ଭୁବନେଶ୍ୱର: ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଟାଲୀକୁ ୧-୦ ଗୋଲ୍ରେ ହରାଇ FIH ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ୍ । ସୋସିଆଲ ମିଡ଼ିଆ ସାଇଟ ‘X’ରେ ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ଏହାସହ ଆଗାମୀ ଦିନରେ ହେବାକୁ ଥିବା ଫାଇନାଲ ମୁକାବିଲାରେ ରାଜ୍ୟ ଏବଂ ଦେଶର ନାଁକୁ ଗର୍ବାନ୍ୱିତ କରିବାକୁ ପ୍ରେରଣା ମଧ୍ୟ ଦେଇଛନ୍ତି ।
ଚଳିତ ଏଫ୍ଆଇଏଚ୍ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି । ଶନିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଫାଇନାଲ ମୁକାବିଲା ହେବ। ଗତକାଲି ଖେଳାଯାଇଥିବା ସେମିଫାଇନାଲରେ ଇଟାଲୀକୁ ୧-୦ ଗୋଲରେ ପରାସ୍ତ କରି ଭାରତ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା। ପୂର୍ବରୁ ସ୍କଟଲାଣ୍ଡକୁ ହରାଇ ଇଂଲଣ୍ଡ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା। ଭାରତ ଓ ଇଂଲଣ୍ଡ ଫାଇନାଲ ମୁକାବିଲା ଆଜି ଅନୁଷ୍ଠିତ ହେବ। ଦ୍ୱିତୀୟ ସେମିଫାଇନାଲର ପ୍ରଥମାର୍ଦ୍ଧ ଖେଳ ଶେଷସୁଦ୍ଧା କେହି କାହାରିକୁ ଗୋଲ ଦେଇ ପାରି ନ ଥିଲେ। ତୃତୀୟ କ୍ୱାର୍ଟରରେ ମନୀଷା ଚୋହାନ ଗୋଲ ସ୍କୋର କରି ଭାରତକୁ ଅଗ୍ରଣୀ କରାଇଥିଲେ। ପୂର୍ବରୁ ଭାରତ ଓ ସ୍କଟଲାଣ୍ଡ ଗୋଟିଏ ଗ୍ରୁପ୍ରେ ସମାନ ୭ ପଏଣ୍ଟ ଲେଖାଏଁ ସଂଗ୍ରହ କରିଥିଲେ। ଗ୍ରୁପ୍ରେ ପ୍ରଥମ ସ୍ଥାନ ଅଧିକାର କରି ଭାରତ ଫାଇନାଲ ପୂର୍ବରୁ ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିସାରିଛି।