ୍ସ ସମେତ ବିଭିନ୍ନ ଆନ୍ତର୍ଜାତିକ ସ୍ତରରେ ଦେଶର ଟେକ ରଖିବେ ବୋଲି ସେ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି।