ପ୍ରଥମ ପର୍ଯ୍ୟାୟ ଜନ୍ତୁ ଅଦଳବଦଳ, ନନ୍ଦନକାନନକୁ ଆସିଲେ ୨୬ ଜନ୍ତୁ

ନନ୍ଦନକାନନ/ବାରଙ୍ଗ: କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ ରାଜ୍ୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଓ ହାଇଦରାବାଦ ନେହରୁ ଚିଡ଼ିଆଖାନା ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ହାଇଦ୍ରାବାଦ ନେହରୁ ଚିଡ଼ିଆଖାନାରୁ ୧୭ଜଣିଆ ଏକ ଦଳ ୨୬ଟି ଜନ୍ତୁ ନେଇ ନନ୍ଦନକାନନ ଆସିଛନ୍ତି। ଆସିଥିବା ଜନ୍ତୁ ମଧ୍ୟରେ ହଳେ ଚାମୁଚ ଥଣ୍ଟିଆ, ସାରସ, ଧୂସର ଜଙ୍ଗଲୀ କୁକୁଡ଼ା, ୨ମାଈ ଇଗୁଆନା, ୨ହଳ ବରବେରୀ କପୋତ, ୨ହଳ କୁଜି ହରିଣ, ହଳେ ଗୁରାଣ୍ଡି, ହଳେ […]

ନନ୍ଦନକାନନ/ବାରଙ୍ଗ: କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନକ୍ରମେ ରାଜ୍ୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଓ ହାଇଦରାବାଦ ନେହରୁ ଚିଡ଼ିଆଖାନା ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ହାଇଦ୍ରାବାଦ ନେହରୁ ଚିଡ଼ିଆଖାନାରୁ ୧୭ଜଣିଆ ଏକ ଦଳ ୨୬ଟି ଜନ୍ତୁ ନେଇ ନନ୍ଦନକାନନ ଆସିଛନ୍ତି।

ଆସିଥିବା ଜନ୍ତୁ ମଧ୍ୟରେ ହଳେ ଚାମୁଚ ଥଣ୍ଟିଆ, ସାରସ, ଧୂସର ଜଙ୍ଗଲୀ କୁକୁଡ଼ା, ୨ମାଈ ଇଗୁଆନା, ୨ହଳ ବରବେରୀ କପୋତ, ୨ହଳ କୁଜି ହରିଣ, ହଳେ ଗୁରାଣ୍ଡି, ହଳେ ବାଲି ବୋଡ଼ା ସାପ, ହଳେ ଚନ୍ଦନ ବୋଡ଼ା, ହଳେ ନାଲି ଦୋମୁଣ୍ଡିଆ ବୋଡ଼ା, ୨ ଅଣ୍ଡିରା ବନେଟ ମାଙ୍କଡ଼ ଅଛନ୍ତି। ନେହରୁ ଚିଡ଼ିଆଖାନାରୁ ଆସିଥିବା ଦଳ ୨୬ ତାରିଖ ଦିନ ସିଆମିଜ କୁମ୍ଭୀର (୧ ଅଣ୍ଡିରା, ୨ ମାଈ), ହଳେ ସୁନେଲି କୁକୁଟ, ହଳେ ଲେଡି ଆମସେଟ କୁକୁଟ, ହଳେ କୁଜି ହରିଣ, ହଳେ ଗୁରାଣ୍ଡି ନେଇକି ଯିବାର କାର୍ଯ୍ୟକ୍ରମ ରହିଥିବା ଉପ-ନିର୍ଦ୍ଦେଶକ ସନଥ ନାରାୟଣ ସୂଚନା ଦେଇଛନ୍ତି।

ଏଥିସହ ଦ୍ବିତୀୟ ପର୍ଯ୍ୟାୟରେ ସେଠାରୁ ଦୁଇଟି ମାଈ ବନେଟ ମାଙ୍କଡ଼ ଆସିବାକୁ ଅଛି। ଏହା ବଦଳରେ ଏଠାରୁ ଦୁଇ ହଳ ଲମ୍ବା ଥଣ୍ଟିଆ ବଗ ଓ ଦୁଇ ହଳ ଆସାମିଜ୍‌ ମାଙ୍କଡ଼ ଦିଆଯିବ। ସୋମବାର ଆସିଥିବା ଜନ୍ତୁମାନଙ୍କ ମଧ୍ୟରେ ଧୂସର ଜଙ୍ଗଲୀ କୁକୁଡ଼ା ନୂଆ ପ୍ରଜାତି ଭାବେ ନନ୍ଦନକାନନରେ ଯୋଡ଼ି ହୋଇଛି। ନନ୍ଦନକାନନରେ ଏକୁଟିଆ ଥିବା ସାରସ ପକ୍ଷୀ ଓ ଚନ୍ଦନ ବୋଡ଼ା ପାଇଁ ସାଥୀ ମିଳିଯାଇଛି। ଏହାସହ ଆସିଥିବା ଅନ୍ୟ ଜନ୍ତୁଗୁଡ଼ିକ ଦ୍ବାରା ନୂଆ ବଂଶଧାରାରେ ସହାୟକ ହୋଇପାରିବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।

About The Author: The Sakala