ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି। ଅଧିକ ତଥ୍ଯ ପାଇଁ କ୍ରାଇମବ୍ରାଞ୍ଚର ଏକ ୪ ଜଣିଆ ଟିମ୍ ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ଆଙ୍କୁଲି ଶିଳ୍ପାଞ୍ଚଳସ୍ଥିତ ଗୋପାଳର ଘରକୁ ପହଞ୍ଚିଛନ୍ତି। ଗୋପାଳର ପତ୍ନୀ ଜୟନ୍ତୀ ଦାସ ଓ ପୁତୁରାକୁ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା କରୁଛି। କ୍ରାଇମବ୍ରାଞ୍ଚ ଟିମ୍ ପୂର୍ବରୁ ଗୋପାଳର ଭାଇଙ୍କୁ ପଚରାଉଚରା କରିଥିଲେ।
ସୂଚନାଯୋଗ୍ୟ, ନବ ଦାସଙ୍କୁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳ ଦାସକୁ ୪ ଦିନିଆ ରିମାଣ୍ଡରେ ନେଇଛି। ଏହି ରିମାଣ୍ଡ ଅବଧି ଆଜି ସରିବ। କ୍ରାଇମବ୍ରାଞ୍ଚ ପୁଣି ତାଙ୍କୁ ରିମାଣ୍ଡରେ ନେବ କି ନାହିଁ ସ୍ପଷ୍ଟ ସୂଚନା ମିଳିପାରିନାହିଁ । କ୍ରାଇମବ୍ରାଞ୍ଚ ଗତ ୧ ତାରିଖରୁ ଗୋପାଳଙ୍କୁ ରିମାଣ୍ଡରେ ଆଣି ତନାଘନା କରୁଛି। ରିମାଣ୍ଡ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । ହେଲେ ଏଯାଏଁ ହତ୍ୟାର କାରଣ କ’ଣ ତାହା ଜଣାପଡ଼ିନାହିଁ। ଅଧିକ ତଦନ୍ତ ପାଇଁ ପୁଣି ଥରେ ଗୋପାଳ ଦାସଙ୍କୁ ରିମାଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ । ସେହିପରି ଗୋପାଳ ଦାସଙ୍କୁ କ୍ରାଇମସ୍ପଟକୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ । ଗୋପାଳଙ୍କ ଲିଙ୍କରେ ଯେଉଁମାନେ ରହିଛନ୍ତି ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉଛି।
ଅନ୍ୟପଟେ, ନବ ଦାସ ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚକୁ ମିଳିଛି ଅଭିଯୁକ୍ତ ଗୋପାଳ ଦାସର ଡାଏରୀ। ତଦନ୍ତ ଅଗ୍ରଗତି ନେଇ ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ସୂଚନାରେ ଡାଏରୀ ତଥ୍ୟ ବିଷୟରେ ଉଲ୍ଲେଖ କରାଯାଇଛି। ସେହିପରି ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ ମିଳିଥିବା ୨୨ ଟୁକୁଡ଼ା କାଗଜ ଚିହ୍ନଟ କରିଛି ଗୋପାଳ। ହାତଲେଖା ତା’ର ବୋଲି ଗୋପାଳ ଚିହ୍ନଟ କରିଥିବା କହିଛି କ୍ରାଇମବ୍ରାଞ୍ଚ। ଟୁକୁଡ଼ା କାଗଜକୁ ଯୋଡ଼ି ରହସ୍ୟ କାଢ଼ିବାକୁ ହ୍ୟାଣ୍ଡରାଇଟିଂ ଏକ୍ସପର୍ଟଙ୍କ ଉଦ୍ୟମ ଆରମ୍ଭ ହୋଇଛି। ଏହା ଗୋପାଳର ହାତ ଲେଖା କି ନୁହେଁ ତାହା ସ୍ପଷ୍ଟ ହେବାକୁ ପରୀକ୍ଷା ପାଇଁ ହ୍ୟାଣ୍ଡ ରାଇଟିଂ ଏଜେନ୍ସିକୁ ପଠାଯିବ ବୋଲି କ୍ରାଇମବ୍ରାଞ୍ଚ କହିଛି।