ବିଧାନସଭାରେ ନବୀନଙ୍କ ପାଠଶାଳା: ଗୃହ ମୁଲତବୀ ପରେ ବିଧାୟକଙ୍କ ସହ ଆଲୋଚନା

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ଅଡ଼ି ବସିଛନ୍ତି। ଫଳରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରୁ ନାହିଁ। ଆଜି ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଛି। ତେବେ ଗୃହ ଅଚଳାବସ୍ଥା ଭିତରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଠଶାଳା ଚର୍ଚ୍ଚା ସୃଷ୍ଟି କରିଛି। ସାଧାରଣତଃ ଅଳ୍ପ କଥା କହୁଥିବା ଓ ସବୁବେଳେ ଗମ୍ଭୀର ରହୁଥିବା ନବୀନ ଗୃହ ମୁଲତବୀ ପରେ ମଧ୍ୟ ଗୃହ ଭିତରେ ଅନେକ ସମୟ ଧରି ବସି ରହିବା ଓ ଦଳର ବିଧାୟକମାନଙ୍କ ସହ ଦୀର୍ଘ ଆଲୋଚନା କରିବା ଦେଖିବାକୁ ମିଳିଥିଲା ।

ଆଜି ଶୂନ୍ୟକାଳରେ ହୋହଲ୍ଲା ଯୋଗୁଁ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ। ଏହାପରେ ବିଭିନ୍ନ ଦଳର ସଦସ୍ୟମାନେ ଗୃହ ବାହରକୁ ଚାଲି ଯାଇଥିଲେ। ତେବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜ ଆସନରେ ବସି ରହିଥିଲେ। ଏହା ପରେ ଅନ୍ୟ ବିଧାୟକମାନେ ନବୀନଙ୍କ ଆସନ ନିକଟକୁ ଆସିଥିଲେ। ଧୀରେ ଧୀରେ ନବୀନ ବିଧାୟକମାନଙ୍କ ସହିତ କଥପୋକଥନ ଆରମ୍ଭ କରିଥିଲେ। ଏହି ଆଲୋଚନା ସମୟରେ ହାସ୍ୟରୋଳ ସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ଦଳର ବିଧାୟକ ଓ ବିଧାୟିକାମାନଙ୍କୁ ଇତିହାସ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଭାବେ ନବୀନ ସୂଚନା ଦେଇଥିଲେ। ବରିଷ୍ଠ ଓ କନିଷ୍ଠ ବିଧାୟକମାନେ ଆଜ୍ଞାଧୀନ ଛାତ୍ରଛାତ୍ରୀଙ୍କ ପରି ଗଭୀର ଆଗ୍ରହରେ ନବୀନଙ୍କ କଥା ଶୁଣୁଥିବା ଦେଖାଯାଇଥିଲା। ଉପସ୍ଥିତ ବିଧାୟକମାନଙ୍କ ମଧ୍ୟରେ ବିଧାୟିକା ପ୍ରମିଳା ମଲ୍ଲିକ, ଗଣେଶ୍ୱର ବେହେରା, ସାରଦା ପ୍ରସନ୍ନ ଜେନା, ପ୍ରଦୀପ ଦିଶାରୀ, ଅଧିରାଜ ପାଣିଗ୍ରାହୀ, ବର୍ଷା ସିଂ ବରିହା, ଯୋଗେଶ ସିଂହ, ରୂପେଶ ପାଣିଗ୍ରାହୀ, ସୁଜାତା ସାହୁ, ସୁଦର୍ଶନ ହରିପାଲ, ଧ୍ରୁବ ସାହୁ, ରମେଶ ବେହେରା, ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ଗୌତମବୁଦ୍ଧ ଦାଶ ପ୍ରମୁଖ ନବୀନଙ୍କ ସିଟ୍‌ ପାଖରେ ଛିଡା ହୋଇ ତାଙ୍କ କଥାକୁ ଧ୍ୟାନର ସହ ଶୁଣୁଥିଲେ। ପ୍ରାୟ ୨୪ ମିନି୍‌ଟ୍‌ ଧରି ନବୀନ ଓ ବିଧାୟକମାନଙ୍କ ସହ ଏହି ଆଲୋଚନା ଚାଲିଥିଲା। 

ଏହି ଆଲୋଚନା ସମ୍ପର୍କରେ ସୂଚନା ଦେଇ ଗୌତମ ବୁଦ୍ଧ ଦାସ କହିଛନ୍ତି, ନବୀନ ପଟ୍ଟନାୟକ ଜଣେ ଅତ୍ୟନ୍ତ ଦରଦୀ ହୃଦୟର ମଣିଷ। ଆମେ ନୂଆ ବିଧାୟକ ହୋଇ ମଧ୍ୟ ସେ ଆମ ସହ ବହୁ ସମୟ କଟାଉଛନ୍ତି। ବିଭିନ୍ନ ବିଷୟରେ ଖୋଲା ଆଲୋଚନା କରୁଛନ୍ତି। ଆଜି ଗୃହ ମୁଲତବୀ ପରେ ଆମ ସହ ମନଖୋଲା ଆଲୋଚନା କଲେ। ଥଟ୍ଟା ମଜା କରି ହସାଇଲେ। ଏହାସହିତ ବର୍ତ୍ତମାନ ପାର୍ଟିରୁ ବାହାରି କିଛି ଲୋକ ବିଜୁ ଲିଗାସୀ କଥା କହୁଥିବା ପ୍ରସଙ୍ଗ ପଡ଼ିବାରୁ ନବୀନ ବାବୁ ହସିଲେ ଓ ବିଜୁ ଲିଗାସୀର ଇତିହାସ ସମ୍ପର୍କରେ ସମସ୍ତଙ୍କୁ ଜାଣିବାକୁ କହିଲେ। କିପରି ସେ ସମୟରେ ମଧ୍ୟ ବିଶ୍ୱାସଘାତକ କରାଯାଇଥିଲା, ସେ ସମ୍ପର୍କରେ ମଧ୍ୟ କିଛି ସୂଚନା ଦେଇଥିଲେ। 

ସେହିପରି ବିଧାୟକ ସାରଦା ପ୍ରସନ୍ନ ଜେନା କହିଛନ୍ତି, ନବୀନ ବାବୁ ଆଜି ଅତ୍ୟନ୍ତ ‘ଜଲି ମୁଡ୍‌’ରେ ଥିଲେ। ଆମ ମାନଙ୍କ ସହିତ ଦଳ ଗଠନଠାରୁ ଆରମ୍ଭ କରି ଦଳର ଜୟଯାତ୍ରା ବିଷୟରେ ଆଲୋଚନା କରିଥିଲେ। ଏହାସହିତ କେଉଁମାନେ ତାଙ୍କ ପଛରୁ ଛୁରିକାଘାତ କରୁଛନ୍ତି, ସେ ବିଷୟରେ କହିଥିଲେ। ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ କହିଛନ୍ତି, ନବୀନ ବାବୁ ଦଳ ଗଠନର ପୂର୍ବ କଥା କହିଥିଲେ। ଆମେ ତାଙ୍କଠାରୁ ଅନେକ ପୁରୁଣା କଥା ଜାଣିଲୁ ବୋଲି ସେ କହିଛନ୍ତି।

About The Author: Madhusudan Das