ନବରଙ୍ଗପୁର: ନବରଙ୍ଗପୁର ରାଇଘର ଥାନା ବରଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲା ନୃଶଂସ ସ୍ୱାମୀ। ଚରିତ୍ରକୁ ସନ୍ଦେହ କରି ପତ୍ନୀକୁ ପିଟି ପିଟି ମାରି ଦେବାପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ୱାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ପୋତି ଦେଇଥିଲା । ବାପାର ଏଭଳି ଜଘନ୍ୟ କାଣ୍ଡର ପର୍ଦ୍ଦାଫାସ୍ କରିଛି ୪ ବର୍ଷର ପୁଅ। ହତ୍ୟାକାରୀ ସ୍ୱାମୀ ସୁବାସ ଗଣ୍ଡକୁ ଥାନାରେ ଅଟକ ରଖିଛି ରାଇଘର ପୋଲିସ୍ । ମୃତକ ହେଲେ ମନେଇ ଗଣ୍ଡ ।
ସୂଚନା ଅନୁସାରେ, ଗତ ରବିବାର ରାତିରେ ସ୍ବାମୀ ସୁବାଷ ଗଣ୍ଡ ଓ ସ୍ତ୍ରୀ ମନେଇ ଗଣ୍ଡ ପରିବାର ସଦସ୍ୟଙ୍କ ସହ ମିଶି ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ଘରକୁ ଫେରିବା ପରେ ପତ୍ନୀର ଚରିତ୍ରକୁ ସନ୍ଦେହ କରି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡା ଏତେ ତୀବ୍ର ରୂପ ନେଇଥିଲା ଯେ ପିଲାଙ୍କ ଆଗରେ ସ୍ତ୍ରୀ ମନେଇଙ୍କୁ ହତ୍ୟା କରିଥିଲା ସୁବାଷ । ପ୍ରଣାମ ଲୁଚାଇବାକୁ ଯାଇ ସେହିଦିନ ରାତିରେ ନିଜ ପାଇଖାନା ଟାଙ୍କିରେ ମନେଇର ମର ଶରୀର ପୋତି ଦେଇଥିଲେ । ପରେ ସ୍ତ୍ରୀ କେଉଁଆଡ଼େ ଚାଲିଗଲା ବୋଲି ଗ୍ରାମବାସୀଙ୍କ ଆଗରେ ଅଭିନୟ କରିଥିଲା ସୁବାଷ । ଗ୍ରାମବାସୀ ବହୁ ପଚାରଉଚରା କରିବାରୁ ୪ ବର୍ଷର ପୁଅ ସବୁ ସତକଥା କହିଥିଲା । ଖବର ପାଇ ରାଇଘର ଥାନା ପୋଲିସ ପହଞ୍ଚି ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର କରିବା ସହ ହତ୍ୟାକାରୀ ସ୍ବାମୀକୁ ଗିରଫ କରିଛି । ଅଧିକ ତଦନ୍ତ ପାଇଁ ନବରଙ୍ଗପୁରରୁ ଏକ ସାଇଣ୍ଟି ଫିକ ଟିମ୍ କୁ ଡକାଯାଇଥିବା ସୂଚନା ମିଳିଛି ।