ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ରିପୋର୍ଟ: ଡବଲ୍‌ ଇଞ୍ଜିନ୍‌ଠାରୁ ଆଗରେ ‘ନବୀନ ଓଡ଼ିଶା’….

ଭୁବନେଶ୍ୱର: ୨୦୦୦ରୁ ୨୦୨୪ ବର୍ଷ ମଧ୍ୟରେ ନବୀନ ସରକାରଙ୍କ ଶୃଙ୍ଖଳିତ ଆର୍ଥିକ ପରିଚାଳନା ସାରା ଦେଶରେ ଓଡ଼ିଶାକୁ ଦେଇଛି ଭିନ୍ନ ପରିଚୟ । ଏହି ଅଢେ଼ଇ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ହାରାହାରି ମୁଣ୍ଡପିଛା ଆୟ ବୃଦ୍ଧି ଦେଶରେ ସବୁଠାରୁ ଅଧିକ ରହିଛି । ଏପରିକି ଏହି କ୍ଷେତ୍ରରେ ଓଡ଼ିଶାଠାରୁ ବିଜେପି ବା ଡବଲ ଇଞ୍ଜିନ ଶାସିତ ରାଜ୍ୟ ଗୁଜରାଟ, ଛତିଶଗଡ଼, ହରିଆଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଆସାମ, ବିହାର ଓ ଉତ୍ତରପ୍ରଦେଶ ଆଦିରେ ପଛରେ ରହିଛନ୍ତିି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ […]

ଭୁବନେଶ୍ୱର: ୨୦୦୦ରୁ ୨୦୨୪ ବର୍ଷ ମଧ୍ୟରେ ନବୀନ ସରକାରଙ୍କ ଶୃଙ୍ଖଳିତ ଆର୍ଥିକ ପରିଚାଳନା ସାରା ଦେଶରେ ଓଡ଼ିଶାକୁ ଦେଇଛି ଭିନ୍ନ ପରିଚୟ । ଏହି ଅଢେ଼ଇ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ହାରାହାରି ମୁଣ୍ଡପିଛା ଆୟ ବୃଦ୍ଧି ଦେଶରେ ସବୁଠାରୁ ଅଧିକ ରହିଛି । ଏପରିକି ଏହି କ୍ଷେତ୍ରରେ ଓଡ଼ିଶାଠାରୁ ବିଜେପି ବା ଡବଲ ଇଞ୍ଜିନ ଶାସିତ ରାଜ୍ୟ ଗୁଜରାଟ, ଛତିଶଗଡ଼, ହରିଆଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଆସାମ, ବିହାର ଓ ଉତ୍ତରପ୍ରଦେଶ ଆଦିରେ ପଛରେ ରହିଛନ୍ତିି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ୨୦୨୪ ରିପୋର୍ଟରେ ଏହା ପ୍ରକାଶିତ ହୋଇଛି।

ଏହି ରିପୋର୍ଟ ଅନୁସାରେ, ୨୦୦୦-୦୧ ରାଜ୍ୟରେ ସାପେକ୍ଷ ମୁଣ୍ଡପିଛା ଆୟ ୫୫.୮ ପ୍ରତିଶତ ରହିଥିବା ବେଳେ ୨୦୨୩-୨୪ରେ ଏହା ୮୮.୫ ପ୍ରତିଶତରେ ପହଞ୍ଚିଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଏହି ୨୩ ବର୍ଷ ମଧ୍ୟରେ ଓଡ଼ିଶାର ସାପେକ୍ଷ ମୁଣ୍ଡପିଛା ଆୟରେ ୫୮.୬୦ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ବିହାରର ମାତ୍ର ୫ ପ୍ରତିଶତ, ଝାରଖଣ୍ଡର ୮.୩୩ ପ୍ରତିଶତ ଓ ଆସାମର ମାତ୍ର ୧୩.୯୧ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଦେଶର ଆର୍ଥିକ ରାଜଧାନୀ ମହାରାଷ୍ଟ୍ରର ମୁଣ୍ଡପିଛା ଆୟରେ ଏହ ଦୁଇ ଦଶକ ମଧ୍ୟରେ ମାତ୍ର ୧୪ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ମଧ୍ୟପ୍ରଦେଶର ଅଭିବୃଦ୍ଧି ୧୮.୯୦ ପ୍ରତିଶତ ରହିଛି। ଅପରପକ୍ଷେ ରାଜସ୍ଥାନର ମୁଣ୍ଡପିଛା ଆୟ ବୃଦ୍ଧି ୨୦.୬୩ ପ୍ରତିଶତ ରହିଥିବା ବେଳେ ହରିୟାଣାର ୨୬.୧୦ ପ୍ରତିଶତ, ଛତିଶଗଡ଼ର ୩୩.୫୫ ପ୍ରତିଶତ ଏବଂ ଗୁଜରାଟର ଅଭିବୃଦ୍ଧି ୪୮.୨୪ ପ୍ରତିଶତ ରହିଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି।

