ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ୧୧ ବର୍ଷର ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ଅତ୍ୟନ୍ତ କଟୁ ଶବ୍ଦରେ ସମାଲୋଚନା କରିଛନ୍ତି ବିରୋଧୀଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦିନକୁ ଦିନ ଓଡ଼ିଶାରେ ବଢ଼ୁଥିବା ଦୁଷ୍କର୍ମ ପରି ଘଟଣା ଓ ସରକାରଙ୍କ ଅପାରଗତା ସମସ୍ତଙ୍କୁ ବିଚଳିତ ଓ ଆତଙ୍କିତ କରିଦେଇଛି ବୋଲି ନବୀନ କ୍ଷୋଭ ପ୍ରକାଶ କରିଛନ୍ତି।
ସାମାଜିକ ଗଣଣାଧ୍ୟମ ‘ଏକ୍ସ’ରେ ନବୀନ କହିଛନ୍ତି ଯେ ମହିଳାଙ୍କ ସୁରକ୍ଷା ଓ ଦୃଢ଼ ଆଇନଶୃଙ୍ଖଳା ପାଇଁ ଦିନେ ସୁନାମ ସାଉଁଟୁଥିବା ଓଡ଼ିଶାର ଛବି ଆଜି ସାରା ଦୁନିଆ ଆଗରେ କଳଙ୍କିତ । ରାଜ୍ୟରେ ମହିଳାଙ୍କ ସୁରକ୍ଷା ବିପର୍ଯ୍ୟସ୍ତ ହୋଇଥିବା ବେଳେ ବିଜେପି ସରକାରର ସ୍ଥାଣୁତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ସମସ୍ତଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବାରେ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି? କେତେ ଆଉ ନିରୀହ ଜୀବନ ଗଲେ ସରକାରଙ୍କ ନିଦ ଭାଙ୍ଗିବ ବୋଲି ନବୀନ ପ୍ରଶ୍ନ କରିଛନ୍ତି। ଓଡ଼ିଶାର ମା’ଭଉଣୀମାନେ ସୁରକ୍ଷା ଚାହୁଁଛନ୍ତି, ଡବଲ୍ ଇଞ୍ଜିନ୍ ସରକାରର ମିଛ ବାହାସ୍ଫୋଟ ନୁହେଁ। ସ୍ଥିତି ଆହୁରି ବିଗିଡ଼ିବା ଆଗରୁ ସରକାର ଆଗୁଆ ତତ୍ପର ହୋଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରନ୍ତୁ ବୋଲି ନବୀନ ଦାବି କରିଛନ୍ତି।