ଅପରପକ୍ଷେ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ପ୍ରଦର୍ଶନ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ନିରାଶାଜନକ । ୨୦୦୦-୦୧ ମସିହାରେ ଉତ୍ତରପ୍ରଦେଶର ସାପେକ୍ଷ ମୁଣ୍ଡପିଛା ୫୫.୩ ପ୍ରତିଶତ ରହିଥିବା ବେଳେ ୨୦୨୩-୨୪କୁ ଏହା ହ୍ରାସ ପାଇ ୫୦.୮ ପ୍ରତିଶତରେ ପହଞ୍ଚିଛି। ସେହିପରି ପଶ୍ଚିମବଙ୍ଗର ଅଭିବୃଦ୍ଧି ହାର ୯୭.୫ ପ୍ରତିଶତରୁ ହ୍ରାସ ପାଇ ୮୩.୭ ପ୍ରତିଶତରେ ପହଞ୍ଚିଛି। ଅର୍ଥାତ୍‌ ଏହି ୨ ଦଶନ୍ଧି ମଧ୍ୟରେ ପଶ୍ଚିମବଙ୍ଗର ଅଭିବୃଦ୍ଧି ହାର ବିଯୁକ୍ତ ୧୪.୧୬ ପ୍ରତିଶତ ରହିଥିବା ବେଳେ ବିଜେପି ଶାସିତ ଉତ୍ତରପ୍ରଦେଶର ବିଯୁକ୍ତ ୮.୧୪ ପ୍ରତିଶତ ରହିଛି। ଉପରୋକ୍ତ ତଥ୍ୟ ହିଁ ରାଜ୍ୟର ଉତ୍ତମ ତଥା ଶୃଙ୍ଖଳିତ ବିତ୍ତୀୟ ପରିଚାଳନାକୁ ଦର୍ଶାଉଥିବା ଅର୍ଥନୀତି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କେବଳ ସାପେକ୍ଷ ମୁଣ୍ଡପିଛା ଆୟ ନୁହେଁ; ଋଣ, ରାଜସ୍ୱ ବଳକା ସ୍ଥିତି ଏବଂ ରାଜସ୍ୱ ନିଅଣ୍ଟ କ୍ଷେତ୍ରରେ ଓଡ଼ିଶା ଦେଶର ବଡ଼ ବଡ଼ ରାଜ୍ୟ ତୁଳନାରେ ବେଶ୍‌ ଆଗରେ ରହିଆସିଛି। ଏଫଆର୍‌ବିଏମ ଆଇନ ଅନୁସାୟରେ ଜିଏସ୍‌ଡିପିର ୨୫ ପ୍ରତିଶତ ପର୍ଯ୍ୟନ୍ତ ଋଣ କରିବାକୁ ଅନୁମତି ଥିବାବେଳେ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ଛାଡ଼ିବା ସମୟରେ ଏହା ୧୨ ପ୍ରତିଶତରୁ କମ୍‌ ରହିଥିଲା। ସେହିପରି ରାଜ୍ୟର ରାଜସ୍ୱ ନିଅଣ୍ଟ ୩ ପ୍ରତିଶତଠାରୁ କମ୍‌ ରହିଥିଲା। ଅପରପକ୍ଷେ ରାଜସ୍ୱ ବଳକା ରାଜ୍ୟଭାବେ ଓଡ଼ିଶା ଦେଶର ଶ୍ରେଷ୍ଠ ୩ଟି ରାଜ୍ୟ ମଧ୍ୟରେ ରହିଥିଲା। ଓଡ଼ିଶାର ଏପରି ଅର୍ଥନୈତିକ ସ୍ଥିତି କେବଳ ଶୃଙ୍ଖଳିତ ଏବଂ ଦୂରଦର୍ଶୀ ଆର୍ଥିକ ପରିଚାଳନା ନୀତି ପାଇଁ ସମ୍ଭବପର ହୋଇପାରିଥିଲା ବୋଲି ମତପ୍ରକାଶ ପାଇଛି।
ନବୀନ ସରକାରଙ୍କ ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ସାରା ଦେଶରେ ଅନ୍ୟାନ୍ୟ ରାଜ୍ୟ ପାଇଁ ଉଦାହରଣୀୟ ହୋଇ ରହିଛି। ଏକ ନିଅଣ୍ଟିଆ ରାଜ୍ୟରୁ ରାଜସ୍ୱ ବଳକା ରାଜ୍ୟରେ ଓଡ଼ିଶା କେବଳ ପରିଣତ ହୋଇ ନାହିଁ; ଅନ୍ୟ ରାଜ୍ୟଗୁଡ଼ିକ ଋଣ ପରେ ଋଣ କରି ଚାଲିଥିବାବେଳେ ଓଡ଼ିଶା ଏକମାତ୍ର ରାଜ୍ୟ ଭାବରେ ୨୦୨୨-୨୩ ଓ ୨୦୨୩-୨୪ରେ ଋଣ ପରିଶୋଧ କରି ନୂଆ ଉଦାହାରଣ ସୃଷ୍ଟି କରିଛି। ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱ ଓଡ଼ିଶାକୁ ପୁଞ୍ଜି ପରିଚାଳନାର ସଫଳ ରାଜ୍ୟରେ ପରିଣତ କରିଛି। ଏହି କ୍ଷେତ୍ରରେ ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ବିହାର, ଆସାମ ଓ ହରିୟାଣା ପରି ବଡ଼ ରାଜ୍ୟମାନେ ବହୁ ପଛରେ ପଡ଼ି ଯାଇଛନ୍ତି। ନବୀନଙ୍କ ବଳିଷ୍ଠ ନେତୃତ୍ୱ ଏବଂ ଦୂରଦର୍ଶୀ ନୀତି ହିଁ ରାଜ୍ୟକୁ ଅର୍ଥନୀତି କ୍ଷେତ୍ରରେ ସମଗ୍ର ଭାରତବର୍ଷରେ ଏକ ନୂଆ ପରିଚୟ ଦେଇପାରିଛି ବୋଲି ଅର୍ଥନୀତି ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।

About The Author: The Sakala